ପ୍ୟାରିସ: ଉପବିଜେତା ତଥା ଚତୁର୍ଥ ମାନ୍ୟତାପ୍ରାପ୍ତ ଷ୍ଟିଫାନୋସ ସିସିପାସ୍ ଚଳିତ ଫ୍ରେଞ୍ଚ୍ ଓପନ୍ ଟେନିସ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। ସୋମବାର ପୁରୁଷ ଏକକ ପ୍ରିକ୍ବାର୍ଟର ଫାଇନାଲ୍ରେ ଡେନ୍ମାର୍କ ଯୁବକ ହୋଲଗର ରୁନେ ୭-୫, ୩-୬, ୬-୩, ୬-୪ ସେଟ୍ରେ ଏହି ଗ୍ରିକ୍ ତାରକାଙ୍କୁ ହରାଇ ବିଦାୟ ରାସ୍ତା ଦେଖାଇଥିଲେ। ଏଥିସହ ରୁନେ ପ୍ରଥମ ଡେନ୍ମାର୍କ ପୁରୁଷ ଖେଳାଳି ଭାବେ ଫ୍ରେଞ୍ଚ ଓପନ୍ କ୍ବାର୍ଟର ଫାଇନାଲ୍ରେ ପହଞ୍ଚିଥିଲେ। କ୍ବାର୍ଟର ଫାଇନାଲ୍ରେ ସେ ଅଷ୍ଟମ ମାନ୍ୟତାପ୍ରାପ୍ତ ନରୱେର କାସପର ରୁଡ୍ଙ୍କୁ ଭେଟିବେ। ୨୩ ବର୍ଷୀୟ ରୁଡ୍ ୬-୨, ୬-୩, ୩-୬, ୬-୩ ସେଟ୍ରେ ଦ୍ବାଦଶ ମାନ୍ୟତାପ୍ରାପ୍ତ ପୋଲାଣ୍ଡର ହୁବର୍ତ ହୁର୍କାଜଙ୍କୁ ପରାସ୍ତ କରିଥିଲେ। ରୁଡ୍ ମଧ୍ୟ ପ୍ରଥମ ନରୱେ ପୁରୁଷ ଖେଳାଳି ଭାବେ ରୋଲାଣ୍ଡ ଗାରୋସ କ୍ବାର୍ଟରରେ ପ୍ରବେଶ କରିଥିଲେ। ଅନ୍ୟଏକ ମୁକାବିଲାରେ ଷଷ୍ଠ ମାନ୍ୟତାପ୍ରାପ୍ତ ସ୍ପେନ୍ର କାର୍ଲୋସ ଅଲ୍କାରାଜ ଗାର୍ଫିଆ ୬-୧, ୬-୪, ୬-୪ ସେଟ୍ରେ ରୁଷିଆର କରେନ କାଚାନୋଭଙ୍କୁ ହରାଇ କ୍ବାର୍ଟର ଫାଇନାଲ୍ ସ୍ଥାନ ପକ୍କା କରିଥିଲେ।
ମହିଳା ଏକକ କ୍ବାର୍ଟର ଫାଇନାଲ୍ ଦୁଇ ରୁଷୀୟ ଖେଳାଳି ଭେରୋନିକା କୁଦେମେତୋଭା ଓ ଡାରିଆ କାସାତ୍କିନା ମୁହାମୁହିଁ ହେବ। ସୋମବାର ପ୍ରିକ୍ବାର୍ଟର ଫାଇନାଲ୍ରେ ୨୯ ମାନ୍ୟତାପ୍ରାପ୍ତ କୁଦେମେତୋଭା ୧-୬, ୬-୩, ୬-୧ ସେଟ୍ରେ ଆମେରିକାର ମାଡିସନ କିଜ୍ଙ୍କୁ ଏବଂ ୨୦ ମାନ୍ୟତାପ୍ରାପ୍ତ କାସାତକିନା ୬-୨, ୬-୨ ସେଟ୍ରେ ୨୮ ମାନ୍ୟତାପ୍ରାପ୍ତ କାମିଲା ଜିଓର୍ଜିଙ୍କୁ ପରାସ୍ତ କରିଥିଲେ। ଅନ୍ୟ ଏକ ପ୍ରିକ୍ବାର୍ଟର ଫାଇନାଲ୍ରେ ଏକାଦଶ ମାନ୍ୟତାପ୍ରାପ୍ତ ଆମେରିକାର ଜେସିକା ପେଗୁଲା ୪-୬, ୬-୨, ୬-୩ ସେଟ୍ରେ ରୋମାନିଆର ଇରିନା-କାମେଲିଆ ବେଗୁଙ୍କୁ ହରାଇଥିଲେ।