ପ୍ୟାରିସ: ଭାରତୀୟ ପୁରୁଷ ଯୁଗଳ ଯୋଡ଼ି ସାତ୍ବିକସାଇରାଜ ରାଙ୍କିରେଡ୍ଡୀ ଏବଂ ଚିରାଗ ସେଠୀ ଫ୍ରେଞ୍ଚ୍‌ ଓପନ୍‌ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ୍‌ ପ୍ରତି‌ଯୋଗିତାରେ ‌ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ରବିବାର ଫାଇନାଲ୍‌ରେ ଏକାଦଶ ମାନ୍ୟତ‌ାପ୍ରାପ୍ତ ଏହି ଭାରତୀୟ ଯୋଡ଼ି ସିଧାସଳଖ ୧୮-୨୧,‌ ୧୬-୨୧ରେ ଶୀର୍ଷ ମାନ୍ୟତାପ୍ରାପ୍ତ ଇଣ୍ଡୋନେସିଆର ମାର୍କସ ଫର୍ନାଲ୍‌ଡି ଗି‌ଡିଅନ୍‌ ଓ କେଭିନ ସଂଜୟ ସୁକମୁଲଜୋଙ୍କଠୁ ହାରିଯାଇଥିଲେ। ୧୨୧ ସପ୍ତାହ ଧରି ବିଶ୍ବ ମାନ୍ୟତାର ଶୀର୍ଷ ସ୍ଥାନରେ ଥିବା ଏହି ଇଣ୍ଡୋନେସିଆ ଯୋଡ଼ି ବିପକ୍ଷରେ ସାତ୍ବିକ-ଚିରାଗ ୬ ଥର ଖେଳିଥିଲେ ମଧ୍ୟ ବିଜୟ ଶୂନ୍ୟ ରହିଛନ୍ତି। ଚଳିତ ବର୍ଷ ଅଗଷ୍ଟରେ ଥାଇଲାଣ୍ଡ ଓପନ୍‌ ଜିତି ପ୍ରଥମ ସୁପର ୫୦୦ ଟ୍ରଫି ବିଜେତା ସାତ୍ବିକ-ଚିରାଗ ୧୯୮୩ ପରେ ସୁପର ୭୫୦ର ଫାଇନାଲ୍‌ରେ ପହଞ୍ଚିବାର ପ୍ରଥମ ଭାରତୀୟ ଯୋଡ଼ି ହୋଇଥିଲେ ମଧ୍ୟ ଟ୍ରଫି କରାୟତ କରିବାରେ ବିଫଳ ହୋଇଥିଲେ। ତେବେ ଭାରତୀୟ ଯୋଡ଼ି ଭାବେ ୧୯୮୩ରେ ପାର୍ଥ ଗାଙ୍ଗୁଲି ଏବଂ ବିକ୍ରମ ସିଂହ ଏଠାରେ ଟ୍ରଫି ଜିତିଥି‌ଲେ। ୨୦୧୭ରେ କିଦ‌ାମ୍ବି ଶ୍ରୀକାନ୍ତ ଏବଂ ୨୦୧୨ରେ ସାଇନା ନେହୱାଲ୍‌ ଯଥାକ୍ରମେ ପୁରୁଷ ଓ ମହିଳା ଏକକ ଫ୍ରେଞ୍ଚ୍‌ ଓପନ୍‌ ଟ୍ରଫି ଜିତିବାର ସଫଳତା ପାଇଥିଲେ।