ଫ୍ରେଞ୍ଚ ଓପନ: ପେଗୁଲା, ରୁବଲେଭଙ୍କ ଅଭିଯାନ ଶେଷ

ପ୍ୟାରିସ୍‌: ବିଶ୍ବର ତୃତୀୟ ମାନ୍ୟତାପ୍ରାପ୍ତ ଜେସିକା ପେଗୁଲାଙ୍କ ପ୍ରଥମ ଗ୍ରାଣ୍ଡସ୍ଲାମ୍‌ ଟ୍ରଫି ପାଇବା ସ୍ବପ୍ନ ଅଧୁରା ରହିଯାଇଛି। ଶୁକ୍ରବାର ଫ୍ରେଞ୍ଚ ଓପନ ମହିଳା ଏକକ ତୃତୀୟ ରାଉଣ୍ଡରେ ପେଗୁଲାଙ୍କୁ ୨୮ ମାନ୍ୟତାପ୍ରାପ୍ତ ବେଲ୍‌ଜିଆନ୍‌ ଇଲିସ୍‌ ମା‌ର୍ଟିନ୍ସ ୬-୧, ୬-୩ ସେଟ୍‌ରେ ପରାସ୍ତ କରିଥିଲେ। ଅନ୍ୟପକ୍ଷରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ସାବାଲେଙ୍କା ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଶୁକ୍ରବାର ତୃତୀୟ ରାଉଣ୍ଡରେ ସାବାଲେଙ୍କା ୬-୨, ୬-୨ ସେଟ୍‌ରେ ରୁଷିଆର କାମିଲା ରାକ୍ଷୀମୋଭାଙ୍କୁ ହରାଇଥିଲେ। ଅନ୍ୟଏକ ମ୍ୟାଚ୍‌ରେ ନବମ ମାନ୍ୟତାର ଦାରିଆ କସତକିନା ୬-୦, ୬-୧ ସେଟ୍‌ରେ ଆମେରିକାର ପେୟଟନ୍‌ ଷ୍ଟର୍ଣ୍ଣ୍ସଙ୍କୁ ହରାଇ ଚତୁର୍ଥ ରାଉଣ୍ଡରେ ପହଞ୍ଚିଛନ୍ତି। ପୁରୁଷ ଏକକରେ ସପ୍ତମ ମାନ୍ୟତାପ୍ରାପ୍ତ ଆନ୍ଦ୍ରେ ରୁବଲେଭଙ୍କ ଫେଞ୍ଚ ଓପନ୍‌ ଅଭିଯାନ ଶେଷ ହୋଇଛି। ତୃତୀୟ ରାଉଣ୍ଡ ମୁକାବିଲାରେ ଇଟାଲିର ଲରେଞ୍ଜୋ ସୋନେଗୋ ୫-୭, ୦-୬, ୬-୩, ୭-୬, ୬-୩ ସେଟ୍‌ରେ ରୁବଲେଭ୍‌ଙ୍କୁ ପରାଜିତ କରିଥିଲେ।

ପୁରୁଷ ଯୁଗଳରେ ଶୀର୍ଷ ମାନ୍ୟତାପ୍ରାପ୍ତ ଯୋଡ଼ି ୱେସଲି କୁଲହଫ୍‌ ଓ ନିଲ୍‌ ସ୍କୁପସ୍କି ୬-୪, ୬-୨ରେ ପେଡ୍ରୋ କାଚିନ୍‌ ଓ ଉ ୟିବିଂଙ୍କ ଯୋଡ଼ିକୁ ହରାଇ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେହିପରି ଦ୍ବିତୀୟ ମାନ୍ୟତାପ୍ରାପ୍ତ ରାଜୀବ ରାମ-ଜୋ ସାଲିସବରିଙ୍କ ଯୋଡ଼ି ୱାକଓଭର ପାଇଁ ପରବର୍ତ୍ତୀ ରାଉଣ୍ଡରେ ପହଞ୍ଚିଛନ୍ତି। ଅନ୍ୟଏକ ଦ୍ବିତୀୟ ରାଉଣ୍ଡ ମ୍ୟାଚ୍‌ରେ ଚତୁର୍ଥ ମାନ୍ୟତାପ୍ରାପ୍ତ ଇଭାନ୍‌ ଡଡିଗ୍‌-ଅଷ୍ଟିନ୍‌ କ୍ରାଜିସେକ୍‌ଙ୍କ ଯୋଡ଼ି ୭-୫, ୬-୨ରେ ମାର୍କ ଆନ୍ଦ୍ରିଆ ହ୍ୟୁସଲର ଓ ନିକୋଲାସ ଜାରିଙ୍କୁ ହରାଇଥିଲା ବେଳେ ସପ୍ତମମାନ୍ୟତାପ୍ରାପ୍ତ ହ୍ୟୁଗୋ ନ୍ୟାସ ଓ ଜାନ୍‌ ଜିଲିନସ୍କିଙ୍କ ଯୋଡ଼ି ୬-୭, ୪-୬ ସେଟ୍‌ରେ ମାର୍ସେଲୋ ମେଲୋ ଓ ଜନ୍‌ ପିଅର୍ସଙ୍କ ଯୋଡ଼ିଠୁ ପରାଜିତ ହୋଇ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। ମହିଳା ଯୁଗଳରେ ପଞ୍ଚମ ମାନ୍ୟତାପ୍ରାପ୍ତ ଡିସାରି କ୍ରକଜିକ୍‌ ଓ ଡେମି ସ୍କର୍ସଙ୍କ ଯୋଡ଼ି ଏବଂ ଅଷ୍ଟମ ମାନ୍ୟତାପ୍ରାପ୍ତ ଲୁଇସା ଷ୍ଟେଫାନି ଓ ଗାବ୍ରିଏଲା ଦାବ୍ରୋସ୍କିଙ୍କ ଯୋଡ଼ି ନିଜନିଜର ମ୍ୟାଚ୍‌ ଜିତି ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।

ସମ୍ବନ୍ଧିତ ଖବର