ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ ହକି କମ୍ପ୍ଲେକ୍ସରେ ଚାଲିଥିବା ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ହକି ପ୍ରତିଯୋଗିତାର ମହିଳାଙ୍କ ଭୁବନେଶ୍ବର ଚରଣ ଶୁକ୍ରବାର ଶେଷ ହୋଇଛି। ଶନିବାରଠୁ ପୁରୁଷଙ୍କ ଭୁ‌ବନେଶ୍ବର ଚରଣ ପ୍ରୋ ଲିଗ୍‌ କଳିଙ୍ଗରେ ଆରମ୍ଭ ହେବ। ଉଦ୍‌ଘାଟନୀ ଦିବସରେ ଘରୋଇ ଦଳ ଭାରତ ତା’ର ୨୦୨୩-୨୪ ଅଭିଯାନ ସ୍ପେନ୍‌ ବିପକ୍ଷରୁ ଆରମ୍ଭ କରିବାକୁ ଯାଉଛି। ଏହି ମ୍ୟାଚ୍‌ ସଂଧ୍ୟା ୭.୩୦ରେ ଖେଳାଯିବ। ଏହା ପୂର୍ବରୁ ଆୟର୍ଲାଣ୍ଡ ଓ ନେଦରଲାଣ୍ଡ୍‌ସ ୫.୩୦ରେ ମୁହାଁମହିଁ ହେବେ। ସଂପ୍ରତି ବିଶ୍ବ ମାନ୍ୟତାରେ ଭାରତ ତୃତୀୟ ସ୍ଥାନରେ ଓ ସ୍ପେନ୍‌ ୮ରେ ରହିଛି। ଭାରତ ଆଗରେ ରହିଲେ ବି ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ମ୍ୟାଚ୍‌ରେ ସ୍ପେନ୍‌ ୨-୧ ଗୋଲ୍‌ରେ ଜିତିଥିଲା। ଏହା ପୂର୍ବରୁ ଭୁବନେଶ୍ବରରେ ଆୟୋଜିତ ୨-୨୩ ସଂସ୍କରଣ ବିଶ୍ବକପ୍‌ରେ ଭାରତ ୨-୦ରେ ସ୍ପେନ୍‌କୁ ମାତ୍‌ ଦେଇଥିଲା। ଗତ ଥର ଭାରତ ଚତୁର୍ଥରେ ଓ ସ୍ପେନ୍‌ ପଞ୍ଚମ ସ୍ଥାନରେ ରହିଥିଲା। ଚଳିତ ବର୍ଷ ଅଲିମ୍ପିକ୍‌ସ ଥିବାରୁ ଏହି ପ୍ରତିଯୋଗିତା ଉଭୟ ଦଳ ପାଇଁ ପୂର୍ବ ପ୍ରସ୍ତୁତି ସ୍ବରୂପ। ତେଣୁ ଉଭୟ ଦଳ ଭଲରୁ ଆରମ୍ଭ କରିବାକୁ ଚେଷ୍ଟା କରିବେ। ଏସୀୟ ଚାମ୍ପିଅନ୍‌ସିପ୍‌ ପରେ ଦଳ ଏସୀୟ କ୍ରୀଡ଼ା ବିଜେତା ହୋଇଥିବା ହର୍ମନପ୍ରୀତଙ୍କ ନେତୃତ୍ବାଧୀନ ଭାରତ ଘରୋଇ ସମର୍ଥନରେ ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଚାହିବ।

Advertisment

ବରୁଣଙ୍କୁ ନେଇ ଚିନ୍ତା ନାହିଁ: ଫୁଲ୍‌ଟନ
ଡିଫେଣ୍ଡର ବରୁଣ କୁମାରଙ୍କ ବିରୋଧରେ ହୋଇଥିବା ଦୁଷ୍କର୍ମ ଅଭିଯୋଗ ପୁରୁଷ ହକି ଦଳ ପାଇଁ ଏକ ଶକ୍ତ ଝଟକା ଭଳି। ପ୍ରୋ ଲିଗ୍‌ରେ ତାଙ୍କ ଅନୁପସ୍ଥିତି ଏକ ଆଘାତ ସମସ୍ୟା ସହ ସମାନ। ଏହା ନିଶ୍ଚିତ ଚ୍ୟାଲେଞ୍ଜ୍‌ର କଥା। ଆମେ ସବୁ ବେଳେ ଆଘାତ ଜନିତ ସମସ୍ୟା ଲାଗି ପ୍ରସ୍ତୁତ ରହିଥାଉ। ‌‌ତେଣୁ ତାଙ୍କ ଅନୁପସ୍ଥିତ କିଛି ପ୍ରଭାବ ପକାଇବ ନାହିଁ। ଆମେ ଆମ ଯୋଜନା ଅନୁଯାୟୀ ଖେଳିବୁ। ପ୍ୟାରିସ ଅଲିମ୍ପିକ୍‌ସ ପୂର୍ବରୁ ଏହି ପ୍ରତିଯୋଗିତା ଆମ ପାଇଁ ଗୁରୁତ୍ବପୂର୍ଣ୍ଣ। ଘରୋଇ ପଡ଼ିଆରେ ଖେଳୁଥିବାରୁ ଏହା ଏକ ବଡ଼ ସୁଯୋଗ। ଭୁବନେଶ୍ବର ଓ ରାଉରକେଲା ଲେଗ୍‌ରେ ଆମେ ୮ ମ୍ୟାଚ୍‌ ସ୍ପେନ୍‌, ଆୟର୍ଲାଣ୍ଡ, ନେଦରଲାଣ୍ଡ୍‌ସ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବୁ। ଏହି ମ୍ୟାଚ୍‌ରୁ ଆମେ ଆଗାମୀ ପ୍ୟାରିସ ଅଲିମ୍ପିକ୍‌ ପାଇଁ ଦଳ ଚୟନ କରିପାରିବୁ। ଭାଲେନ୍‌ସିଆ ଗସ୍ତରେ ଆମର ପ୍ରଦର୍ଶନ ଟିକେ ଖରାପ ଥିଲା। କାରଣ ଜାତୀୟ ପ୍ରତିଯୋଗିତା ଥିବାରୁ ପିଲାମାନେ ଅଭ୍ୟାସର ସୁଯୋଗ କମ୍‌ ପାଇଥିଲେ। ଦକ୍ଷିଣ ଆଫ୍ରିକା ଗସ୍ତରେ ମିଶ୍ରିତ ଫଳ ମିଳିଥିଲା। ୨ ବିଜୟ ପାଇଥିଲା ବେଳେ ଗୋଟିଏ ଅମୀମାଂସିତ ରଖିଥିଲୁ ଏବଂ ବିଶ୍ବର ଏକନମ୍ବର ନେଦରଲାଣ୍ଡ୍‌ସଠୁ ୧-୫ରେ ପରାସ୍ତ ହୋଇଥିଲୁ। ଏବେ ଏସବୁକୁ ଭୁଲି ଶ୍ରେଷ୍ଠ ଦେବାକୁ ଚେଷ୍ଟା କରିବୁ ବୋଲି ମ୍ୟାଚ୍‌ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖ୍ୟ ପ୍ରଶିକ୍ଷକ ଗ୍ରେଗ୍‌ ଫୁଲଟନ୍‌ କହିଛନ୍ତି।

ଅଲିମ୍ପିକ୍ସ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ: ହର୍ମନପ୍ରୀତ
ପ୍ୟାରିସ ଅଲିମ୍ପିକ୍‌ସ ପୂର୍ବରୁ ଏହା ଆମର ଶେଷ ପ୍ରତିଯୋଗିତା। ତେଣୁ ଏହା ଆମ ପାଇଁ ବିଶେଷ ଗୁରୁତ୍ବ ରଖୁଛି। ଆମେ ଶ୍ରେଷ୍ଠ ଦେବାକୁ ଚେଷ୍ଟା କରିବୁ। ଘରୋଇ ପ୍ରଶଂସକଙ୍କ ସମର୍ଥନ ‌ଥିବାରୁ ଏହା ଆମ ମନୋବଳକୁ ଦୃଢ଼ କରିବ। ବରୁଣ ଆମର ସମ୍ଭାବ୍ୟ ୨୯ ଜଣିଆ ଦଳରେ ରହିଛନ୍ତି। ନିକଟରେ ପ୍ରଶିକ୍ଷକ କହି ସାରିଛନ୍ତି ଯେ ଦଳକୁ ନେଇ ପରୀକ୍ଷାନିରୀକ୍ଷା କରିବେ। ତେଣୁ ବରୁଣ ଆମ ସହ ଥିବାରୁ ସେ ଖେଳିପାରନ୍ତି ବୋଲି ଅଧିନାୟକ ହର୍ମନପ୍ରୀତ ସିଂହ କହିଛନ୍ତି।