ଜାତୀୟ ଟେନିସ୍‌ କ୍ରିକେଟ୍ ୧୦ରୁ: ଓଡ଼ିଶା ପୁରୁଷ ପ୍ରସ୍ତୁତ, ମହିଳା କରିବେ ପଦାର୍ପଣ

ଭୁବନେଶ୍ବର: ଓଡ଼ିଶାରେ ‌ହେବାକୁ ଯାଉଥିବା ପଞ୍ଚମ ଜାତୀୟ ଟେନିସ୍‌ କ୍ରିକେଟ୍ ପ୍ରତିଯୋଗିତା ଲାଗି ଓଡ଼ିଶା ଦଳର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ପୂର୍ବ ୪ ସଂସ୍କରଣରେ ଉପବିଜେତା ରହିଥିବା ଓଡ଼ିଶା ପୁରୁଷ ଦଳ ପ୍ରଥମ ଥର ଟ୍ରଫି ବିଜେତା ହେବା ନେଇ ଆତ୍ମବିଶ୍ବାସରେ ଥିବା ବେଳେ ମହିଳା ଦଳ ପଦାର୍ପଣରେ କିଛି ଛାପ ଛାଡ଼ିବାର ଆଶା ରଖିଛି। ଉଭୟ ଦଳକୁ ସୋମବାର ଭାରତୀୟ ଟେନିସ୍‌ କ୍ରିକେଟ୍ ସଂଘ ଏବଂ ଓଡ଼ିଶା ଟେନିସ୍ କ୍ରିକେଟ୍‌ ସଂଘ ସମ୍ପାଦକ ଶୈବାଳ କୁମାର ମିତ୍ର ଶୁଭକାମନା ଜଣାଇ ଘରୋଇ ମାଟିରେ ହେଉଥିବା ଏହି ପ୍ରତିଯୋଗିତାକୁ ଫାଇଦା ନେବାକୁ ଖେଳାଳିମାନଙ୍କୁ ଆହ୍ବାନ ଦେଇଛନ୍ତି। ମାର୍ଚ ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାର ମହିଳା ବିଭାଗ ମ୍ୟାଚ୍‌ଗୁଡ଼ିକ ନହରକଣ୍ଟାସ୍ଥିତ ଶ୍ରୀଜୟଦେବ ବୈଷୟିକ ବିଶ୍ବବିଦ୍ୟାଳୟ ପଡ଼ିଆରେ ଏବଂ ପୁରୁଷ ବିଭାଗ ମ୍ୟାଚ୍‌ ଗୁଡ଼ିକ ସେଞ୍ଚୁରିଅନ୍‌ ବିଶ୍ବବିଦ୍ୟାଳୟ ପଡ଼ିଆରେ ଖେଳାଯିବ। ପୁରୁଷ ବିଭାଗରେ ହିମାଚଳ ପ୍ରଦେଶ ଏବଂ କର୍ଣ୍ଣାଟକ ଗତ ଥରର ବିଜେତା ହୋଇଥିବା ବେଳେ ଏଥର ମୋଟ ୩୨ ଦଳ ଉଭୟ ବର୍ଗରେ ଭାଗ ନେବେ। ଟେନିସ୍‌ କ୍ରିକେଟ୍‌ ଖେଳାଳିମାନଙ୍କୁ ଅନ୍ତର୍ଜାତୀୟସ୍ତରରେ ପହଞ୍ଚାଇବା ଏକମାତ୍ର ଲକ୍ଷ୍ୟ ବୋଲି ଶ୍ରୀ ମିତ୍ର ସୋମବାର ଆହୂତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ। ଓଡ଼ିଶା‌ରେ ୧୯ ଜିଲ୍ଲା ଏବଂ ଦେଶରେ ୨୮ ରାଜ୍ୟରେ ଟେନିସ୍‌ କ୍ରିକେଟ୍ ସଂଘ ଅନୁବଂଧିତ ରହିଛି। ଅନ୍ତର୍ଜାତୀୟ ଫର୍ମାଟ ଓ ନିୟମ ଅନୁସାରେ ସବୁ ପ୍ରତିଯୋଗିତା ୧୫ ଓଭର ବିଶିଷ୍ଟ ଖେଳାଯାଉଛି ବୋଲି ଶ୍ରୀ ମିତ୍ର ପ୍ରକାଶ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ସଂଗଠନ ସମ୍ପାଦକ ବାସୁବେବ ଓଝା (ପୁରୁଷ) ଏବଂ ରାଗିଣୀ ମିତ୍ର (ମହିଳା)ଙ୍କ ସହ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

ଓଡ଼ିଶା ଦଳ
ପୁରୁଷ: ଦୀପକ କୁମାର ମଲ୍ଲିକ (ଅଧିନାୟକ), ଅମରେନ୍ଦ୍ର ଦାସ, ପ୍ରବୀଣ ଆଚାର୍ଯ୍ୟ, ସୁଧାଂଶୁ କୁମାର ଜେନା (ଉପଅଧିନାୟକ), ହିତେଶ କୁମାର ରାଉତ, ସ୍ବାଗତ ଚକ୍ର, ବଦ୍ରିନାରାୟଣ ନାଥ, ରାମାକାନ୍ତ ସିଂହ, ପି ସୁଦର୍ଶନ ରେଡ୍ଡୀ, ଜନସନ୍ କୁମାର, ସୌମ୍ୟ ମହାନ୍ତି, ନିହାର ରଂଜନ ନାୟକ, ସୁଧାଂଶୁ‌‌ ଶେଖର ଦାଶ, ସନ୍ତୋଷ ପ୍ରଧାନ, ଧର୍ମେନ୍ଦ୍ର ସାମଲ, ସମୀର ବାରିକ, କୈଳାସ ସିଂହ, ସତ୍ୟନାରାୟଣ ମଲ୍ଲିକ, ତୁଷାର ପଟ୍ଟନାୟକ।

ମହିଳା: ବିଦ୍ୟୁତପ୍ରଭା ସିଂହ, ଜ୍ୟୋତିସ୍ମିତା ପାଣ୍ଡିଆ, ଝିଲିମଣି ମହାନ୍ତ, ମାମାଲି ତରାଇ, ପ୍ରଜ୍ଞା ଜାନି, ସଂଜିତା ଦାସ, ଲକ୍ଷ୍ମୀ ମାରାଣ୍ଡି, ଅଞ୍ଜନା ମୁଖୀ (ଉପଅଧିନାୟିକା), ଦମୟନ୍ତୀ ବେହେରା, ପ୍ରୀତିଲତା ନାୟକ, ନିକିତା ଘୋଷ, ଅଞ୍ଜୁଲତା ସାହୁ, ରଶ୍ମିତା ବେହେରା, ଛନ୍ଦାରାଣୀ ମାଝୀ, ପ୍ରୀତି ଯାଦବ (ଅଧିନାୟିକା), ବାସନ୍ତୀ ତିର୍କି, ବାସନ୍ତୀ ପଣ୍ଡା, ଦୀପ୍ତିମୟୀ ଭୂୟାଁ।

ସମ୍ବନ୍ଧିତ ଖବର