ପ୍ୟାରିସ୍: ଚଳିତ ଫ୍ରେଞ୍ଚ୍ ଓପନ୍ ଗ୍ରାଣ୍ଡସ୍ଲାମ୍ ଟେନିସ୍ ପ୍ରତିଯୋଗିତାର ମହିଳା ଏକକ ଟ୍ରଫି ଜିତି ନେଇଛନ୍ତି ଆମେରିକାର କୋକୋ ଗଫ୍। ଶନିବାର ରାତିର ତୀବ୍ର ସଂଘର୍ଷପୂର୍ଣ୍ଣ ଫାଇନାଲ୍ରେ ଶୀର୍ଷ ସିଡ୍ ବେଲାରୁଷର ଆରିନା ସାବାଲେଙ୍କାଙ୍କୁ ୭-୬, ୬-୨, ୬-୪ରେ ପରାସ୍ତ କରି ରୋଲାଁ ଗ୍ୟାରୋସ୍ରେ ପ୍ରଥମ ଥର ପାଇଁ ଟ୍ରଫି ଜିତିବାର ଗୌରବ ଅର୍ଜନ କରିଛନ୍ତି ଏହି ଦ୍ବିତୀୟ ସିଡ୍ ଖେଳାଳି। ୨୦୨୩ ମସିହାରେ ଘରୋଇ ପରିବେଶରେ ୟୁଏସ୍ ଓପନ୍ ଜିତିଥିବା ୨୧ବର୍ଷୀୟା ଗଫ୍ଙ୍କ କ୍ୟାରିୟରର ଏହା ହେଉଛି ଦ୍ବିତୀୟ ଗ୍ରାଣ୍ଡସ୍ଲାମ୍ ବିଜୟ। ଅନ୍ୟପକ୍ଷରେ ନିଜ ପ୍ରଥମ ଫ୍ରେଞ୍ଚ୍ ଓପନ୍ ବିଜୟ ଲକ୍ଷ୍ୟରେ ଥିବା ସାବାଲେଙ୍କା ଲଢ଼ୁଆ ଖେଳିବା ସତ୍ତ୍ବେ ଉପବିଜେତାରେ ସନ୍ତୁଷ୍ଟ ରହିଛନ୍ତି। ଫଳରେ କ୍ୟାରିୟର୍ର ଚତୁର୍ଥ ଗ୍ରାଣ୍ଡସ୍ଲାମ୍ ବିଜୟରୁ ବଞ୍ଚିତ ହୋଇଛନ୍ତି। ୨୭ ବର୍ଷୀୟା ସାବାଲେଙ୍କା ପ୍ରଥମ ସେଟ୍କୁ ଟାଇବ୍ରେକର୍ରେ ୭-୬ରେ ଜିତିବା ପରେ ଟ୍ରଫି ବିଜୟଠାରୁ ଗୋଟି ସେଟ୍ ଦୂରରେ ଥିଲେ। ତେବେ ଗଫ୍ ଦ୍ବିତୀୟ ସେଟ୍ରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ସ୍ଥିତି ୧-୧ କରିନେବା ପରେ ସେ ଚାପରେ ପଡ଼ି ଯାଇଥିଲେ। ଶେଷରେ ନିର୍ଣ୍ଣାୟକ ତୃତୀୟ ସେଟ୍କୁ ୨ ପଏଣ୍ଟ୍ ବ୍ୟବଧାନରେ ଜିତି ଗଫ୍ ଇତିହାସ ରଚିଥିଲେ। ଚମତ୍କାର ସର୍ଭିସ୍ କରୁଥିବା ସାବାଲେଙ୍କାଙ୍କ ୫୧ଟି ଅନିଚ୍ଛାକୃତ ତ୍ରୁଟି ଶେଷରେ ମହଙ୍ଗା ସାବ୍ୟସ୍ତ ହୋଇଥିଲା।
ଜୋକୋଭିକ୍ଙ୍କ ଯୁଗ ଶେଷ!
ପ୍ୟାରିସ୍: ଫ୍ରେଞ୍ଚ୍ ଓପନ୍ ସେମିଫାଇନାଲ୍ ପରାଜୟ ପରେ ୨୪ ଗ୍ରାଣ୍ଡ୍ ସ୍ଲାମ ବିଜେତା ନୋଭାକ ଜୋକୋଭିକ୍ ଅବସର ଆଭାସ ଦେଇଛନ୍ତି। କିନ୍ତୁ ଆନୁଷ୍ଠାନିକ ଭାବେ କିଛି ଘୋଷଣା କରିନାହାନ୍ତି। ପୂର୍ବରୁ ରାଫେଲ୍ ନାଦାଲ, ରୋଜର ଫେଡେରର୍ ଅବସର ନେଇ ସାରିଥିବାରୁ ଜୋକୋଭିକ୍ଙ୍କ ଅବସର ଘୋଷଣା ସହ ‘ବିଗ୍-ଥ୍ରୀ’ଙ୍କ ଯୁଗର ବି ଅବସାନ ଘଟିବ ବୋଲି କୁହାଯାଉଛି। ଶୁକ୍ରବାର ମଧ୍ୟ ରାତିରେ କୋଭୋଭିକଙ୍କୁ ଏକ ନମ୍ବର ଇଟାଲି ଖେଳାଳି ୟାନିକ୍ ସିନ୍ନର ସିଧାସଳଖ ସେଟ୍ ୬-୪, ୭-୫, ୭-୬ (୭-୩)ରେ ପରାସ୍ତ କରିଥିଲେ। ରବିବାର ସିନ୍ନର ଏବଂ କାର୍ଲୋସ ଆଲକାରାଜଙ୍କ ମଧ୍ୟରେ ଐତିହାସିକ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଉଭୟ ପ୍ରଥମ ଥର ପାଇଁ ଏକ ଗ୍ରାଣ୍ଡ୍ ସ୍ଲାମ ଫାଇନାଲ୍ରେ ମୁହାଁମୁହିଁ ହେବାକୁ ଯାଉଛନ୍ତି। ୨୨ ବର୍ଷୀୟ ଆଲକାରାଜ ପଞ୍ଚମ ଗ୍ରାଣ୍ଡ ସ୍ଲାମ ଜିତିଲେ ରାଫେଲ୍ ନାଦାଲଙ୍କ ରେକର୍ଡର ସମକକ୍ଷ ହୋଇପାରିବେ। ସମାନ ବୟସରେ ୨୦୦୮ରେ ରୋଜର ଫେଡେରରଙ୍କୁ ହରାଇ ନାଦାଲ ୱିମ୍ବଲଡନ୍ ଟ୍ରଫି ଜିତିଥିଲେ।