ପ୍ୟାରିସ: ସର୍ବିୟା ତାରକା ନୋଭାକ ଜୋକୋଭିକ କୀର୍ତ୍ତିମାନଭରା ୨୩ ଗ୍ରାଣ୍ଡ ସ୍ଲାମ୍ ଦିଗରେ ଆଉ ଗୋଟିଏ ପାଦ ଆଗକୁ ବଢ଼ାଇଛନ୍ତି। ଏହି ତୃତୀୟ ମାନ୍ୟତାପ୍ରାପ୍ତ ଖେଳାଳି ପୁରୁଷ ଏକକରେ ପ୍ରିକ୍ବାର୍ଟର ଫାଇନାଲ୍ରେ ପେରୁର ଜୁଆନ୍ ପାବ୍ଲୋ ଭାରିଲାସଙ୍କୁ ସିଧାସଳଖ ୬-୩, ୬-୨, ୬-୨ ସେଟ୍ରେ ପରାସ୍ତ କରିଛନ୍ତି। ଏଥିସହ ୨ ଥର ରୋଲାଁ ଗାରୋସ ବିଜେତା ଜୋକୋଭିକ ୧୬ ଥର ଲାଗି ଏଠାରେ କ୍ବାର୍ଟର ଫାଇନାଲ୍ ସ୍ଥାନ ନିଶ୍ଚିତ କରିଛନ୍ତି। କ୍ବାର୍ଟର ଫାଇନାଲ୍ରେ ଜୋ କୋଭିକ ରୁଷିଆର କରେନ କାଚାନୋଭଙ୍କୁ ଭେଟିବେ। ଏକାଦଶ ମାନ୍ୟତାପ୍ରାପ୍ତ କାଚାନୋଭ ୧-୬, ୬-୪, ୭-୬ (୭), ୬-୧ ସେଟ୍ରେ ଇଟାଲିର ଲୋରେଞ୍ଜୋ ସୋନେଗୋଙ୍କୁ ହରାଇଥିଲେ।
ମହିଳା ଏକକରେ ୨୦୨୧ର ଉପବିଜୟିନୀ ଆନାସ୍ତାସିଆ ପାଭ୍ଲ୍ୟୁଚେଙ୍କୋଭା ଚଳିତ ଫ୍ରେଞ୍ଚ ଓପନ୍ ଟେନିସ ପ୍ରତିଯୋଗିତାର କ୍ବାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ରବିବାର ପ୍ରିକ୍ବାର୍ଟର ଫାଇନାଲ୍ରେ ଏହି ରୁଷୀୟ ମହିଳା ୩-୬, ୭-୬ (୭/୩), ୬-୩ ସେଟ୍ରେ ୨୮ ମାନ୍ୟତାପ୍ରାପ୍ତ ବେଲଜିୟମର ଏଲିସ ମର୍ତେନ୍ସଙ୍କୁ ପରାସ୍ତ କରିଥିଲେ। ପ୍ରଥମ ସେଟ୍ରେ ହାରି ଯାଇଥିଲେ ପାଭ୍ଲ୍ୟୁଚେଙ୍କୋଭା। ଦ୍ବିତୀୟ ସେଟ୍କୁ ଟ୍ରାଇବ୍ରେକର୍ରେ ଏବଂ ତୃତୀୟକୁ ସହଜରେ ଜିତି ମ୍ୟାଚ୍ ନିପ ପକ୍ଷରେ ରଖିବାକୁ ସକ୍ଷମ ହୋଇଥିଲେ। କ୍ବାର୍ଟର ଫାଇନାଲ୍ରେ ସେ ଚେକ୍ଗଣରାଜ୍ୟର କାରୋଲିନା ମୁଚୋଭାଙ୍କୁ ଭେଟିବେ। ମୁଚୋଭା ୬-୪, ୬-୩ ସେଟ୍ରେ ରୁଷିଆର ଏଲିନା ଆଭନେସ୍ୟାନଙ୍କୁ ପରାସ୍ତ କରିଥିଲେ।