ପ୍ୟାରିସ: ୨୦ ଗ୍ରାଣ୍ଡ ସ୍ଲାମ୍ ବିଜେତା ରୋଜର ଫେଡେରର୍ ଚଳିତ ଫ୍ରେଞ୍ଚ ଓପନ୍ ଅଧାରୁ ଓହରିଯାଇଛନ୍ତି। ଶନିବାର ବିଳମ୍ବିତ ରାତିରେ ଖେଳିଥିବା ପୁରୁଷ ଏକକ ତୃତୀୟ ରାଉଣ୍ଡ୍ ମ୍ୟାଚ୍ରେ କଷ୍ଟସାଧ୍ୟ ବିଜୟ ହାସଲ କରିଥିଲେ। ଦୁଇ ଥର ଆଣ୍ଠୁରେ ଅସ୍ତ୍ରୋପଚାର କରିସାରିଥିବା ଏହି ସ୍ବିଜରଲାଣ୍ଡ୍ ତାରକା ଯନ୍ତଣା ସତ୍ତ୍ବେ ଶନିବାର ମ୍ୟାଚ୍ରେ ପ୍ରାୟ ସାଢ଼େ ୩ ଘଣ୍ଟା ଲଢେଇ କରି ୭-୬, ୬-୭, ୭-୬, ୭-୫ ସେଟ୍ରେ ଜର୍ମାନିର ଡୋମିନିକ କୋଫରଙ୍କୁ ପରାସ୍ତ କରିଥିଲେ। ଚତୁର୍ଥ ରାଉଣ୍ଡ ତଥା ପ୍ରିକ୍ବାର୍ଟର ଫାଇନାଲ୍ରେ ଅଷ୍ଟମ ମାନ୍ୟତାପ୍ରାପ୍ତ ଫେଡେରର୍ ନବମ ମାନ୍ୟତାପ୍ରାପ୍ତ ଇଟାଲିର ମାତିଓ ବରେତିନିଙ୍କୁ ଭେଟିଥା’ନ୍ତେ। ହେଲେ ଆଣ୍ଠୁର ଯନ୍ତଣା ତାଙ୍କୁ ଏହିଠାରୁ ହିଁ ଓହରିଯିବାକୁ ବାଧ୍ୟ କରୁଛି ବୋଲି ରବିବାର ଫ୍ରେଞ୍ଚ୍ ଟେନିସ୍ ଫେଡେରେସନ୍ ଦ୍ବାରା ପ୍ରକାଶିତ ଏକ ବିବୃତି ଜରିଆରେ କହିଛନ୍ତି ଏହି ୩୯ ବର୍ଷ ବୟସ୍କ ଫେଡେରର୍। ଶନିବାର ମ୍ୟାଚ୍ ଜିତିବା ପରେ ‘‘ମୁଁ ଜାଣିନି, ଆଉ ଖେଳିପାରିବି କି ନାହିଁ। ମୋତେ ଏବେ ସ୍ଥିର କରିବାକୁ ପଡ଼ିବ।
ଗତବର୍ଷ ଦୁଇ ଥର ଅସ୍ତ୍ରୋପଚାର କରିଥିବା ଆଣ୍ଠୁ ଉପରେ ଅଧିକ ଚାପ ପକାଇବା ଅତ୍ୟନ୍ତ ବିପଦଜନକ ହେବ କି? ବିଶ୍ରାମ ନେବା ପାଇଁ ଏହା ପ୍ରକୃଷ୍ଟ ସମୟ କି? ଏହା ଉପରେ ମୋତେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ପଡ଼ିବ। ପ୍ରତ୍ୟେକ ମ୍ୟାଚ୍ ପରେ ପରିସ୍ଥିତିକୁ ଆକଳନ କରିବାକୁ ପଡ଼ୁଛି। ମ୍ୟାଚ୍ ପରଦିନ ସକାଳେ ମୋ ଆଣ୍ଠୁ କିପରି ରହିଛି ଦେଖିବାକୁ ପଡ଼ୁଛି।’’ ବୋଲି ସେ କହିଥିଲେ। ଶେଷରେ ତୃତୀୟ ରାଉଣ୍ଡ ବିଜୟର ଗୋଟିଏ ଦିନ ପରେ ତଥା ରବିବାର ଓହରିଯିବାକୁ ବାଧ୍ୟ ହେଲେ ବୋଲି ଟ୍ବିଟ୍ କରିଛନ୍ତି। ‘‘ମୋ ଦଳ ସହ ଆଲୋଚନା ପରେ ଓହରିଯିବାକୁ ନିଷ୍ପତ୍ତି ନେଲି। ଆହୁରି ୪ ମ୍ୟାଚ୍ ରହିଥିବାରୁ କୋର୍ଟକୁ ଫେରିବା ସହଜ ହୋଇନପାରେ। ସ୍ବାସ୍ଥ୍ୟ ପ୍ରତି ଅଧିକ ରିସ୍କ ନେବାକୁ ମଧ୍ୟ ଚାହୁଁନି। ଏଥିପାଇଁ ଆୟୋଜକଙ୍କ ନିକଟରେ କ୍ଷମା ମାଗୁଛି’’ ବୋଲି ଫେଡେରର୍ କହିଥିଲେ।
ରୋଲାଁ ଗ୍ୟାରସ୍ ପ୍ରତିଯୋଗିତା ଆୟୋଜକ ମଧ୍ୟ ତାଙ୍କ ଓହରି ଯିବା ନେଇ ସ୍ପଷ୍ଟ କରିଛନ୍ତି। ତାଙ୍କ ଅସୁବିଧାକୁ ହୃଦୟଙ୍ଗମ କରି ଟୁର୍ଣ୍ଣାମେଣ୍ଟ ଡାଇରେକ୍ଟର ଗୟ ଫରଗେଟ୍ ଫେଡେରର୍ଙ୍କ ପାଇଁ ଚଳିତ ଋତୁ ଶୁଭଙ୍କର ହେଉ ବୋଲି କହିଛନ୍ତି। ଫଳରେ ପ୍ରାୟ ୪ ଦଶନ୍ଧୀରୁ ଅଧିକ ସମୟ ଧରି ନିଜର ଫ୍ରେଞ୍ଚ୍ ଓପନ୍ କ୍ୟାରିୟରର ଦୁଃଖଦ ଅନ୍ତ ଘଟାଇଛନ୍ତି ଫେଡେରର୍। ଫେଡେରର୍ ଓହରିଯିବାରୁ ତାଙ୍କ ପ୍ରିକ୍ବାର୍ଟର ଫାଇନାଲ୍ ପ୍ରତିଦ୍ବନ୍ଦ୍ବୀ ଅନାୟାସରେ କ୍ବାର୍ଟର ଫାଇନାଲ ପହଞ୍ଚିବା ନିଶ୍ଚିତ ହୋଇଯାଇଛି।
ରବିବାର ଖେଳାଯାଇଥିବା ପୁରୁଷ ଏକକ ଚତୁର୍ଥ ରାଉଣ୍ଡରେ ପଞ୍ଚମ ମାନ୍ୟତା ଷ୍ଟିଫାନୋସ ସିସିପାସ ଏବଂ ଦ୍ବିତୀୟ ମାନ୍ୟତାପ୍ରାପ୍ତ ଦାନିଲ ମେଦଭେଦେଭ ନିଜ ନଜ ମ୍ୟାଚ୍ ଜିତି ପ୍ରିକ୍ବାର୍ଟର ଫାଇନାଲ୍ ସ୍ଥାନ ପକ୍କା କରିଛନ୍ତି। ଗତ ଥରର ସେମିଫାଇନାଲିଷ୍ଟ ଗ୍ରିସ୍ ତାରକା ସିସିପାସ ୬-୩, ୬-୨ ଓ ୭-୫ ସିଧାସଳଖ ସେଟ୍ରେ ଦ୍ବାଦଶ ମାନ୍ୟତାପ୍ରାପ୍ତ ସ୍ପେନ୍ର ପାବ୍ଲୋ କାରିନୋ ବୁସ୍ତାଙ୍କୁ ଏବଂ ଅଷ୍ଟ୍ରେଲିଆନ୍ ଓପନ୍ ଉପବିଜେତା ରୁଷିଆର ମେଦଭେଦେଭ ୬-୨, ୬-୧ ଓ ୭-୫ ସିଧାସଳଖ ସେଟ୍ରେ ୨୨ ମାନ୍ୟତାପ୍ରାପ୍ତ ଚିଲିର କ୍ରିଷ୍ଟିଆନ୍ ଗାରିନଙ୍କୁ ପରାସ୍ତ କରିଥିଲେ।