ପ୍ୟାରିସ: ୧୮ ଥର ଗ୍ରାଣ୍ଡ ସ୍ଲାମ୍ ବିଜେତା ସର୍ବିଆର ନୋଭାକ ଜୋକୋଭିକ ଚଳିତ ଫ୍ରେଞ୍ଚ୍ ଓପନ୍ରୁ ବିଦାୟ ନେବାରୁ ବର୍ତ୍ତିଯାଇଛନ୍ତି। ସୋମବାର ପ୍ରିକ୍ବାର୍ଟର ଫାଇନାଲ୍ରେ ଏହି ଶୀର୍ଷ ମାନ୍ୟତାପ୍ରାପ୍ତ ଖେଳାଳି ୬-୭, ୬-୭. ୬-୧, ୬-୦, ୪-୦ ସେଟ୍ରେ ଇଟାଲିର ଲୋରେଞ୍ଜୋ ମୋସେଟିଙ୍କୁ ମାତ୍ ଦେଇଥିଲେ। ପ୍ରଥମ ଦୁଇ ସେଟ୍ ହାରିବା ପରେ ସଫଳ ପ୍ରତ୍ୟାବର୍ତ୍ତନ କରି ଜୋକୋଭିକ ପରବର୍ତ୍ତୀ ୨ ସେଟ୍ ଜିତି ସ୍ଥିତି ସମାନ କରି ଦେଇଥିଲେ। ହେଲେ ନିର୍ଣ୍ଣାୟକ ପଞ୍ଚମ ସେଟ୍ ୪-୦ରେ ଆଗୁଆ ଥିଲା ବେଳେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ମୋସେଟି ଓହରି ଯାଇଥିଲେ। ଫଳରେ ଜୋକୋଭିକ କ୍ବାର୍ଟର ଫାଇନାଲ୍ ସ୍ଥାନ ନିଶ୍ଚିତ ହୋଇଯାଇଥିଲା। ସେହିପରି ପୁରୁଷ ଏକକ କ୍ବାର୍ଟର ଫାଇନାଲ୍ରେ ଷଷ୍ଠ ମାନତାପ୍ରାପ୍ତ ଆଲେକଜାଣ୍ଡର ଭେରଭ ଓ ଦଶମ ମାନ୍ୟତାପ୍ରାପ୍ତ ଡିଏଗୋ ସ୍ବର୍ଜମ୍ୟାନ୍ ପ୍ରବେଶ କରିଛନ୍ତି। ଜର୍ମାନିର ଭେରଭ ସିଧାସଳଖ ୬-୪, ୬-୧, ୬-୪ ସେଟ୍ରେ ଜାପାନର କେଇ ନିଶିକୋରିଙ୍କୁ ଏବଂ ଆର୍ଜେଣ୍ଟିନାର ସ୍ବର୍ଜମ୍ୟାନ୍ ୭-୬, ୬-୪, ୭-୫ ସେଟ୍ରେ ଜର୍ମାନିର ଜାନ୍ ଲେନାର୍ଡ ଷ୍ଟ୍ରୁଫ୍ଙ୍କୁ ହରାଇଥିଲେ।
ତେବେ ଦୁଇ ପୂର୍ବତନ ଫାଇନାଲିଷ୍ଟ ଆମେରିକୀୟ ସୋଫିଆ କେନିନ୍ ଏବଂ ସ୍ଲୋଆନେ ଷ୍ଟିଫେନ୍ସ ମହିଳା ଏକକ ପ୍ରିକ୍ବାର୍ଟର ଫାଇନାଲ୍ରୁ ବିଦାୟ ନେଇଛନ୍ତି। ୧୭ ମାନ୍ୟତାପ୍ରାପ୍ତ ଗ୍ରିକ୍ର ମାରିଆ ସାକାରି ସିଧାସଳଖ ୬-୧, ୬-୩ ସେଟ୍ରେ ଚତୁର୍ଥ ମାନ୍ୟତାପ୍ରାପ୍ତ ତଥା ୨୦୨୦ ଅଷ୍ଟ୍ରେଲିଆନ୍ ବିଜୟିନୀ କେନିନ୍କୁ ହରାଇ ବିଦାୟ ରାସ୍ତା ଦେଖାଇଥିଲେ। ସେହିଭଳି ଚେକ୍ ଗଣରାଜ୍ୟର ବର୍ବୋରା କ୍ରେସିକୋଭା ସିଧାସଳଖ ୬-୨, ୬-୦ ସେଟ୍ରେ ୨୦୧୭ ୟୁଏସ୍ ଓପନ୍ ବିଜୟିନୀ ଏବଂ ୨୦୧୮ ରୋଲାଁ ଗାରୋସ ଫାଇନାଲିଷ୍ଟ୍ ଷ୍ଟିଫେନ୍ସଙ୍କୁ ମାତ୍ ଦେଇଥିଲେ। କାତେରିନା ସିନିଆକୋଭାଙ୍କ ସହ ୨୦୧୮ରେ ଏଠାରେ ଯୁଗଳ ଟ୍ରଫି ଜିତିଥିବା ୩୩ ମାନ୍ୟତାପ୍ରାପ୍ତ କ୍ରେଜସିକୋଭା କ୍ବାର୍ଟର ଫାଇନାଲ୍ରେ ଆମେରିକାର ସ୍ବଳ୍ପ ବୟସ୍କା ଯୁବତୀ କୋକୋ ଗଫ୍ଙ୍କୁ ଭେଟିବେ। ୨୪ ମାନ୍ୟତାପ୍ରାପ୍ତ ଗଫ୍ ୬-୩, ୬-୧ ସେଟ୍ରେ ତୁନିସିଆର ଓନ୍ସ ଜାବିଅରଙ୍କୁ ପରାସ୍ତ କରି ପ୍ରଥମ ଥର ଏକ ଗ୍ରାଣ୍ଡ ସ୍ଲାମ୍ କ୍ବାର୍ଟର ଫାଇନାଲ୍ ସ୍ଥାନ ପକ୍କା କରିଥିଲେ। ୧୭ ବର୍ଷୀୟା ଗଫ୍ ପୂର୍ବରୁ ଏଠାରେ କିନିଷ୍ଠ ଟ୍ରଫି ଜିତିବାର ଗୌରବ ପାଇଛନ୍ତି। ଉଭୟ କ୍ରେସିକୋଭା ଏବଂ ଗଫ୍ ପ୍ରଥମ ଥର ପାଇଁ ଫ୍ରେଞ୍ଚ୍ ଓପନ୍ କ୍ବାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି।
ଭାରତୀୟ ଭେଟେରାନ୍ ଟେନିସ ଖେଳାଳି ରୋହନ ବୋପାନ୍ନାଙ୍କ ଫ୍ରେଞ୍ଚ୍ ଓପନ୍ ଅଭିଯାନ ଶେଷ ହୋଇଛି। ପୁରୁଷ ଯୁଗଳରେ କ୍ରୋଏସିଆ ସାଥୀ ଫ୍ରାଙ୍କୋ ସ୍କୁଗୋରଙ୍କୁ ସାଥୀ କରି ଖେଳୁଥିବା ବୋପାନ୍ନା ସୋମବାର କ୍ବାର୍ଟର ଫାଇନାଲ୍ରେ ୫-୭, ୩-୬ ସେଟ୍ରେ ସ୍ପେନ୍ ଯୋଡ଼ି ପାବ୍ଲୋ ଅନ୍ଦୁଜାର ଓ ପେଡ୍ରୋ ମାର୍ଟିଞ୍ଜଙ୍କଠୁ ହାରି ଯାଇଥିଲେ। ଏହି ଭାରତ-କ୍ରୋଏସିଆ ଯୋଡ଼ି ନେଦରଲାଣ୍ଡ-ଏଇ ସାଲ୍ଭାଡୋର ଯୋଡ଼ି ମାତୱେ ମିଡିଲକୁପ ଓ ମାର୍ସିଲୋ ଆରେଭାଲୋ ବିପକ୍ଷ ପ୍ରିକ୍ବାର୍ଟର ଫାଇନାଲ୍ରେ ୱାର୍କଓଭର ପାଇଥିଲେ।