ପ୍ୟାରିସ: ରୋଲାଁ ଗ୍ୟାରସ୍ ଷ୍ଟାଡିୟମ୍ରେ ଆଜିଠୁ ଆରମ୍ଭ ହୋଇଛି ଗ୍ରାଣ୍ଡ୍ ସ୍ଲାମ୍ ଟେନିସ୍ ପ୍ରତିଯୋଗିତା ଫ୍ରେଞ୍ଚ୍ ଓପନ୍। ଏହି ପ୍ରତିଯୋଗିତା ଜୁନ୍ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ। ରବିବାର ପ୍ରଥମ ଦିବସରେ ପୁରୁଷ ବର୍ଗ ଏକକରେ କୌଣସି ବିପର୍ଯ୍ୟୟ ଘଟିନଥିଲା ବେଳେ ମହିଳା ଏକକରେ ଅଣମାନ୍ୟତାପ୍ରାପ୍ତ ଚେକ୍ ଗଣରାଜ୍ୟ ଖେଳାଳି କାରୋଲିନା ମୁଚୋଭା ବିପର୍ଯ୍ୟୟ ଘଟାଇଛନ୍ତି। ସେ ପ୍ରଥମ ରାଉଣ୍ଡରେ ଅଷ୍ଟମ ମାନ୍ୟତାପ୍ରାପ୍ତ ଗ୍ରିସ୍ ଲଳନା ମାରିଆ ସାକାରିଙ୍କୁ ସିଧାସଳଖ ୭-୬, ୭-୫ ସେଟ୍ରେ ପରାସ୍ତ କରି ଆରମ୍ଭରୁ ବିଦାୟ ରାସ୍ତା ଦେଖାଇଛନ୍ତି।
ସେହିପରି ୨୧ ମାନ୍ୟତାପ୍ରାପ୍ତ ମେଗ୍ଦା ଲିନେଟ, ୨୮ ମାନ୍ୟତାପ୍ରାପ୍ତ ଏଲିସେ ମର୍ତେନ୍ସ, ୨୯ ମାନ୍ୟତାପ୍ରାପ୍ତ ସୁଆଇ ଝାଙ୍ଗ୍ ମଧ୍ୟ ପ୍ରଥମ ରାଉଣ୍ଡ ପରାଜୟ ସହ ବିଦାୟ ନେଇଛନ୍ତି। ତେବେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ଆରିନା ସାବାଲେଙ୍କା ସହଜ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ସେ ପ୍ରଥମ ରାଉଣ୍ଡରେ ୟୁକ୍ରେନ୍ର ମାର୍ତା କୋସ୍ୟୁକ୍ଙ୍କୁ ୬-୩, ୬-୨ ସିଧାସଳଖ ସେଟ୍ରେ ପରାସ୍ତ କରି ଦ୍ବିତୀୟ ରାଉଣ୍ଡ ସ୍ଥାନ ପକ୍କା କରିଛନ୍ତି। ୧୯ ମାନ୍ୟତାପ୍ରାପ୍ତ କ୍ବିନ୍ୱେଙ୍ଗ୍ ଝେନ୍ ସିଧାସଳଖ ସେଟ୍ ବିଜୟ ସହ ପ୍ରଥମ ରାଉଣ୍ଡ ଅତିକ୍ରମ କରିଛନ୍ତି। ପୁରୁଷ ଏକକ ପ୍ରଥମ ରାଉଣ୍ଡରେ ପଞ୍ଚମ ମାନ୍ୟତା ଷ୍ଟିଫାନସ ସିସିପାସ, ଏକାଦଶ ମାନ୍ୟତା କାରେନ କାଚାନୋଭ୍, ତ୍ରୟୋଦଶ ମାନ୍ୟତା ହୁବର୍ଟ ହର୍କାଜ, ୨୪ ମାନ୍ୟତା ସେବାସ୍ତିଆନ କୋର୍ଡା ନିଜ ନିଜର ବିଜୟ ଅଭିଯାନ ଆରମ୍ଭ କରି ଦ୍ବିତୀୟ ରାଉଣ୍ଡରେ ପହଞ୍ଚିଯାଇଛନ୍ତି।