ପ୍ୟାରିସ: ସ୍ଥାନୀୟ ଯୋଡ଼ି କାରୋଲିନା ଗାର୍ସିଆ ଓ କ୍ରିଷ୍ଟିନା ମ୍ଲାଡେନୋଭିକ ଫ୍ରେଞ୍ଚ୍ ଓପନ୍ ମହିଳା ଯୁଗଳ ଟ୍ରଫି କରାୟତ୍ତ କରିଛନ୍ତି। ରବିବାର ଫାଇନାଲ୍ରେ ଏହି ଫ୍ରାନ୍ସ ଯୋଡ଼ି ୨-୬, ୬-୩, ୬-୨ ସେଟ୍ରେ ଆମେରିକାର କୋକୋ ଗଫ୍ ଓ ଜେସିକା ପେଗୁଲାଙ୍କୁ ମାତ୍ ଦେଇଥିଲେ। ୨୪ ଘଣ୍ଟା ଭିତରେ ଗଫ୍ଙ୍କ ଏହା ଦ୍ବିତୀୟ ଫାଇନାଲ୍ ପରାଜୟ। ଶନିବାର ମହିଳା ଏକକ ଫାଇନାଲ୍ରେ ୧୮ ବର୍ଷୀୟ ଗଫ୍ ଶୀର୍ଷ ମାନ୍ୟତାପ୍ରାପ୍ତ ଈଗା ସ୍ବିତେକଙ୍କଠୁ ହାରି ବିଜେତା ଟ୍ରଫି ଜିତିବାରେ ବିଫଳ ହୋଇଥିଲେ। ପ୍ୟାରିସରେ ୨୧ ବର୍ଷ ମଧ୍ୟରେ ଗଫ୍ ସର୍ବକନିଷ୍ଠ ଖେଳାଳି ଭାବେ ଦୁଇଟି ଫାଇନାଲ୍ ଖେଳିଥିଲେ। ହେଲେ ବିପକ୍ଷ ପ୍ରତିଦ୍ବନ୍ଦ୍ବୀଙ୍କୁ ଅଟକାଇବାକୁ ସମର୍ଥ ହୋଇନଥିଲେ। ଅନ୍ୟପକ୍ଷରେ ରୋଲାଁ ଗ୍ୟାରସରେ ଗାର୍ସିଆ ଓ ମ୍ଲାଡେନୋଭିକଙ୍କ ଏହା ଦ୍ବିତୀୟ ଟ୍ରଫି। ଉଭୟ ୨୦୧୬ରେ ଏଠାରେ ଟ୍ରଫି ଜିତିଥିଲେ। ମ୍ଲାଡେନୋଭିକଙ୍କ ଏହା ଚତୁର୍ଥ ଫ୍ରେଞ୍ଚ୍ ଓପନ୍ ଏବଂ ଷଷ୍ଠ ଗ୍ରାଣ୍ଡ ସ୍ଲାମ୍ ମୁକୁଟ। ୨୦୧୮ ଓ ୨୦୨୦ରେ ମ୍ଲାଡେନୋଭିକ ତିମିଆ ବାବୋସଙ୍କୁ ସାଥୀ କରି ଏଠାରେ ଟ୍ରଫି ଜିତିଥିଲେ।
ଏଇ ସାଲ୍ଭାଡୋରର ମାର୍ସିଲୋ ଆରେଭାଲୋ କେନ୍ଦ୍ର ଆମେରିକାର ପ୍ରଥମ ଖେଳାଳି ଭାବେ ଗ୍ରାଣ୍ଡ ସ୍ଲାମ୍ ଟ୍ରଫି ଜିତିଛନ୍ତି। ନେଦରଲାଣ୍ଡ୍ସର ଜିଅନ୍-ଜୁଲିଏନ ରୋଜରଙ୍କୁ ସଥୀ କରି ସେ ଫ୍ରେଞ୍ଚ୍ ଓପନ୍ ପୁରୁଷ ଯୁଗଳ ଟ୍ରଫି କରାୟତ୍ତ କରିଛନ୍ତି। ଶନିବାର ମଧ୍ୟ ରାତ୍ରରେ ଖେଳାଯାଇଥିବା ଫାଇନାଲ୍ରେ ଦ୍ବାଦଶ ମାନ୍ୟତାପ୍ରାପ୍ତ ଏହି ସାଲ୍ଭାଡୋର-ନେଦରଲାଣ୍ଡ୍ସ ଯୋଡ଼ି ୬-୭ (୪), ୭-୬ (୫), ୬-୩ ସେଟ୍ରେ କ୍ରୋଏସିଆର ଇଭାନ ଡୋଡିଗ ଓ ଆମେରିକାର ଅଷ୍ଟିନ କ୍ରାଜିସେକଙ୍କୁ ପରାସ୍ତ କରିଥିଲେ। ଗତ ବର୍ଷ ୟୁଏସ୍ ଓପନ୍ ଫାଇନାଲ୍ ପହଞ୍ଚିବାରେ ମଧ୍ୟ ଆରେଭାଲୋ କେନ୍ଦ୍ର ଆମେରିକାର ପ୍ରଥମ ଖେଳାଳି ହୋଇଥିଲେ।