ଶୁକ୍ରବାରରୁ ଦ୍ବିତୀୟ ଟେଷ୍ଟ, ପର୍ଥରେ ଭାରତ ଖେଳିଛି ୪, ଜିତିଛି ୧

ପର୍ଥ: କୌଣସି ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଦଳ ପର୍ଥରେ ଖେଳିଛି ମାତ୍ର ୪ ଟେ‌ଷ୍ଟ୍‌। ସେଥିରୁ ୩ ହାରିଥିଲା ବେଳେ ଗୋଟିଏରେ ଜିତିଛି। ତେବେ ପରିସଂଖ୍ୟାନ ଯାହା କହୁଛି ପର୍ଥରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ କୌଣସି ଟେଷ୍ଟ୍‌ ଅମୀମାଂସିତ ରହିନାହିଁ। ଘରୋଇ ଅଷ୍ଟ୍ରେଲିଆ ଦଳ ୧୯୭୭ରେ ୨ ୱିକେଟ୍‌ରେ, ୧୯୯୨ରେ ୩୦୦ ରନ୍‌ରେ ଏବଂ ୨୦୧୨ରେ ଏକ ପାଳି ଓ ୩୭ ରନ୍‌ରେ ଭାରତକୁ ପରାସ୍ତ କରିଥିଲା ବେଳେ ଏକମାତ୍ର ୨୦୦୮ରେ ଭାରତ ୭୨ ରନ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ଅନିଲ କୁମ୍ବଲେଙ୍କ ନେତୃତ୍ବରେ ଭାରତ ପର୍ଥରେ ଏହି ଏକମାତ୍ର ବିଜୟ ହାସଲ କରିଥିଲା। ମୁଖ୍ୟ କଥା ହେଲା ପର୍ଥରେ ଖେଳାଯାଇଥିବା ଶେଷ ଦୁଇଟି ଟେଷ୍ଟ୍‌ ମାତ୍ର ତିନି ଦିନ ମଧ୍ୟରେ ଶେଷ ହୋଇଛି। ତେଣୁ ପର୍ଥରେ ବୋଲରଙ୍କ ଆଧିପତ୍ୟ ପ୍ରମାଣିତ ହୋଇଯାଇଛି। ତେବେ ଶୁକ୍ରବାର ଉଭୟ ଦଳ ପର୍ଥରେ ପରସ୍ପର ସହ ପଞ୍ଚମ ଥର ପାଇଁ ମୁହାଁମୁହିଁ ହେବେ।

ସଚିନ୍‌ଙ୍କ ନାମରେ ସର୍ବାଧିକ ରନ୍‌
ପର୍ଥରେ ଭାରତ ଏପର୍ଯ୍ୟନ୍ତ ମୋଟ ୪ ଟେଷ୍ଟ୍‌ ଖେଳିଥିଲା ବେଳେ ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକରଙ୍କ ନାମରେ ସର୍ବାଧିକ ରନ୍‌ ରହିଛି। ସଚିନ୍‌ ୩ ଟେଷ୍ଟ୍‌ ଖେଳି କରିଥିବା ୨୨୬ (ଗୋଟିଏ ଶତକ) ରନ୍‌ ଯେକୌଣସି ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ପାଇଁ ସର୍ବାଧିକ। ଗୋଟିଏ ଟେଷ୍ଟ୍‌ ଖେଳିଥିବା ମହିନ୍ଦର ଅମରନାଥ ୧୯୦ (ଗୋଟିଏ ଶତକ) ରନ୍‌ କରି ଦ୍ବିତୀୟରେ ରହିଥିଲା ବେଳେ ରାହୁଲ୍‌ ଦ୍ରାବିଡ୍‌ (୨ ଟେଷ୍ଟ୍‌, ୧୫୨ ରନ୍‌), ଭିଭିଏସ୍‌ ଲକ୍ଷ୍ମଣ (୨ ଟେଷ୍ଟ୍‌, ୧୩୭ ରନ୍‌) ଏବଂ ସୁନିଲ ଗାଭାସ୍କର (୧ ଟେଷ୍ଟ୍‌, ୧୩୧ ରନ୍‌, ଗୋଟିଏ ଶତକ) ତୃତୀୟରୁ ପଞ୍ଚମରେ ରହିଛନ୍ତି। ଚେତନ ଚୌହାନ୍‌ ଗୋଟିଏ ଟେଷ୍ଟ୍‌ ଖେଳି ୧୨୦ ରନ୍‌ କରିଥିଲା ବେଳେ ଏବର ଅଧିନାୟକ ବିରାଟ କୋହଲି ମଧ୍ୟ ଗୋଟିଏ ଟେଷ୍ଟ୍‌ ଖେଳି ୧୧୯ ରନ୍‌ କରିଛନ୍ତି। କୋହଲିଙ୍କ ବ୍ୟକ୍ତିଗତ ସର୍ବାଧିକ ସ୍କୋର୍‌ ୭୫ ରହିଛି।

ବେଦୀ ସର୍ବାଧିକ ୱିକେଟ୍‌ ଦଖଲକାରି ବୋଲର
ଚଳିତ ଗସ୍ତରେ ଥିବା ଭାରତୀୟ ଦଳର ବୋଲରମାନଙ୍କ ମଧ୍ୟରୁ ଏକମାତ୍ର ଈଶାନ୍ତ ଶର୍ମା ୨ ଟେଷ୍ଟ୍‌ ଖେଳି ପର୍ଥରେ ୪ ୱିକେଟ୍‌ ନେଇଛନ୍ତି। ହେଲେ ବିଶେନ୍‌ ସିଂହ ବେଦୀ ସର୍ବାଧିକ ୱିକେଟ୍‌ ଦଖଲକାରୀ ବୋଲର ରହିଛନ୍ତି। ସେ ଗୋଟିଏ ଟେଷ୍ଟ୍‌ ଖେଳି ୧୦ ୱିକେଟ୍‌ ନେଇଥିଲା ବେଳେ ସମାନ ଗୋଟିଏ ଲେଖାଏଁ ଟେଷ୍ଟ୍‌ ଖେଳି ଆର୍‌ପି ସିଂହ ୬, ମନୋଜ ପ୍ରଭାକର ୬, ଉମେଶ ଯାଦବ ୫, ଇର୍ଫାନ୍‌ ପଠାନ୍‌ ୫, ଅନିଲ କୁମ୍ବଲେ ୪, କପିଳ ଦେବ ୪, ଜଭଗଲ୍‌ ଶ୍ରୀନାଥ ୪ ୱିକେଟ୍‌ ପାଇଛନ୍ତି।

ସମ୍ବନ୍ଧିତ ଖବର