ବିଜୁ ପଟ୍ଟନାୟକଙ୍କଠାରୁ ଦିଲୀପ ତିର୍କିଙ୍କ ଯାଏଁ

ଭୁବନେଶ୍ବର : କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାର କ୍ରୀଡ଼ାବିତ୍‌ମାନେ ଜାତୀୟ ଓ ଅନ୍ତର୍ଜାତୀୟ ଦୃଶ୍ୟପଟ୍ଟରେ ଏବେ ଏବେ ଖ୍ୟାତି ଅର୍ଜନ କରୁଛନ୍ତି। କିନ୍ତୁ ଓଡ଼ିଆ ବ୍ୟକ୍ତିମାନେ ଜାତୀୟ କ୍ରୀଡ଼ା ସଂଘରେ ନେତୃତ୍ବ (ସଭାପତି କିମ୍ବା ସମ୍ପାଦକ) ନେବାର ଧାରା ବହୁ ପୁରୁଣା। ଏହି ପରମ୍ପରା ଅନ୍ୟ କେହି ନୁହେଁ ଆଧୁନିକ ଓଡ଼ିଶା ଗଠନର ଅନ୍ୟତମ ଆଦ୍ୟ ବ୍ୟକ୍ତିତ୍ବ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଆରମ୍ଭ କରିଥିଲେ। ୧୯୬୫ରେ ପ୍ରଥମ ଓଡ଼ିଆ ଭାବେ ବିଜୁ ବାବୁ ଭାରତୀୟ ବାସ୍କେଟ୍‌ବଲ୍ ସଂଘ (ବିଏଫଆଇ)ର ସଭାପତି ହୋଇଥିଲେ। ପରବର୍ତୀ ସମୟରେ ପୂର୍ବତନ ସାଂସଦ କାମାକ୍ଷାପ୍ରସାଦ ସିଂଦେଓ ଏବଂ ବର୍ତମାନର କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଏହି ଧାରାକୁ ଆଗକୁ ନେଇଛନ୍ତି। କେପି ସିଂଦେଓ ପ୍ରାୟ ୮ ବର୍ଷ (୨୦୦୦-୦୮) ଧରି ଭାରତୀୟ ରୋଇଂ ସଂଘର ସଭାପତି ଥିବା ବେଳେ ଡକ୍ଟର ସମାନ୍ତ ଏବେ ଭାରତୀୟ ଭଲିବଲ୍‌ ସଂଘର ସଭାପତି ରହିଛନ୍ତି। ଓଡ଼ିଶା କ୍ରିକେଟ୍‌ ସଂଘ ସମ୍ପାଦକ ପଙ୍କଜ ଲୋଚନ ମହାନ୍ତି (୨୦୧୭-୧୯) ଏକଦା ଭାରତୀୟ ବେସ୍‌ବଲ୍ ସଂଘ ସଭାପତି ଥିଲେ।

ଖେଳାଳିରୁ ପ୍ରଥମ ସଭାପତି
ଜଣେ ପୂର୍ବତନ ହକି ଖେଳାଳି ସମ୍ପୃକ୍ତ ଖେଳର ଜାତୀୟ ସଂଘ ସଭାପତି ହେବାରେ ଦିଲୀପ ତିର୍କି ପ୍ରଥମ ହୋଇଛନ୍ତି। ଦିଲୀପଙ୍କ ପୂର୍ବରୁ ଅନ୍ୟ ଖେଳରେ ମଧ୍ୟ ଏହି ଧାରା ଆରମ୍ଭ ହୋଇସାରିଥିଲା। ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏବେ ବିସିସିଆଇର ସଭାପତି ଥିବା ବେଳେ ଚଳିତ ମାସରେ ଭାରତୀୟ ଫୁଟ୍‌ବଲ୍‌ ଦଳର ପୂର୍ବତନ ଗୋଲ୍‌ରକ୍ଷକ କଲ୍ୟାଣ ଚୌବେ ସର୍ବଭାରତୀୟ ଫୁଟ୍‌ବଲ୍ ସଂଘ (ଏଆଇଏଫଏଫ)ର ସଭାପତି ନିର୍ବାଚିତ ହୋଇଛନ୍ତି। ଏ ସମସ୍ତଙ୍କ ପୂର୍ବରୁ ପୂର୍ବତନ ଆଥ୍‌ଲେଟ୍ ଆଦିଲ ସୁମରିୱାଲ କିନ୍ତୁ ଭାରତୀୟ ଦୌଡକୁଦ ସଂଘ (ଆଇଏଫଏ)ର ସମ୍ପାଦକ ଦାୟିତ୍ବ ତୁଲାଇବାର ଧାରା ଆରମ୍ଭ କରିଥିଲେ।

‌ଖେଳାଳି ପ୍ରଶାସକ ହେବା ଶ୍ରେୟସ୍କର: ଦିଲୀପ
ଜଣେ‌ ଖେଳାଳି କ୍ରୀଡ଼ା ପ୍ରଶାସକ ଭାବେ ଅନେକ ଅବଦାନ ଦେଇପାରିବ ବୋଲି ବିଶ୍ବାସ ରଖିଛନ୍ତି ଦିଲୀପ ତିର୍କି। ନିର୍ବାଚିତ ହେବା ପରେ ଦିଲୀପ କହିଛନ୍ତି, ‘ପୂର୍ବତନ ଖେଳାଳିମାନେ କ୍ରୀଡ଼ା ପ୍ରଶାସନକୁ ଆସିବା ଉଚିତ୍‌, କାରଣ ସେମାନଙ୍କୁ ଜଣାଥାଏ‌ କେଉଁ ଦିଗରେ ନଜର କେନ୍ଦ୍ରୀଭୂତ କରାଯିବ। ସୌରଭ ଗାଙ୍ଗୁଲି ସିଏବିର ନେତୃତ୍ବ ନେବା ପରେ ଏବେ ବିସିସିଆଇରେ ବି ଚମତ୍କାର କାର୍ଯ୍ୟ କରୁଛନ୍ତି ବୋଲି ଦିଲୀପ ତିର୍କି ପ୍ରକାଶ କରିଛନ୍ତି। ମୁଁ ହକି ଇଣ୍ଡିଆର ସଭାପତି ଭାବେ ନିର୍ବାଚିତ ହୋଇଥିବାରୁ ଖୁସି ଅଛି। ଜଣେ ହକି ଖେଳାଳି ପ୍ରଥମ ଥର ସଭାପତି ହୋଇଛି। ଖେଳାଳିମା‌ନେ ନିଜ ଜୀବନରେ ଅନେକ ପର୍ଯ୍ୟାୟ ଦେଇ ଗତି କରିଥା’ନ୍ତି। ତାଙ୍କ ନିକଟରେ ପ୍ରଚୁର ଅଭିଜ୍ଞତା ଥାଏ ବୋଲି ପ୍ରକାଶ କରିଥ‌ିଲେ ଭାରତୀୟ ହକି ଦଳର ଏହି ପୂର୍ବତନ ପ୍ରାଚୀର। କନିଷ୍ଠ ଖେଳାଳିଙ୍କ ପାଇଁ ନିର୍ଦ୍ଦିଷ୍ଟ ଭାବେ କୌଣସି ତାଲିମ ବ୍ୟବସ୍ଥା ନାହିଁ। ଡ୍ରାଗ୍ ଫ୍ଲିକ୍, ଗୋଲ୍‌ରକ୍ଷକଙ୍କୁ ସ୍ବତନ୍ତ୍ର ତାଲିମ ଦେବାର ଗୁରୁତ୍ବ ରହିଛି। ହକି ଲିଗ୍‌ର ପୁନଃ ଆରମ୍ଭ କରାଯିବ। ହକି ଇଣ୍ଡିଆ ବୋର୍ଡ ଏସବୁ ଦିଗରେ ଆଲୋଚନା କରି ଆଗକୁ ବଢ଼ିବ ବୋଲି ଶ୍ରୀ ତିର୍କି ପ୍ରକାଶ କରିଥିଲେ।

ହକି ଇଣ୍ଡିଆର ନୂଆ କର୍ମକର୍ତା
ସଭାପତି: ଦିଲୀପ ତିର୍କି, ହକି ଆସୋସିଏସନ୍‌ ଅଫ୍‌ ଓଡ଼ିଶା
ଉପସଭାପତି: ଅସୀମା ଅଲୀ (ହକି ଜମ୍ମୁ କଶ୍ମୀର), ଏସ୍‌ଭିଏସ୍‌ ସୁବ୍ରମଣ୍ୟ (ହକି କର୍ଣ୍ଣାଟକ)
ମହାସଚିବ: ଭୋଳାନାଥ ସିଂହ (ହକି ଝାଡଖଣ୍ଡ)
କୋଷାଧ୍ୟକ୍ଷ: ଶେକର ଜେ ମନୋହରନ (ହକି ୟୁନିଟ୍‌ ଅଫ ତାମିଲନାଡୁ)
ଯୁଗ୍ମ ସମ୍ପାଦକ: ଆରତୀ ସିଂହ (ହକି ରାଜସ୍ଥାନ), ସୁନିଲ ମଲ୍ଲିକ (ହକି ହରିୟାଣା)
କାର୍ଯ୍ୟକାରୀ ବୋର୍ଡ ସଦସ୍ୟ: ଅରୁଣ କୁମାର ସାରସ୍ବତ (ହକି ରାଜସ୍ଥାନ), ଆଶ୍ରିତା ଲାକ୍ରା (ହକି ଝାଡଖଣ୍ଡ), ଗୁରପ୍ରୀତ୍‌ କୌର୍‌ (ହକି ଦିଲ୍ଲୀ), ଭି ସୁନିଲ କୁମାର (ହକି କେରଳ), ତପନ କୁମାର ଦାସ (ହକି ଆସାମ)।

କିଂବଦନ୍ତି ଯୋଡ଼ି ଧନରାଜ-ଦିଲୀପ

ଭାରତୀୟ ହକିର ଦୁଇ ସଫଳ ବ୍ୟକ୍ତି ହେଲେ ଦିଲୀପ ତିର୍କି ଏବଂ ଧନରାଜ ପିଲ୍ଲେ। ପ୍ରଚଣ୍ଡ ପ୍ରତିଭାଧାରୀ ଏହି ଆଦିବାସୀ ଖେଳାଳି ଯୋଡ଼ିଙ୍କ ଅବଦାନ ପାଇଁ ଭାରତୀୟ ହକି ଶିଖରକୁ ଉଠିଥିଲା। ଖେଳ ଜୀବନ ପ୍ରାରମ୍ଭରେ ଉଭୟଙ୍କ ମଧ୍ୟରେ ତିକ୍ତତା ଭରି ରହିଥିବା କଥା ବେଶ ଆଲୋଚନା ହେଉଥିଲେ ମଧ୍ୟ ପରବର୍ତୀ ସମୟରେ ପରସ୍ପରର ଭଲ ବଂଧୁ ହୋଇପାରିଛନ୍ତି। ଏପରିକି ୨୦୧୮ ମସିହାରେ ଓଡ଼ିଶା ପ୍ରଥମ ଥର ପୁରୁଷ ହକି ବିଶ୍ବକପ୍‌ ଆୟୋଜନ କରିଥିବା ବେଳେ କଳିଙ୍ଗ ଷ୍ଟାଡ‌ିୟମ୍‌ରେ ଉଭୟଙ୍କ ପାଇଁ ଏକ ପ୍ରଦର୍ଶନୀ ମ୍ୟାଚ୍ ସମସ୍ତଙ୍କ ଆକର୍ଷଣରେ ରହିଥିଲା। କଳିଙ୍ଗ ଷ୍ଟାଡିୟମ୍‌ରେ ଦିଲ-ଧନ ନାମରେ ଅନୁଷ୍ଠିତ ଏହି ମ୍ୟାଚ୍‌ ମଧ୍ୟ ପ୍ରଶଂସକଙ୍କୁ ନିଆରା ଅନୁଭବ ଦେଇଥିଲା। ଉଭୟ ଦିଲୀପ ଓ ଧନରାଜ ନିଜ ନିଜ ଦଳର ନେତୃତ୍ବ ନେଇଥିବା ବ‌େଳେ ବହୁ ପୂର୍ବତନ ଭାରତୀୟ ଖେଳାଳି ଏଥିରେ ଅଂଶଗ୍ରହଣ କରିଥିଲେ।

ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, କ୍ରୀଡ଼ା ସଚିବଙ୍କ ଅଭିନନ୍ଦନ
ହକି ଇଣ୍ଡିଆ ସଭାପତି ଭାବେ ବିନା ପ୍ରତିଦ୍ବନ୍ଦ୍ବିତାରେ ନିର୍ବାଚିତ ହୋଇଥିବା ପଦ୍ମଶ୍ରୀ ଦିଲୀପ ତିର୍କିଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣା ଏବଂ ଓଡ଼ିଶା କ୍ରୀଡ଼ା ବିଭାଗ ଟ୍ବିଟର୍‌ରେ ଦିଲୀପଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ‘‘ହକି ଇଣ୍ଡିଆ ସଭାପତି ଭାବେ ନିର୍ବାଚିତ ହୋଇଥିବା ପୂର୍ବତନ ଭାରତୀୟ ହକି ଅଧିନାୟକ ଓଡ଼ିଆ ପୁଅ ଦିଲୀପ ତିର୍କିଙ୍କୁ ଅଭିନନ୍ଦନ। ମୁଁ ନିଶ୍ଚିତ ଯେ, ଜଣେ ଚମତ୍କାର ଖେଳାଳି ଭାବେ ସେ ଭାରତୀୟ ହକିକୁ ଶିଖରକୁ ନେଇଯିବେ। ତାଙ୍କୁ ଅନେକ ଶୁଭେଚ୍ଛା ଓ ଶୁଭକାମନା’’ ବୋଲି ମୁଖ୍ୟମନ୍ତ୍ରୀ ଟ୍ବିଟର୍‌ରେ ପ୍ରକାଶ କରିଛନ୍ତି। ଭିନିଲ କ୍ରିଷ୍ଣା ନିଜ ଟ୍ବିଟର୍‌ରେ ଲେଖିଛନ୍ତି ଯେ ‘‘ଅଭିନନ୍ଦନ! ଓଡ଼ିଶା ପାଇଁ ଗର୍ବର ମୁହୂର୍ତ୍ତ। ମୁଁ ନିଶ୍ଚିତ ଯେ ଆପଣଙ୍କ ନେତୃତ୍ବରେ ଦେଶର ହକି ବହୁ ଆଗକୁ ଯିବ’’। ‘‘ପ୍ରଥମ ଥର ଲାଗି ହକି ଇଣ୍ଡିଆ ସଭାପତି ଭାବେ ନିର୍ବାଚିତ ହୋଇଥିବାରୁ ପଦ୍ମଶ୍ରୀ ଦିଲୀପ ତିର୍କିଙ୍କୁ ଅନେକ ଶୁଭେଚ୍ଛା। କାମନା କରୁଛୁ ତାଙ୍କର ନେତୃତ୍ବରେ ହକି ଇଣ୍ଡିଆ ଉଚ୍ଚକୁ ଯିବ’’ ବୋଲି ଓଡ଼ିଶା କ୍ରୀଡ଼ା ବିଭାଗ କହିଛି।
ଓଡ଼ିଶା ଅଲିମ୍ପିକ୍‌ ସଂଘ (ଓଓଏ) ପକ୍ଷରୁ ଦିଲୀପଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ହକି ଇଣ୍ଡିଆ ସଭାପତି ଭାବେ ସେ ହକିକୁ ଶିଖରରେ ପହଞ୍ଚାଇପାରିବେ ବୋଲି ଓଓଏର ସାଧାରଣ ସଂପାଦକ ଅଭିଜିତ୍‌ ପଲ କହିଛନ୍ତି।

 

ସମ୍ବନ୍ଧିତ ଖବର