ପ୍ୟାରିସ: ବିଶ୍ବର ଏକ ନମ୍ବର ନୋଭାକ ଜୋକୋଭିକ ଫ୍ରେଞ୍ଚ ଓପନ୍ ଟେନିସ ପ୍ରତିଯୋଗିତାର କ୍ବାର୍ଟର ଫାଇନାଲ୍ ସ୍ଥାନ ପକ୍କା କରିଛନ୍ତି। ରବିବାର ପ୍ରିକ୍ବାର୍ଟର ଫାଇାଲ୍ରେ ୨୦ ଗ୍ରାଣ୍ଡ ସ୍ଲାମ୍ ବିଜେତା ସର୍ବିଆ ତାରକା ଜୋକୋଭିକ ୬-୧, ୬-୩, ୬-୩ ସେଟ୍ରେ ଆର୍ଜେଣ୍ଟିନାର ଡିଏଗୋ ସ୍ବର୍ଜମାନଙ୍କୁ ହରାଇଥିଲେ। ଆଲେକଜାଣ୍ଡର ଭେରଭ ଓ ରାଫେଲ ନାଦାଲ ମଧ୍ୟ କ୍ବାର୍ଟର ଫାଇନାଲ୍ରେ ପହଞ୍ଚିଛନ୍ତି। ଭେରେଭ ୭-୬, ୭-୫, ୬-୩ ସେଟ୍ରେ ବର୍ଣ୍ଣାବେ ଜାପଟା ମିରାଲେସଙ୍କୁ ଏବଂ ନଦାଲ ୩-୬, ୬-୩, ୬-୨, ୩-୬, ୬-୩ ସେଟ୍ରେ ଫେଲିକ୍ସ ଅଗର ଆଲିଆସିମ୍ଙ୍କୁ ହରାଇଥିଲେ।
ମହିଳା ଏକକରେ ଅଣ ମାନ୍ୟତାପ୍ରାପ୍ତ ଇଟାଲିର ମାର୍ଟିନା ଟ୍ରେଭିସାନ (୫୯), କୋକୋ ଗଫ୍ କ୍ବାର୍ଟର ଫାଇନାଲ୍ରେ ପହଞ୍ଚିଯାଇଛନ୍ତି। ରବିବାର ମହିଳା ଏକକ ପ୍ରିକ୍ବାର୍ଟର ଫାଇନାଲ୍ରେ ଟ୍ରେଭିସାନ ୭-୬ (୧୦), ୭-୫ ସେଟ୍ରେ ବେଲାରୁଷର ଆଲିଆକସାନ୍ଦ୍ରା ସାସନୋଭିକଙ୍କୁ ହରାଇଥିଲେ। କ୍ବାର୍ଟର ଫାଇନାଲ୍ରେ ସେ କାନାଡ଼ାର ୧୯ ବର୍ଷୀୟା ଲିଲା ଫର୍ଣ୍ଣାଣ୍ଡିଜ୍ଙ୍କୁ ଭେଟିବେ। ଫର୍ଣ୍ଣାଣ୍ଡିଜ୍ ୬-୩, ୪-୬, ୬-୩ ସେଟ୍ରେ ଆମେରିକାର ଆମନ୍ଦା ଆନିସିମୋଭାଙ୍କୁ ମାତ୍ ଦେଇଥିଲେ। ଅନ୍ୟ ଏକ ପ୍ରିକ୍ବାର୍ଟର ଫାଇନାଲ୍ରେ ଆମେରିକାର ଗଫ ସିଧାସଳଖ ୬-୪, ୬-୦ ସେଟ୍ରେ ବେଲ୍ଜିୟମର ଏଲିସ ମର୍ତେନ୍ସଙ୍କୁ ପରାସ୍ତ କରିଥିଲେ।
ମିଶ୍ରିତ ଯୁଗଳରୁ ସାନିଆ ବିଦା
ଚଳିତ ଫ୍ରେଞ୍ଚ ଓପନ୍ ମିଶ୍ରିତ ଯୁଗଳରୁ ଭାରତୀୟ ତାରକା ସାନିଆ ମିର୍ଜାଙ୍କ ଅଭିଯାନ ଶେଷ ହୋଇଛି। ରବିବାର ଦ୍ବିତୀୟ ରାଉଣ୍ଡ ମୁକାବିଲାରେ ସେ ଓ ତାଙ୍କ କ୍ରୋଏସିଆ ସାଥୀ ଇଭାନ ଡୋଡିଗ ୪-୬, ୩-୬ ସେଟ୍ରେ ବ୍ରାଜିଲ ଯୋଡ଼ି ବିତ୍ରିଜ ହାଡାଡ ମାଇଆ ଓ ବ୍ରୁନୋ ସୋଆରେସଙ୍କଠାରୁ ପରାସ୍ତ ହୋଇଥିଲେ। ଏହି ମ୍ୟାଚ୍ ୧ ଘଣ୍ଟା ୧୫ ମିନିଟ୍ ଚାଲିଥିଲା। ସାନିଆ ୨୦୧୨ ମିଶ୍ରିତ ଯୁଗଳରେ ଭାରତୀୟ ସାଥୀ ମହେଶ ଭୂପତିଙ୍କ ସହ ଏଠାରେ ଟ୍ରଫି ଜିତିଥିଲେ। ତେବେ ମହିଳା ଯୁଗଳ ପ୍ରିକ୍ବାର୍ଟର ଫାଇନାଲ୍ରେ ସାନିଆ ଓ ତାଙ୍କ ସାଥୀ ଚେକ୍ ଗଣରାଜ୍ୟ ସାଥୀ ଲୁସି ହ୍ରାଦେକା ପଞ୍ଚିଯାଇଛନ୍ତି। ପ୍ରିକ୍ବାର୍ଟରରେ ଏମାନେ ଆମେରିକା ଯୋଡ଼ି ଜେସିକା ପେଗୁଲା ଓ କୋକୋ ଗଫ୍ଙ୍କୁ ଭେଟିବେ।