ଫ୍ରେଞ୍ଚ୍‌ ଓପନ୍‌ ଆରମ୍ଭ: ୩ ବର୍ଷ ପରେ ଦ୍ବିତୀୟ ରାଉଣ୍ଡରେ ଓସାକା

ପ୍ୟାରିସ୍‌, ୨୬/୫: ଚଳିତ ବର୍ଷର ଦ୍ବିତୀୟ ଗ୍ରାଣ୍ଡ ସ୍ଲାମ୍‌ ଟେନିସ ପ୍ରତିଯୋଗିତା ଫ୍ରେଞ୍ଚ୍‌ ଓପନ୍‌ ରବିବାରଠୁ ଆରମ୍ଭ ହୋଇଛି। ଜାପାନର ତାରକା ମହିଳା ଖେଳାଳି ନାଓମି ଓସାକା ପ୍ରାୟ ୩ ବର୍ଷ ପରେ ଏହି କ୍ଲେ କୋର୍ଟ ପ୍ରତିଯୋଗିତାର ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଏକକ ମୁକାବିଲାରେ ଏହି ୪ ଥର ଗ୍ରାଣ୍ଡ ସ୍ଲାମ୍‌ ବିଜୟିନୀ ୬-୧, ୪-୬, ୭-୫ ସେଟ୍‌ରେ ଇଟାଲିର ଲୁସିଆ ବ୍ରୋଞ୍ଜେଟିଙ୍କୁ ପରାସ୍ତ କରିଥିଲେ। ୨୦୧୭ ବିଜୟିନୀ ଲାଟଭିଆର ଜେଲିନା ଓଷ୍ଟାପେଙ୍କୋ ସହଜରେ ପ୍ରଥମ ରାଉଣ୍ଡ ବାଧା ଅତିକ୍ରମ କରିଛନ୍ତି। ସେ ୬-୪, ୭-୫ ସେଟ୍‌ରେ ରୋମାନିଆର ଜାକ୍‌ଲିନ୍‌ କ୍ରିଷ୍ଟିଆନଙ୍କୁ ହରାଇଥିଲେ।

ପୁରୁଷ ଏକକରେ ତୃତୀୟ ମାନ୍ୟତାପ୍ରାପ୍ତ କାର୍ଲୋସ ଅଲ୍‌କାରାଜ, ଷଷ୍ଠ ମାନ୍ୟତାପ୍ରାପ୍ତ ଆନ୍ଦ୍ରେ ରୁବଲେଭ ଓ ଦଶମ ମାନ୍ୟତାପ୍ରାପ୍ତ ଗ୍ରିଗୋର ଦିମିତ୍ରୋଭ ଦ୍ବିତୀୟ ରାଉଣ୍ଡରେ ପହଞ୍ଚିଛନ୍ତି। ଦୁଇ ଥରର ଗ୍ରାଣ୍ଡ ସ୍ଲାମ୍‌ ବିଜେତା ସ୍ପେନ୍‌ର ଅଲ୍‌କାରାଜ ୬-୧, ୬-୨, ୬-୧ ସେଟ୍‌ରେ ଆମେରିକାର ‌ଜେ.ଜେ. ‌ଓଲ୍‌ଫଙ୍କୁ, ରୁଷିଆର ରୁବଲେଭ ୬-୨, ୬-୭, ୬-୩, ୭-୫ ସେଟ୍‌ରେ ଜାପାନର ତାରୋ ଡାନିଏଲ୍‌ଙ୍କୁ ଏବଂ ବୁଲଗେରିଆର ଦିମିତ୍ରୋଭ ୬-୪, ୬-୩, ୬-୪ ସେଟ୍‌ରେ ଆମେରିକା ଆଲେକ୍‌ସାଣ୍ଡର କୋଭାସେଭିକ୍‌ଙ୍କୁ ପରାସ୍ତ କରିଛନ୍ତି।

ସମ୍ବନ୍ଧିତ ଖବର