ଫ୍ରେଞ୍ଚ ଓପନ୍‌: ଜ୍ବର ଯୋଗୁଁ ଓହରିଲେ ରିବାକିନା

ପ୍ରିକ୍ବାର୍ଟରରେ ସ୍ବିତେକ, ଗଫ୍‌, ରୁଡ, ରୁନେ

ପ୍ୟାରିସ: ବିଶ୍ବର ଏକ ନମ୍ବର ମହିଳା ଟେନିସ ଖେଳାଳି ଈଗା ସ୍ବିତେକ ଏବଂ ଷଷ୍ଠ ମାନ୍ୟତାପ୍ରାପ୍ତ କୋକୋ ଗଫ୍‌ ଚଳିତ ଫ୍ରେଞ୍ଚ ଓପନ୍‌ର ପ୍ରିକ୍ବାର୍ଟରଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ତେବେ ଜ୍ବର ଯୋଗୁଁ ଚତୁର୍ଥ ମାନ୍ୟତାପ୍ରାପ୍ତ ଏଲିନା ରିବାକିନା ଏହି ପ୍ରତିଯୋଗିତାରୁ ସମ୍ପୂର୍ଣ୍ଣ ‌ଓହରି ଯାଇଛନ୍ତି। ଫଳରେ କାଜାଖସ୍ତାନର ରିବାକିନାଙ୍କ ପ୍ରତିଦ୍ବନ୍ଦ୍ବୀ ସ୍ପେନ୍‌ର ସାରା ସୋରିବେସ ସହଜରେ ତୃତୀୟ ରାଉଣ୍ଡ ବାଧା ଅତିକ୍ରମ କରି ପ୍ରିକ୍ବାର୍ଟରଫାଇନାଲ୍‌ ସ୍ଥାନ ନିଶ୍ଚିତ କରିଛନ୍ତି। ଶନିବାର ମହିଳା ଏକକ ତୃତୀୟ ରାଉଣ୍ଡରେ ପୋଲାଣ୍ଡର ସ୍ବିତେକ ସିଧାସଳଖ ୬-୦, ୬-୦ ସେଟ୍‌ରେ ଚୀନ୍‌ର ୱାଙ୍ଗ ଜିନ୍‌ୟୁଙ୍କୁ ପରାସ୍ତ କରିଥିଲେ। ଏହି ମ୍ୟାଚ୍‌କୁ ୩ ଗ୍ରାଣ୍ଡ ସ୍ଲାମ୍‌ ବିଜୟିନୀ ୨୨ ବର୍ଷୀୟା ସ୍ବିତେକ ମାତ୍ର ୫୧ ମିନିଟ୍‌ରେ ଜିତିବା ସହ ୱାଙ୍ଗଙ୍କୁ କୌଣସି ପଏଣ୍ଟ ଦେଇନଥିଲେ। ଆମେରିକାର ଗଫ୍‌ ୬-୭, ୬-୧, ୬-୧ ସେଟ୍‌ରେ ରୁଷିଆର ମିରା ଆନ୍ଦ୍ରିଭାଙ୍କୁ ହରାଇଥିଲେ।

ପୁରୁଷ ଏକକ ପ୍ରିକ୍ବାର୍ଟରଫାଇନାଲ୍‌ରେ ଚତର୍ଥ ମାନ୍ୟତାପ୍ରାପ୍ତ କାସପର ରୁଡ୍‌, ଷଷ୍ଠ ମାନ୍ୟତାପ୍ରାପ୍ତ ହୋଲଗର ରୁନେ ଓ ୨୭ ମାନ୍ୟତାପ୍ରାପ୍ତ ୟୋସିହୋତୋ ନିସିଓକା ପହଞ୍ଚିଛନ୍ତି। ନରୱେର ରୁଡ୍‌ ୪-୬, ୬-୪, ୬-୧, ୬-୪ ସେଟ୍‌ରେ ଚୀନ୍‌ର ଝାଙ୍ଗ ଝିଝେନ୍‌ଙ୍କୁ, ଡେନ୍‌ମାର୍କର ରୁନେ୬-୪, ୬-୧, ୬-୩ ସେଟ୍‌ରେ ଆର୍ଜେଣ୍ଟିନାର ଜେନାରୋ ଓଲିଭିଏରିଙ୍କୁ ଏବଂ ଜାପାନର ନିସିଓକା ୩-୬, ୭-୬, ୨-୬, ୬-୪, ୬-୦ ସେଟ୍‌ରେ ବ୍ରାଜିଲର ସେବୋଥ ୱିଲ୍ଡଙ୍କୁ ପରାସ୍ତ କରିଥିଲେ। ହେଲେ ପଞ୍ଚଦଶ ମାନ୍ୟତାପ୍ରାପ୍ତ ବୋର୍ଣ୍ଣା ‌‌‌କୋରିକଙ୍କ ଅଭିଯାନ ତୃତୀୟ ରାଉଣ୍ଡରେ ଶେଷ ହୋଇଛି। ଏହି କ୍ରୋଏସିଆ ଖେଳାଳି ୩-୬, ୬-୭, ୨-୬ ସେଟ୍‌ରେ ଆର୍ଜେଣ୍ଟିନାର ଥୋମାସ ମାର୍ଟିନ ଇଚ‌ଭେରିଙ୍କଠୁ ପରାସ୍ତ ହୋଇଥିଲେ।

ସମ୍ବନ୍ଧିତ ଖବର