ପ୍ୟାରିସ: ଚଳିତ ଫ୍ରେଞ୍ଚ ଓପନ୍ ଟେନିସ ପ୍ରତିଯୋଗିତାର ପୁରୁଷ ଏକକରୁ ଏକାଦଶ ମାନ୍ୟତାପ୍ରାପ୍ତ ରୋବର୍ତ ବୌତିସ୍ତା ଅଗଟ ଏବଂ ମହିଳା ଏକକରୁ ଦଶମ ମାନ୍ୟତାପ୍ରାପ୍ତ ବେଲିନା ବେନ୍ସିକ୍ ବିଦାୟ ନେଇଛନ୍ତି। ବୁଧବାର ଚତୁର୍ଥ ଦିବସରେ ଏହି ଦୁଇ ତାରକା ନିଜ ନିଜ ଦ୍ବିତୀୟ ପର୍ଯ୍ୟାୟ ମ୍ୟାଚ୍ ହାରିଯାଇଥିଲେ। ସ୍ପେନ୍ର ଅଗଟ ୩-୬, ୬-୨, ୩-୬, ୨-୬ ସେଟ୍ରେ ସ୍ବିଜରଲାଣ୍ଡର ହେନ୍ରି ଲାକସୋନେନଙ୍କଠୁ ଏବଂ ସ୍ବିଜରଲାଣ୍ଡର ବେନସିକ ୨-୬, ୨-୬ ସେଟ୍ରେ ରୁଷିଆର ଦାରିଆ କାସାତକିନାଙ୍କଡଠୁ ପରାସ୍ତ ହୋଇଥିଲେ।
ଅନ୍ୟ ପୁରୁଷ ଏକକରେ ପଞ୍ଚମ ମାନ୍ୟତାପ୍ରାପ୍ତ ଷ୍ଟିଫୋନାସ ସିସିପାସ, ଷଷ୍ଠ ମାନ୍ୟତାପ୍ରାପ୍ତ ଆଲେ୍ଜାଣ୍ଡର ଭେରଭ ଓ ପଞ୍ଚଦଶ ମାନ୍ୟତାପ୍ରାପ୍ତ କାସପର ରୁଡ ଦ୍ବିତୀୟ ପର୍ଯ୍ୟାୟ ବାଧା ଅତିକ୍ରମ କରିଛନ୍ତି। ଗ୍ରୀକ୍ର ସିସିପାସ ୬-୩, ୬-୪, ୬-୩ ସେଟ୍ରେ ସ୍ପେନ୍ର ପେଡ୍ରୋ ମାଟିଞ୍ଜଙ୍କୁ, ଜର୍ମାନୀର ଭେରଭ ୭-୬, ୬-୩, ୭-୬ ସେଟ୍ରେ ରୁଷିଆର ରୋମନ ସାଫିଉଲିନଙ୍କୁ ଏବଂ ନରୱେର ରୁଡ ୬-୩, ୬-୨, ୬-୪ ସେଟ୍ରେ ପୋଲାଣ୍ଡର କାମିଲ ମାଚର୍ଜାକଙ୍କୁ ପରାସ୍ତ କରିଥିଲେ। ମଙ୍ଗଳବାର ରାତିରେ ଖେଳାଯାଇଥିବା ପ୍ରଥମ ପର୍ଯ୍ୟାୟ ମୁକାବିଲାରେ ଶୀର୍ଷ ମାନ୍ୟତାପ୍ରାପ୍ତ ସର୍ବିଆ ତାରକା ନୋଭାକ ଜୋକୋଭିକ ୬-୨, ୬-୪, ୬-୨ ସେଟ୍ରେ ଆମେରିକାର ଟେନିସ ସାଣ୍ଡଗ୍ରେନଙ୍କୁ ହରାଇ ଦ୍ବିତୀୟ ପର୍ଯ୍ୟାୟ ସ୍ଥାନ ପକ୍କା କରିଥିଲେ।
ମହିଳା ଏକରେ ବଡ଼ ତାରକାଙ୍କ ମଧ୍ୟରେ ପଞ୍ଚଦଶ ମାନ୍ୟତାପ୍ରାପ୍ତ ଭିକ୍ଟୋରିଆ ଆଜାରେଙ୍କା, ୨୦ ମାନ୍ୟତାପ୍ରାପ୍ତ ମାର୍କେଟା ଭଣ୍ଡ୍ରୁସୋଭା, ୨୩ ମାନ୍ୟତାପ୍ରାପ୍ତ ମାଡିସନ୍ କିଜ୍ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ୨ ଗ୍ରାଣ୍ଡ୍ ସ୍ଲାମ୍ ବିଜୟିନୀ ବେଲାରୁଷର ଆଜାରେଙ୍କା ୭-୫, ୬-୪ ସେଟ୍ରେ ଡେନ୍ମାର୍କର କ୍ଲାରା ଟସନ୍ଙ୍କୁ, ଚେକ୍ ଗଣରାଜ୍ୟର ଭଣ୍ଡ୍ରୁସୋଭା ୬-୧, ୬-୩ ସେଟ୍ରେ ଫ୍ରାନ୍ସର ହାର୍ମୋନି ଟାନଙ୍କୁ ଏବଂ ଆମେରିକାର କିଜ୍ ୬-୧, ୭-୫ ସେଟ୍ରେ କାନାଡାର ଲିଲା ଆନି ଫର୍ଣ୍ଣାଡିଜ୍ଙ୍କୁ ପରାସ୍ତ କରିଥିଲେ।