ପ୍ୟାରିସ: ଚଳିତ ଫ୍ରେଞ୍ଚ ଓପନ୍ ଟେନିସ ପ୍ରତିଯୋଗିତାର ତୃତୀୟ ରାଉଣ୍ଡରେ ପୂର୍ବତନ ଏକ ନମ୍ବର ନୋଭାକ ଜୋକୋଭିକ ପ୍ରବେଶ କରିଛନ୍ତି। ଦ୍ବିତୀୟ ରାଉଣ୍ଡରେ ୨୨ ଗ୍ରାଣ୍ଡ ସ୍ଲାମ୍ ବିଜେତା ଏହି ସର୍ବିୟା ତାରକା ୭-୬, ୬-୦, ୬-୩ ସେଟ୍ରେ ହଙ୍ଗେରିର ମାର୍ଟନ ଫୁକ୍ସୋଭିକଙ୍କୁ ପରାସ୍ତ କରିଥିଲେ। ଏହି ବିଜୟ ସହ ତୃତୀୟ ମାନ୍ୟତାପ୍ରାପ୍ତ ଜୋକୋଭିକ କୀର୍ତ୍ତିମାନଭରା ୨୩ ଗ୍ରାଣ୍ଡ ସ୍ଲାମ୍ ଟ୍ରଫି ଦିଗରେ ଆଉ ଗୋଟିଏ ପାଦ ବଢ଼ାଇଛନ୍ତି। ଅନ୍ୟ ତାରକା ପୁରୁଷ ଖେଳାଳିଙ୍କ ମଧ୍ୟରେ ଚତୁର୍ଥ ମାନ୍ୟତାପ୍ରାପ୍ତ କାସପୁର ରୁଡ ଓ ଷଷ୍ଠ ମାନ୍ୟତାପ୍ରାପ୍ତ ହୋଲଗର ରୁନେ ମଧ୍ୟ ଆଗକୁ ବଢ଼ିଛନ୍ତି। ଫ୍ରାନ୍ସର ଗେଲ୍ ମନଫିଲ୍ସ କଚଟି ଯନ୍ତ୍ରଣା ଯୋଗୁଁ ଓହରିଯିବାରୁ ରୁନେ ସହଜରେ ତୃତୀୟ ରାଉଣ୍ଡରେ ସ୍ଥାନ ପକ୍କା କରିଛନ୍ତି। ନରୱେର ରୁଡ ୬-୩, ୬-୨, ୪-୬, ୭-୫ ସେଟ୍ରେ ଇଟାଲିର ଜିଉଲିଓ ଜେପିଏରିଙ୍କୁ ପରାସ୍ତ କରିଥିଲେ। ତେବେ ଅଷ୍ଟାଦଶ ମାନ୍ୟତାପ୍ରାପ୍ତ ଆଲେକ୍ସ ଡି’ମିନୌର ବିଦାୟ ନେଇଛନ୍ତି। ଅଷ୍ଟ୍ରେଲିଆର ମିନୌର ୩-୬, ୬-୭, ୩-୬ ସେଟ୍ରେ ଆର୍ଜେଣ୍ଟିନାର ଟୋମାସ ମାର୍ଟିନ ଇଚେଭେରିଙ୍କଠୁ ପରାସ୍ତ ହୋଇଥିଲେ।
ମହିଳା ଏକକରେ ଶୀର୍ଷ ମାନ୍ୟତାପ୍ରାପ୍ତ ଈଗା ସ୍ବିତେକ ଓ ଚତୁର୍ଥ ମାନ୍ୟତାପ୍ରାପ୍ତ ଏଲିନା ରିବାକିନା ଆଗକୁ ବଢ଼ିଛନ୍ତି। ଦ୍ବିତୀୟ ରାଉଣ୍ଡରେ ୩ ଗ୍ରାଣ୍ଡ ସ୍ଲାମ ବିଜୟିନୀ ପୋଲାଣ୍ଡର ସ୍ବିତେକ ୬-୪, ୬-୦ ସେଟ୍ରେ ଆମେରିକାର କ୍ଲାଇରେ ଲିଉଙ୍କୁ ଏବଂ ୱିମ୍ବଲଡନ୍ ବିଜୟିନୀ କାଜାଖସ୍ତାନର ରିବାକିନା ୬-୩, ୬-୩ ସେଟ୍ରେ ଚେକ୍ ଗଣରାଜ୍ୟର ଲିଣ୍ଡା ନୋସ୍କୋଭାଙ୍କୁ ପରାସ୍ତ କରିଥିଲେ। ଏଥିସହ ରିବାକିନା ଚଳିତ ବର୍ଷ ୩୦ତମ ବିଜୟ ପାଇଥିଲେ। ଚଳିତ ବର୍ଷ ସର୍ବାଧିକ ମ୍ୟାଚ୍ ଜିତିବାରେ ତାଙ୍କ ଆଗରେ କେବଳ ଏରିନା ସାବାଲେଙ୍କା (୩୧) ରହିଛନ୍ତି। ଅନ୍ୟ ମହିଳା ଖେଳାଳିଙ୍କ ମଧ୍ୟରେ ୧୪ ମାନ୍ୟତାପ୍ରାପ୍ତ ବିଟ୍ରିଜ୍ ହାଡାଡ ମିଆ ତୃତୀୟ ରାଉଣ୍ଡରେ ପହଞ୍ଚିଛନ୍ତି। ବ୍ରାଜିଲର ମିଆ ୬-୨, ୫-୭, ୬-୪ ସେଟ୍ରେ ରୁଷିଆର ଡାଇନା ସାଇଣ୍ଡରଙ୍କୁ ହରାଇଥିଲେ। ତେବେ ୨୦୧୭ ୟୁଏସ୍ ଓପନ୍ ଫାଇନାଲିଷ୍ଟ ମାଡିସନ କିଜ୍ଙ୍କ ଅଭିଯାନ ଦ୍ବିତୀୟ ରାଉଣ୍ଡରେ ଶେଷ ହୋଇଛି। ୨୦ ମାନ୍ୟତାପ୍ରାପ୍ତ ଏହି ଆମେରିକା ମହିଳା ୨-୬, ୬-୪, ୪-୬ ସେଟ୍ରେ ନିଜ ଦେଶର କାଇଲା ଡେ’ଙ୍କଠୁ ହାରି ଯାଇଥିଲେ।