ଫ୍ରେଞ୍ଚ୍‌ ଓପନ୍‌ ଗ୍ରାଣ୍ଡ୍‌ ସ୍ଲାମ୍‌ ଟେନିସ ପ୍ରତିଯୋଗିତାର ପ୍ରିକ୍ବାର୍ଟରରେ ଗଫ୍‌, ଆନିସିମୋଭା

ପ୍ୟାରିସ : ଦୁଇ ଆମେରିକା ଯୁବତୀ ୧୮ ବର୍ଷୀୟା କୋକୋ ଗଫ ଏବଂ ୨୧ ମାନ୍ୟତାପ୍ରାପ୍ତ ଅମନ୍ଦା ଆନିସିମୋଭା ଏଠାରେ ଚାଲିଥିବା ଫ୍ରେଞ୍ଚ୍‌ ଓପନ୍‌ ଗ୍ରାଣ୍ଡ୍‌ ସ୍ଲାମ୍‌ ଟେନିସ ପ୍ରତିଯୋଗିତାର ପ୍ରିକ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଶୁକ୍ରବାର ତୃତୀୟ ରାଉଣ୍ଡରେ ଅଷ୍ଟାଦଶ ମାନ୍ୟତାପ୍ରାପ୍ତ ଗଫ ନିଜଠୁ ଦୁଇଗୁଣ ଅଧିକ ବୟସ୍କା କାଇଆ କାନୋପିଙ୍କୁ ୬-୩, ୬-୪ ସେଟ୍‌ରେ ପରାସ୍ତ କରିଥିଲେ। ପ୍ରିକ୍ବାର୍ଟରରେ ସେ ବେଲ୍‌ଜିୟମର ଏଲିସ ମର୍ତେନ୍ସଙ୍କୁ ଭେଟିବେ। ୩୧ ମାନ୍ୟତାପ୍ରାପ୍ତ ମର୍ତେନ୍ସ ୬-୨, ୬-୩ ସେଟ୍‌ରେ ରୁଷିଆର ଭାର୍ବେରା ଗ୍ରାଚେଭାଙ୍କୁ ହରାଇଥିଲେ। ଚେକ୍‌ଗଣରାଜ୍ୟର କାରୋଲିନାଙ୍କ ‌ଗୋଇଠି ଯନ୍ତ୍ରଣା ହେବାରୁ ଆନିସିମୋଭା ୱାକ୍‌ଓଭର ପାଇ ପ୍ରିକ୍ବାର୍ଟରେ ପହଞ୍ଚିଥିଲେ। ତେବେ ୩ ଗ୍ରାଣ୍ଡ ସ୍ଲାମ୍‌ ବିଜୟିନୀ ଆଞ୍ଜେଲିକ୍‌ କର୍ବର, ୨୦୧୭ ବିଜୟିନୀ ଜେଲିନା ଓଷ୍ଟାପେଙ୍କୋ ଏବଂ ୧୪ ମାନ୍ୟତାପ୍ରାପ୍ତ ବେଲିଣ୍ଡା ବେନସିକଙ୍କ ଅଭିଯାନ ତୃତୀୟ ରାଉଣ୍ଡରେ ଶେଷ ହୋଇଛି। ୨୧ ମାନ୍ୟତାପ୍ରାପ୍ତ ଜର୍ମାନୀର କର୍ବର ୪-୬, ୬-୭ ସେଟ୍‌ରେ ବେଲାରୁଷର ଆଲିଆକସାନ୍ଦ୍ରା ସାସନୋଭିକଙ୍କଠୁ, ଲାଟଭିଆର ଓଷ୍ଟାପେଙ୍କୋ ୦-୬, ୬-୧, ୩-୬ ସେଟ୍‌ରେ ଅଲିଜ୍‌ କର୍ଣ୍ଣେଟଙ୍କଠୁ ଏବଂ ସ୍ବିଜରଲାଣ୍ଡର ବେନସିକ ୫-୭, ୬-୩, ୫-୭ ସେଟ୍‌ରେ ୧୭ ମାନ୍ୟତାପ୍ରାପ୍ତ କାନାଡ଼ାର ଲିଲା ଆନି ଫର୍ଣ୍ଣାଡେଜଙ୍କଠୁ ହାରି ଯାଇଥିଲେ।

ଜୋକୋଭିକ, ନାଦାଲଙ୍କ ସହଜ ବିଜୟ
ପୁରୁଷ ଏକକରେ ଦୁଇ ତାରକା ଖେଳାଳି ଏକ ନମ୍ବର ନୋଭାକ ଜୋକୋଭିକ ଓ ପାଞ୍ଚ ନମ୍ବର ରାଫେଲ ନାଦାଲ ସହଜ ବିଜୟ ସହ ପ୍ରିକ୍ବାର୍ଟର ଫାଇନାଲ୍‌ ସ୍ଥାନ ନିଶ୍ଚିତ କରିଛନ୍ତି। ଶୁକ୍ରବାର ତୃତୀୟ ରାଉଣ୍ଡରେ ସର୍ବିଆ ତାରକା ଜୋକୋଭିକ ୬-୩, ୬-୩, ୬-୨ ସେଟ୍‌ରେ ଲାଟିଭିଆର ଅଲ୍‌ଜାଜଙ୍କୁ ଏବଂ ସ୍ପେନ୍‌ ତାରକା ନାଦାଲ ୬-୩, ୬-୨, ୬-୪ ସେଟ୍‌ରେ ନେଦରଲାଣ୍ଡ୍ସର ବୋଟିକ ଭାନ ଡି’ଜାନ୍ଦସ୍କୁପଙ୍କୁ ପରାସ୍ତ କରିଥିଲେ। ସେହିପରି ନବମ ମାନ୍ୟତାପ୍ରାପ୍ତ ଫେଲିକ୍ସ ଅଗର-ଆଲିଆସିମେ ଓ ପଞ୍ଚଦଶ ମାନ୍ୟତାପ୍ରାପ୍ତ ଡିଓଗୋ ସ୍ବର୍ଜମାନ ତୃତୀୟ ରାଉଣ୍ଡ ବାଧା ଅତିକ୍ରମ କରିଛନ୍ତି। କାନାଡ଼ାର ଅଗର-ଆଲିଆସିମେ ୭-୬, ୭-୬, ୭-୫ ସେଟ୍‌ରେ ସର୍ବିଆର ଫିଲିପ କ୍ରାଜିନୋଭିକଙ୍କୁ ଏବଂ ସ୍ବର୍ଜମାନ ୬-୩, ୬-୧, ୬-୧ ସେଟ୍‌ରେ ଅଷ୍ଟାଦଶ ମାନ୍ୟାତାପ୍ରାପ୍ତ ଗ୍ରିଗୋର ଦିମିତ୍ରୋଭଙ୍କୁ ହରାଇଥିଲେ।

ସମ୍ବନ୍ଧିତ ଖବର