ଅଗଷ୍ଟ ୧୭ରୁ ଫାଓ ଲିଗ୍‌ : ଜବାର ଏକାଡେମୀ ମୁଖ୍ୟ, ୪ରୁ ଚୟନ ଶିବିର

କଟକ: ଆସନ୍ତା ଅଗଷ୍ଟ ୧୭ ତାରିଖରୁ ଫାଓ ଲିଗ୍‌ ଆରମ୍ଭ ହେବ। ନିରପେକ୍ଷ ମ୍ୟାଚ ପରିଚାଳନା ପାଇଁ ଚଳିତ ବର୍ଷରୁ ଅନ୍ୟ ରାଜ୍ୟର ମ୍ୟାଚ କମିସନରଙ୍କୁ ନିଯୁକ୍ତ କରାଯିବାକୁ ରାଜ୍ୟ ଫୁଟବଲ୍‌ ସଂଘ ଫାଓ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଏଆଇଏଫ୍‌ଏଫ୍‌କୁ ଅନୁମତି ମଗାଯାଇଛି। ପ୍ରତିଯୋଗିତା ଆୟୋଜନ ପାଇଁ ୧୦ଜଣିଆ ଆୟୋଜନ ସମିତି ଗଠନ କରାଯାଇଛି। ଉପ ସଭାପତି ବିଜୟ ଦାସ, ଭକ୍ତବଲ୍ଲଭ ଦାସଙ୍କ ସହିତ କୃଷ୍ଣଚନ୍ଦ୍ର ବେହେରା, ମାନସ ସାମଲ, ନରେନ୍ଦ୍ର କୁମାର ସାହୁ, ଗୋପବନ୍ଧୁ ସାହୁ, ବିଷ୍ଣୁ ରାଉତ, ନବକିଶୋର ମିଶ୍ର, ପ୍ରଭାକର ବର୍ଦ୍ଧନ ସୁବାଶିଷ କରଙ୍କୁ ଏହି ସମିତିରେ ସାମିଲ କରାଯାଇଛି। ରବିବାର ଫାଓ ବୈଷୟିକ ସମିତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଅନ୍ୟପକ୍ଷରେ ସେପ୍ଟେମ୍ବର ୩୦ ତାରିଖରୁ ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ଫାଓ ସୁପର କପ୍‌ ଖେଳାଯିବାକୁ ସ୍ଥିର ହୋଇଛି। ଅକ୍ଟୋବରରୁ ୧୮ ବର୍ଷରୁ କମ୍‌ ୟୁଥ୍‌ ଲିଗ୍‌ ଆରମ୍ଭ ହେବ।
ସେହିପରି ଅଗଷ୍ଟ ୧୫ ତାରିଖରୁ ଫାଓ ମହିଳା ଲିଗ୍‌ ଆରମ୍ଭ ହେବ। ସପ୍ତାହର କେବଳ ଶନିବାର ଓ ରବିବାର ମ୍ୟାଚଗୁଡ଼ିକ ଖେଳାଯିବ। ମହିଳା ଖେଳାଳିଙ୍କୁ ଅଭ୍ୟାସ ପାଇଁ ପର୍ଯ୍ୟାପ୍ତ ସମୟ ଦେବାକୁ ଏଭଳି ବ୍ୟବସ୍ଥା କରାଯାଉଥିବା କୁହାଯାଇଛି। ପ୍ରତ୍ୟେକ ମ୍ୟାଚ ରାଉଣ୍ଡ ରବିନ୍‌ ପର୍ଯ୍ୟାୟରେ ଖେଳାଯିବ। ମହିଳା ଲିଗ୍‌ରେ ରାଇଜିଂ ଷ୍ଟୁଡେଣ୍ଟ, ରାଧାରମଣ, ବିଡ଼ାନାସୀ, ରୋଭର୍ସ, ପୂର୍ବତଟ ରେଳବାଇ, କ୍ରୀଡ଼ା ଛାତ୍ରାବାସ, ସାଇ, ଓଡ଼ିଶା ପୁଲିସ୍‌ ଅଂଶଗ୍ରହଣ କରୁଛନ୍ତି।
ନିପେନ୍ଦ୍ର କୁମାର ଦାସ ଓଡ଼ିଶା ଉପ କନିଷ୍ଠ ଦଳର ପ୍ରଶିକ୍ଷକ ଭାବେ ନୂଆ ନିଯୁକ୍ତି ପାଇଛନ୍ତି। ତାଙ୍କ ସହିତ ଏଏନ୍‌ ପିଲାଇ ସହକାରୀ ପ୍ରଶିକ୍ଷକ ଓ ଆନିନ୍ଦ୍ୟ କୁମାର ଦେବ ଗୋଲରକ୍ଷକ ପ୍ରଶିକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି। ସେହିପରି ସୁରଜ ଥାପା ଓଡ଼ିଶା କନିଷ୍ଠ ଦଳର ମୁଖ୍ୟ ପ୍ରଶିକ୍ଷକ, ପ୍ରସନ୍ନ ଦାସ ସହକାରୀ ପ୍ରଶିକ୍ଷକ, ଦେବୀପ୍ରସାଦ ଦାସ ଗୋଲରକ୍ଷକ ପ୍ରଶିକ୍ଷକ ଭାବେ ମନୋନୀତ ହୋଇଛନ୍ତି। ଏଆଇଏଫ୍‌ଏଫ୍‌ର ୟୁଥ୍‌ ଲିଗ୍‌ରେ ଅଂଶଗ୍ରହଣ କରିବାକୁ ଯାଉଥିବା ଫାଓ ଏକାଡେମୀର ନୂଆ ମୁଖ୍ୟ ଭାବେ ଭାରତୀୟ ମହିଳା ଦଳର ପୂର୍ବତନ ପ୍ରଶିକ୍ଷକ ମହମ୍ମଦ ସାହିଦ ଜବାର ଓ ପ୍ରବନ୍ଧକ ଭାବେ ନବକିଶୋର ମିଶ୍ରଙ୍କୁ ନିଯୁକ୍ତି ମିଳିଛି। ଏକାଡେମୀ ପାଇଁ ଅଗଷ୍ଟ ୪ ଓ ୫ ତାରିଖରେ ସୁନ୍ଦରଗଡ଼, ଭୁବନେଶ୍ୱର ଓ କଟକରେ ଏବଂ ୧୧ ଓ ୧୨ ତାରିଖରେ ବାରିପଦା, ସମ୍ବଲପୁର, କଳାହାଣ୍ଡି ଓ ରାଉରକେଲାରେ ଏହି ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବ। ଫାଓ ଏକାଡେମୀ ପ୍ରଶିକ୍ଷକ ଓ କନିଷ୍ଠ ଚୟନ ସମିତିର ସଦସ୍ୟମାନେ ଖେଳାଳି ଚୟନ କରିବେ। ଏହି ବୈଠକରେ ଫାଓର ସମ୍ପାଦକ ସଂଜୟ ବେହେରାଙ୍କ ସହ ସମସ୍ତ କର୍ମକର୍ତ୍ତା, ପ୍ରତିଯୋଗିତା ଓ ବୈଷୟିକ ସମିତି ସଦସ୍ୟ, ଫୁଟବଲ୍‌ ଉନ୍ନୟନ ସମିତିର ସଦସ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର