ନ୍ୟୁୟର୍କ: କରୋନା ମହାମାରୀ ପାଇଁ ଟେନିସ୍ କୋର୍ଟ ଖାଲି ପଡ଼ିଥିଲା ବେଳେ ଖେଳାଳିମାନେ ନିଜ ନିଜ ଘରେ ଗୃହାବଦ୍ଧ ଅଛନ୍ତି। ଏଭଳି ସ୍ଥିତିରେ କିଛି ଟେନିସ୍ ଆୟୋଜକ ଅନ୍ଲାଇନ୍ରେ ଭିଡିଓ ଗେମ୍ ଆଧାରରେ ଟେନିସ୍ ପ୍ରତିଯୋଗିତା ଆୟୋଜନ କରି କରୋନା ଲଢ଼େଇ ଲାଗି ପାଣ୍ଠି ସଂଗ୍ରହ କରୁଛନ୍ତି। ଏଥିରେ ଟେନିସ୍ ଜଗତର ବହୁ ଲୋକପ୍ରିୟ ଓ ତାରକା ଖେଳାଳି ଅଂଶଗ୍ରହଣ କରୁଛନ୍ତି। ‘ହୋମ୍ ସ୍ଲାମ୍’ ନାମରେ ଖେଳା ଯାଉଥିବା ଏହି ପ୍ରତିଯୋଗିତାରେ ଆମେରିକୀୟ ୱିଲିୟମ୍ସ ଭଉଣୀ ସେରେନା ଓ ଭେନସ୍ ଏବଂ ଜାପାନର ନାଓମି ଓସାକା, କେଇ ନିଶିକୋରି ତଥା ରୁଷିଆର ଅବସରପ୍ରାପ୍ତ ମହିଳା ଟେନିସ୍ ତାରକା ମାରିଆ ସାରାପୋଭା ଅଂଶଗ୍ରହଣ କରିଥିଲେ। ଆମେରିକୟ ଟେନିସ୍ ଖେଳାଳି ଟେଲର ଫ୍ରିଜ୍ ଓ ତାଙ୍କ ଟିକ୍ ଟକ୍ ଷ୍ଟାର ଯୋଡ଼ିଦାର ଆଡିସନ୍ ରାଏ ଏବଂ ନିଶିକୋରି ଓ ତାଙ୍କ ଡିଜେ ସାଥୀ ଷ୍ଟିଭ୍ ଆଓକିଙ୍କ ମଧ୍ୟରେ ଫାଇନାଲ୍ ଖେଳା ଯାଇଥିଲା। ତେବେ ଯାନ୍ତ୍ରୀକ ତ୍ରୁଟି ପାଇଁ ପ୍ରଥମ ଦିନ ଏହି ମ୍ୟାଚ୍ ଅଧାରୁ ଅଟକି ଯାଇଥିଲା। ଏହାକୁ ୩୫,୦୦୦ କ୍ରୀଡ଼ାପ୍ରେମୀ ଦେଖିଥିଲେ। ପରଦିନ ଏହି ମ୍ୟାଚ୍ ପୁନଃ ଆରମ୍ଭ ହୋଇଥିଲା। ଟେନିସ୍ କିଂବଦନ୍ତି ଜନ୍ ମ୍ୟାକେନୋର ଧାରାବିବରଣୀ ପ୍ରଦାନ କରିଥିଲେ। ଫ୍ରିଜ୍ ଓ ରାଏ ୬-୪ ପଏଣ୍ଟ୍ରେ ବିଜୟୀ ହେବା ସହ ‘ନୋ କିଡ୍ସ ହଙ୍ଗ୍ରି ଚାରିଟି’ ନାମକ ଏକ ସଂସ୍ଥା ଲାଗି ୧ ନିୟୁତ ଡଲାର ବା ପାଖାପାଖି ୭ କୋଟି ଟଙ୍କାର ପାଣ୍ଠି ସଂଗ୍ରହ କରିଥିଲେ। ଖେଳାଳିମାନେ ନିଜ ପସନ୍ଦର ଦାତବ୍ୟ ସଂସ୍ଥା ପାଇଁ ପୃଥକ ଭାବେ ୨୫୦୦୦ ଡଲାର ଲେଖାଏଁ ପାଇଥିଲେ। ତେବେ ଅସଲ ଟେନିସ୍ ଦୁନିଆରେ ସବୁବେଳେ ଆଧିପତ୍ୟ ବିସ୍ତାର କରୁଥିବା ସେରେନା ଓ ଭେନସ୍ ୱିଲିୟମ୍ସ ସାରପୋଭା ଏବଂ ତାଙ୍କ ସାଥୀ କାର୍ଲି କ୍ଲୋଜଙ୍କଠାରୁ ପ୍ରଥମ ପର୍ଯ୍ୟାୟରେ ହାରି ଯାଇଥିଲେ। ନିଶିକୋରି ଓ ଆଓକିଙ୍କ ବିପକ୍ଷରେ ଓସାକା ଖେଳୁଥିବା ମ୍ୟାଚ୍କୁ ଇଣ୍ଟରନେଟ୍ ବାରମ୍ବାର କଟିବାରୁ ଅଧାରୁ ବାତିଲ କରି ଦିଆଯାଇଥିଲା।
Advertisment
Sambad is now on WhatsApp
Join and get latest news updates delivered to you via WhatsApp