ଆଜିଠୁ ଭାରତର ବିଶ୍ବକପ୍ ଅଭିଯାନ ଆରମ୍ଭ : ଅପରାହ୍ନ ୩ଟାରେ ଦକ୍ଷିଣ ଆଫ୍ରିକା ସହ ମୁକାବିଲା

ସାଉଥମ୍ପଟନ୍: ବିଶ୍ବ କ୍ରିକେଟ୍‌ର ସବୁଠାରୁ ଚର୍ଚିତ ତଥା ଲୋକପ୍ରିୟ ଦଳ ଭାରତ ବୁଧବାର ବିଶ୍ବକପ୍ ଅଭିଯାନ ଆରମ୍ଭ କରିବ। କୋହଲି ବାହିନୀର ପ୍ରଥମ ପ୍ରତିଦ୍ବନ୍ଦ୍ବୀ ଦକ୍ଷିଣ ଆଫ୍ରିକା। ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ ୩ଟାରୁ ଖେଳାଯିବ।


ଆକ୍ରମଣକୁ ଅସ୍ତ୍ର କରିବ ଭାରତ
ଭାରତ ଆକ୍ରମଣାତ୍ମକ କ୍ରିକେଟ୍ ଖେଳିବ। ଏହି ସଙ୍କେତ ଅଧିନାୟକ ବିରାଟ କୋହଲି ମ୍ୟାଚ୍ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ଦେଇଛନ୍ତି। ଯଶପ୍ରୀତ ବୁମରା, ମହମ୍ମଦ ସାମି, ହାର୍ଦିକ ପାଣ୍ଡ୍ୟା ଏବଂ ସମ୍ଭବତଃ ଭୁବନେଶ୍ବର କୁମାର ଦକ୍ଷିଣ ଆଫ୍ରିକା ଉପରେ ପେସ୍ ଆକ୍ରମଣ କରିବେ। କେଦାର ଯାଦବ ଫିଟ୍ ଘୋଷିତ ହେବା ଭାରତ ପାଇଁ ଭଲ ଖବର। ଅଭ୍ୟାସ ମ୍ୟାଚ୍‌ରେ ଶତକ ଅର୍ଜନ କରିବା ପରେ ବତର୍କିତ ଚତୁର୍ଥ ସ୍ଥାନରେ ଲୋକେଶ ରାହୁଲ ଖେଳି ପାରନ୍ତି। କେଦାର ଦଳରେ ନ ରହିଲେ ବିଜୟ ଶଙ୍କର ୬ ଏବଂ ହାର୍ଦିକ ପାଣ୍ଡ୍ୟା ୭ରେ ଖେଳି ପାରନ୍ତି। କୁଲଦୀପ ଯାଦବ ଦଳରେ ରହିବାର ସମ୍ଭାବନା ଅଧିକ। ୟୁଜବେନ୍ଦ୍ର ଚହଲଙ୍କ ସ୍ଥାନରେ ରବୀନ୍ଦ୍ର ଜାଦେଜାଙ୍କ ମୁଣ୍ଡରେ ଅଧିନାୟକ ଓ ପ୍ରଶିକ୍ଷକ ସୁନା କଳଶ ଢାଳି ପାରନ୍ତି। ଶିଖର ଧାୱନ ଏବଂ ରୋହିତ ଶର୍ମା ପାଳି ଆରମ୍ଭ କଲା ପରେ କୋହଲି ତୃତୀୟ ଏବଂ ଧୋନି ପଞ୍ଚମରେ ବ୍ୟାଟିଂ କରିବାର ସମ୍ଭାବନା ଅଧିକ। ଭାରତ ଏହି ମ୍ୟାଚ୍ କମଳା ରଙ୍ଗର ଜର୍ସିରେ ଖେଳିପାରେ।

ସମ୍ଭାବ୍ୟ ଭାରତ: ବିରାଟ କେହଲି (ଅଧିନାୟକ), ଶିଖର ଧାୱନ, ରୋହିତ ଶର୍ମା, ‌ଲୋକେଶ ରାହୁଲ, ମହେନ୍ଦ୍ର ସିଂହ ଧୋନି, କେଦାର ଯାଦବ, ବିଜୟ ଶଙ୍କର, ହାର୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ, ରବୀନ୍ଦ୍ର ଜାଦେଜା/ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ ବୁମରା, ମହମ୍ମଦ ସାମି, ଭୁବନେଶ୍ବର କୁମାର।ଦକ୍ଷିଣ ଆଫ୍ରିକା ପାଇଁ କଡ଼ା ପରୀକ୍ଷା
ଦକ୍ଷିଣ ଆଫ୍ରିକା ତା’ ବିଶ୍ବକପ୍ ଅଭିଯାନର ପ୍ରଥମ ଦୁଇ ମୁକାବିଲାରେ ପରାଜିତ ହୋଇଛି। ପ୍ରଥମ ମ୍ୟାଚ୍‌ରେ ଆୟୋଜକ ଇଂଲଣ୍ଡ ଏବଂ ଦ୍ବିତୀୟରେ ବାଂଲାଦେଶଠାରୁ ମ୍ୟାଚ୍ ହାରି ଚିନ୍ତାରେ ଅଛି। ଉଭୟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଦୁର୍ବଳ ବୋଲିଂ କରିଥିଲା। ଲୁଙ୍ଗି ଏନଗିଡ଼ି ଆହତ ହେବା ଏବଂ ଡେଲ୍ ଷ୍ଟେନ୍ ସଂପୂର୍ଣ୍ଣ ବିଶ୍ବକପରୁ ବାଦ୍ ପଡ଼ିବା ଏହି ଦଳ ପାଇଁ ସ୍ଥିତି ଆହୁରି ସଙ୍ଗୀନ କରିଛି। ପ୍ରଥମ ମ୍ୟାଚ୍‌ରେ ହାସିମ ଆମଲା ଜୋଫ୍ରା ଆର୍ଚରଙ୍କ ବଲ୍‌ରେ ଆହତ ହୋଇଥିଲେ। ଏସବୁକୁ ଆଖି ଆଗରେ ରଖି ଦକ୍ଷିଣ ଆଫ୍ରିକା ବୁଧବାର ମ୍ୟାଚ୍ ଲାଗି ନିଜ ଚୂଡ଼ାନ୍ତ ଦଳରେ ଅଦଳ ବଦଳ କରିପାରେ। ଆଘାତ ଜନିତ ସମସ୍ୟା ସହ ଡେଭିଡ୍ ମିଲର, ଏଦେନ ମର୍କରାମ, ଆନ୍ଦିଲ ଫେଲୁକ୍ବାଓଙ୍କ ଭଳି ଖେଳାଳି ପାଉଥିବା ଆରମ୍ଭକୁ ବଡ଼ ‌ସ୍କୋରରେ ରୂପାନ୍ତର କରି ନପାରିବା ଦକ୍ଷିଣ ଆଫ୍ରିକା ଆଉ ଏକ ଝଟ୍‌କା ହୋଇଛି। ସେଥିପାଇଁ ଅଧିନାୟକ ଫାଫ୍ ଡୁ’ ପ୍ଲେସିସଙ୍କ ଉପରେ ଚାପ ପୂର୍ବାପେକ୍ଷା ଢେର ବଢ଼ିଛି। ସ୍ପିନ୍ ବୋଲିଂ ବିପକ୍ଷରେ ଦଳରେ ଥିବା ଦୁର୍ବଳତା ମଧ୍ୟ ପଦାକୁ ଆସିଛି। ଷ୍ଟେନ୍ ବାଦ୍ ପଡ଼ିବା ପରେ କାଗିସୋ ରବାଦା ହିଁ ଆସନ୍ତାକାଲି ଦକ୍ଷିଣ ଆଫ୍ରିକା ବୋଲିଂ ବାହିନୀର ନେତୃତ୍ବ ନେବେ। ଅଭିଜ୍ଞ ସ୍ପିନର ଇମ୍ରାନ ତାହିରଙ୍କ ଭୂମିକା ମଧ୍ୟ ଗୁରୁତ୍ବପୂର୍ଣ୍ଣ ରହିବ।
ସମ୍ଭାବ୍ୟ ଦକ୍ଷିଣ ଆଫ୍ରିକା: ଫାଫ୍‌ ଡୁ’ପ୍ଲେସିସ୍ (ଅଧିନାୟକ), କ୍ବିଣ୍ଟନ୍ ଡି’କକ୍, ଏଦେନ ମର୍କରାମ, ହାସିମ ଆମଲା, ଜେପି ଡୁମିନି, ଡେଭିଡ୍ ମିଲର, ଡେଲ ‌ଷ୍ଟେନ୍, କାଗିସୋ ରବାଦା, ‌ଡ୍ବେନ୍ ପର୍ଟୋରିଅସ୍, ଆନ୍ଦିଲ ଫେଲୁକ୍ବାଓ, ତାବ୍ରାଇଜ୍ ଶମଶି, ଇମ୍ରାନ ତାହିର, ଲୁଙ୍ଗି ଏନଗିଡ଼ି, କ୍ରିସ୍ ମୋରିସ୍, ରସି ଭାନ ଡର ଡୁସେନ।

କୋହଲା ପାଗ
ସାଉଥମ୍ପଟନର ଏଜେସ୍ ବାୱେଲ ଷ୍ଟାଡିୟମ୍ ବ୍ୟାଟ୍ସମ୍ୟାନଙ୍କୁ ସୁହାଇବ। ତେବେ ବୁଧବାର ଏଠାରେ ପାଗ କ‌ୋହଲା ରହିବ। ଅସରାଏ ଦି ଅସରା ବର୍ଷା ହେବାର ମଧ୍ୟ ପୂର୍ବାନୁମାନ ରହିଛି। ଏହାକୁ କୋହଲି ବାହିନୀକୁ ନଜରରେ ରଖିବାକୁ ପଡ଼ିବ। କୋହଲା ପାଗ ପାଇଁ ଟସର ମହତ୍ବ ମଧ୍ୟ ବଢ଼ିବ। ବର୍ଷା ପାଇଁ ଶ୍ରୀଲଙ୍କା-ଆଫଗାନିସ୍ତାନ ମ୍ୟାଚ୍ ପ୍ରଭାବିତ ହୋଇଥିଲା ବେଳେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ରେ ଏଭଳି ଘଟିଲେ ଭାରତ ଅପେକ୍ଷା ଦକ୍ଷିଣ ଆଫ୍ରିକା ଫାଇଦାରେ ରହିବ।

ପ୍ରଥମ ମ୍ୟାଚ୍‌ରେ ଭାରତ ୫-୬ ପଛୁଆ

ଲଣ୍ଡନ୍‌: ବୁଧବାରଠାରୁ ଭାରତ ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିବାକୁ ଯାଉଥିବା ବେଳେ ନିଜର ପ୍ରଥମ ମ୍ୟାଚ୍‌କୁ ନେଇ ଉତ୍କଣ୍ଠା ଆସିଛି। ଅତୀତରେ ଖେଳାଯାଇଥିବା ୧୧ଟି ବିଶ୍ବକପ୍‌ରେ ଭାରତ ନିଜର ପ୍ରଥମ ମ୍ୟାଚ୍‌ ସଫଳତାକୁ ପ୍ରାୟ ଅଧା ଅଧା ରଖିଛି। ୫ ଜିତି ୬ ହାରିଛି। ସବୁଠାରୁ ମଜା କଥା ହେଉଛି ଭାରତ ଯେଉଁ ଦୁଇ ଥର (୧୯୮୩ ଏବଂ ୨୦୧୧) ବିଶ୍ବକପ୍‌ ଜିତିଥିଲା‌ ସେଥର ନିଜର ପ୍ରଥମ ମ୍ୟାଚ୍‌ରେ ବିଜୟରୁ ଅଭିଯାନ ଆରମ୍ଭ କରିଥିଲା।

ସମ୍ବନ୍ଧିତ ଖବର