ଫ୍ରେଞ୍ଚ୍‌ ଓପନ୍‌: ସେମି ଫାଇନାଲ୍‌ରେ ଜିଦାଁସେକ, ପ୍ରଥମ ସ୍ଲୋଭେନିଆ ମହିଳା

ପ୍ୟାରିସ: ବିଶ୍ବର ୮୫ ମାନ୍ୟତାପ୍ରାପ୍ତ ତାମରା ଜିଦାଁସେକ କୌଣସି ଗ୍ରାଣ୍ଡ ସ୍ଲାମ୍‌ ସେମିଫାଇନାଲ୍‌ରେ ପହଞ୍ଚିବାରେ ପ୍ରଥମ ସ୍ଲୋଭେନିଆ ମହିଳା ହୋଇଛନ୍ତି। ଚଳିତ ଫ୍ରେଞ୍ଚ୍‌ ଓପନ୍‌ର ଗୁରୁବାର କ୍ବାର୍ଟର୍‌ ଫାଇନାଲ୍‌ରେ ଜିଦାଁସେକ ୭-୫, ୪-୬, ୮-୬ ସେଟ୍‌ରେ ସ୍ପେନ୍‌ର ପୌଲା ବାଦୋସାଙ୍କୁ ପରାସ୍ତ କରିଥିଲେ। ଫାଇନାଲ୍‌ ସ୍ଥାନ ପାଇଁ ଶନିବାର ଖେଳାଯିବାକୁ ଥିବା ସେମିଫାଇନାଲ୍‌ ଲଢ଼େଇରେ ସେ ୩୧ ମାନ୍ୟତାପ୍ରାପ୍ତ ଆନାସ୍ତେସିଆ ପାଭ୍‌ଲ୍ୟୁଚେଙ୍କୋଭାଙ୍କୁ ଭେଟିବେ। ରୁଷିଆର ପାଭ୍‌ଲ୍ୟୁଚେଙ୍କୋଭା ଗୁରୁବାରର ଅନ୍ୟ ଏକ କ୍ବାର୍ଟର ଫାଇନାଲ୍‌ ମୁକାବିଲାରେ ପ୍ରବଳ ସଂଘର୍ଷ କରି ୬-୭, ୬-୨, ୯-୭ ସେଟ୍‌ରେ ସେ‌ରେନା ୱିଲିୟମ୍‌ସଙ୍କୁ ତୃତୀୟ ରାଉଣ୍ଡରୁ ବିଦାୟ ରାସ୍ତ ଦେଖାଇଥିବା ୨୧ ମାନ୍ୟତାପ୍ରାପ୍ତ କାଜାଖସ୍ତାନର ଏଲିନା ରିବାକିନାଙ୍କୁ ମାତ୍‌ ଦେଇଥିଲେ।

ଅନ୍ୟପକ୍ଷରେ ପୂର୍ବତନ ବିଜୟିନୀ ପୋଲାଣ୍ଡ ଲଳନା ଈଗା ସ୍ବିତେକ କ୍ବାର୍ଟର ଫାଇନାଲ୍‌ ସ୍ଥାନ ପକ୍କା କରିଛନ୍ତି। ସୋମବାର ମଧ୍ୟରାତ୍ରରେ ଖେଳାଯାଇଥିବା ମହିଳା ଏକକ ଚତୁର୍ଥ ପର୍ଯ୍ୟାୟରେ ଅଷ୍ଟମ ମାନ୍ୟତାପ୍ରାପ୍ତ ସ୍ବିତେକ ସିଧାସଳଖ ୬-୩, ୬-୪ ସେଟ୍‌ରେ ୟୁକ୍ରେନ୍‌ର ମାର୍ତା କୋସ୍ତୟୁକଙ୍କୁ ପରାସ୍ତ କରିଥି‌ଲେ। ଏଥିସହ ସ୍ବିତେକ ରୋଲାଁ ଗ୍ୟାରୋସରେ ଲଗାତାର ୨୨ ସେଟ୍‌ ବିଜୟ ପାଇଥିଲେ। ସେ କ୍ବାର୍ଟର ଫାଇନାଲ୍‌ରେ ଗ୍ରିକ୍‌ର ୧୭ ମାନ୍ୟତାପ୍ରାପ୍ତ ମାରିଆ ସାକାରିଙ୍କୁ ଭେଟିବେ। ସ୍ବିତେକ ‌ଯଦି ଚଳିତ ବର୍ଷ ଏଠାରେ ବିଜୟିନୀ ହୁଅନ୍ତି ‌ତେବେ ଜଷ୍ଟିନ ହେନିନ (୨୦୦୭)ଙ୍କ ପରେ ରୋଲାଁ ଗ୍ୟାରୋସରେ ଟ୍ରଫି ବଜାୟ ରଖିବାରେ ପ୍ରଥମ ମହିଳା ହେବେ।

ପୁରୁଷ ଏକକରେ ସ୍ପେନ୍‌ ତାରକା ରାଫେଲ ନାଦାଲ ୧୫ ଥର ଲାଗି ଫ୍ରେଞ୍ଚ୍‌ ଓପନ୍‌ କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ସୋମବାର ଖେଳାଯାଇଥିବା ପ୍ରିକ୍ବାର୍ଟର ଫାଇନାଲ୍‌ରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ନାଦାଲ ୭-୫, ୬-୩, ୬-୦ ସେଟ୍‌ରେ ୧୯ ବର୍ଷୀୟ ଇଟାଲିର ଜାନିକ ସିନ୍ନରଙ୍କୁ ପରାସ୍ତ କରି ‌ରୋଲାଁ ଗାରୋସରେ ୧୪ ଏବଂ କୀର୍ତ୍ତିମାନ ଭରା ୨୧ ଗ୍ରାଣ୍ଡ ସ୍ଲାମ୍‌ ଟ୍ରଫି ଦିଗରେ ଆଉ ଏକ ପାଦ ଅଗକୁ ବଢ଼ାଇଛନ୍ତି। କ୍ବାର୍ଟର ଫାଇନାଲ୍‌ରେ ସେ ଦଶମ ମାନ୍ୟତାପ୍ରାପ୍ତ ଡିଏଗୋ ସ୍ବର୍ଜମାନଙ୍କୁ ଭେଟିବେ। ଗତ ବର୍ଷ ଆର୍ଜେଣ୍ଟିନାର ସ୍ବର୍ଜମାନ ସେମିଫାଇନାଲ୍‌ରେ ନାଦାଲ୍‌ଙ୍କୁ ହରାଇ ବିଦାୟ ରାସ୍ତା ଦେଖାଇଥିଲେ।

ସମ୍ବନ୍ଧିତ ଖବର