ଆଜିଠୁ ଭାରତର ଇଂଲିସ୍‌ ଋତୁ

ମାଞ୍ଚେଷ୍ଟର୍‌: ମଙ୍ଗଳବାରଠାରୁ ଭାରତୀୟ କ୍ରିକେଟ୍‌ ଦଳର ଇଂଲିସ୍‌ ଗ୍ରୀଷ୍ମଋତୁ ଆରମ୍ଭ ହେବ। ୩ ଲେଖାଏଁ ଟେ୍ଵଣ୍ଟି-୨୦ ଓ ଦିନିକିଆ ପରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‍ ଶୃଙ୍ଖଳା ଖେଳାଯିବ। ମଙ୍ଗଳବାର ମାଞ୍ଚେଷ୍ଟର୍‌ରେ ପ୍ରଥମ ଟେ୍ଵଣ୍ଟି-୨୦ ଖେଳାଯିବାକୁ ଯାଉଛି।
ଭାରତୀୟ ଦଳରେ ୫ ଜଣ ପ୍ରମୁଖ ଖେଳାଳି ରହିଛନ୍ତି ଯିଏକି ଏହି ଗସ୍ତରେ ପ୍ରଭାବ ଛାଡ଼ିପାରିବେ। କ୍ରିକେଟ୍‌ର ଯେ କୌଣସି ଫର୍ମାଟ୍‌ ହେଉ ଅଧିନାୟକ ବିରାଟ କୋହଲିଙ୍କ ପାଇଁ କିଛି ଫରକ ପକାଇନଥାଏ। ୨୦୧୭-୧୮ ଋତୁରେ ୧୧ ସୀମିତ ଓଭର ମ୍ୟାଚ୍‌ରୁ ୪୫୫ ରନ୍‌ ସଂଗ୍ରହ କରିଥିବା ଏହି ୨୯ ବର୍ଷୀୟ ତାରକା ଅନେକ କୀର୍ତିମାନକୁ ନିଜ ନାମରେ କରି ସାରିଛନ୍ତି। କିନ୍ତୁ ଭାରତର ଶେଷ ଇଂଲଣ୍ଡ ଗସ୍ତ (୨୦୧୪)ରେ କୋହଲି ନିରାଶ କରିଥିଲେ। ୧୦ ପାଳିରୁ ମାତ୍ର ୧୩୪ ରନ୍‌ ସଂଗ୍ରହ କରି ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ। ଯେଉଁଥିପାଇଁ ଭାରତ ୧-୪ରେ ଟେଷ୍ଟ୍‍ ଶୃଙ୍ଖଳା ହାରିଥିଲା।
ଅନ୍ୟ ଜଣେ ଭାରତୀୟ ହେଲେ ୩୬ ବର୍ଷୀୟ ଓ୍ଵିକେଟ୍‌ରକ୍ଷକ ବ୍ୟାଟସମ୍ୟାନ୍‌ ମହେନ୍ଦ୍ର ସିଂହ ଧୋନି। ଭାରତକୁ ଟେଷ୍ଟ୍‍ କ୍ରିକେଟ୍‌ରେ ଏକ ନମ୍ବର କରାଇବା ଏବଂ ଦିନିକିଆ ଓ ଟେ୍ଵଣ୍ଟି-୨୦ରେ ବିଶ୍ୱବିଜେତା କରାଇଥିବା ଧୋନି ଦିନିକିଆର ଜଣେ ଭଲ ମୁଣ୍ଡି ମରାଳି। ଇଂଲଣ୍ଡ ମାଟିରେ ସେ ୨୫ ଦିନିକିଆ ମ୍ୟାଚ୍‌ରୁ ୮୮୨ ରନ୍‌ ସଂଗ୍ରହ କରିଛନ୍ତି। ସମ୍ପ୍ରତି ସେ ଚେନ୍ନାଇ ସୁପର୍‌ କିଙ୍ଗ୍‌ସକୁ ଆଇପିଏଲ୍‌ ବିଜେତା କରାଇଛନ୍ତି। ଆସନ୍ତା ବର୍ଷ ଇଂଲଣ୍ଡରେ ଦିନିକିଆ ବିଶ୍ୱକପ୍‌ ଥିବାରୁ ଏହି ଗସ୍ତ ତାଙ୍କ ପାଇଁ ନିର୍ଣ୍ଣାୟକ ହେବ। କିନ୍ତୁ ଧୋନିଙ୍କ ଭଳି ଶାନ୍ତ ସ୍ୱାଭାବରେ ରହି ଜୋସ୍‌ ବଟଲର୍‌ ଏବେ ଅଷ୍ଟ୍ରେଲିଆ ବିପକ୍ଷରେ ୫-୦ ବିଜୟ ପାଇଥିବାରୁ ଆତ୍ମବିଶ୍ୱାସରେ ରହିଛନ୍ତି।
ଅଲରାଉଣ୍ଡ୍‌ର ହାର୍ଦିକ ପାଣ୍ଡ୍ୟା ଭାରତର ନୂଆ ତାରକା। ଚେହେରା, ଚୁଟି, କାନ ରିଙ୍ଗ୍‌ ନିଶ୍ଚିତ ତାଙ୍କୁ ପଡ଼ିଆ ଭିତରେ ଗ୍ଲାମର ଭରା ରଖିବ। କିନ୍ତୁ ଶକ୍ତିଶାଳୀ ହିଟିଂ ଭାରତକୁ ମଧ୍ୟକ୍ରମରେ ଦୃଢ଼ ରଖିବାର ପ୍ରତିଶ୍ରୁତି ଦେଉଛି। କପିଳ ଦେବଙ୍କ ସହ ତୁଳନୀୟ ହେଉଥିଲେ ମଧ୍ୟ ପାଣ୍ଡ୍ୟାଙ୍କୁ ଅନେକ ବାଟ ଯିବାର ଅଛି। ମାତ୍ର ୨ ବର୍ଷ ତଳେ ସେ ଟେ୍ଵଣ୍ଟି-୨୦ ପଦାର୍ପଣ କରିଛନ୍ତି। ଟେଷ୍ଟ୍‍ ପଦାର୍ପଣରେ ଶ୍ରୀଲଙ୍କା ବିପକ୍ଷରେ ଶତକ ମାରି ସେ ମଧ୍ୟ ଉଭୟ ବ୍ୟାଟ୍‌ ଓ ବଲ୍‌ରେ ଦକ୍ଷ ବୋଲି ପ୍ରମାଣ ଛାଡ଼ିଛନ୍ତି।
ତେଇଶ ବର୍ଷୀୟ ଉଦିତ ତାରକା କୁଲଦୀପ ଯାଦବ ନିଜର ସଂକ୍ଷିପ୍ତ ଖେଳ ଜୀବନରେ ଅନେକ ବଡ଼ ଖେଳାଳିଙ୍କ ଓ୍ଵିକେଟ୍‌ ନେଇ ସାରିଛନ୍ତି। ୟୁଜବେନ୍ଦ୍ର ଚହଲଙ୍କୁ ସହ ଯୋଡ଼ି ହୋଇ ଇଂଲଣ୍ଡ ପାଇଁ ସେମାନେ କାଳ ହେବେ ବୋଲି କୋହଲି ବିଶ୍ୱାସ ରଖିଛନ୍ତି। ଏହି ବାମହାତୀ ରିଷ୍ଟ୍‍ ସ୍ପିନର୍‌ ୨୦ ଦିନିକିଆରୁ ୩୯୦ ଓ୍ଵିକେଟ୍‌ ନେଇଛନ୍ତି। କିନ୍ତୁ ଚହଲଙ୍କ ସହ ତାଙ୍କ ଯୋଡ଼ି ବିଶେଷ ଫଳପ୍ରଦ ରହିଛି। ମାତ୍ର ୨ ଟେଷ୍ଟ୍‍ ଖେଳିଥିଲେ ମଧ୍ୟ କୁଲଦୀପ ଏବେ ଭାରତରେ ଘରେଘରେ ପରିଚିତ। ଗତ ସପ୍ତାହରେ ଆୟର୍ଲାଣ୍ଡ୍‌ ବିପକ୍ଷ ଟେ୍ଵଣ୍ଟି-୨୦ରେ ସେ ଖେଳ ଜୀବନର ଶ୍ରେଷ୍ଠ ବୋଲିଂ ୪/୨୧ କରିଥିଲେ। ଭଲ ଆରମ୍ଭ ହୋଇଛି ସତ, କିନ୍ତୁ ଇଂଲଣ୍ଡ ବିପକ୍ଷ ମୁକାବିଲା ନିଶ୍ଚିତ ଆହ୍ଵାନଭରା ରହିବ ବୋଲି କୁଲଦୀପ କହିଛନ୍ତି।
ଭୁବନେଶ୍ୱର କୁମାରଙ୍କ ଉପରେ ରହିବ ଦ୍ରୁତ ବୋଲିଂ ବିଭାଗ। ସିମିଂ ଯୋଗାଉଥିବା ଇଂଲିସ୍‌ ପରିସ୍ଥିତିରେ ଭୁବି ଘରୋଇ ବ୍ୟାଟସମ୍ୟାନ୍‌ଙ୍କୁ ନିଜ ସୁଇଙ୍ଗ୍‌ ଓ ନିୟନ୍ତ୍ରଣରେ ପରାସ୍ତ କରିବେ ବୋଲି ଆଶା ରହିଛି। ମାତ୍ର ୧୯ ବର୍ଷ ବୟସରେ ସଚିନ ତେନ୍ଦୁଲକରଙ୍କୁ ଘରୋଇ କ୍ରିକେଟ୍‌ରେ ପ୍ରଥମ ‘ଶୂନ’ରେ ଆଉଟ୍‌ କରିଥିବା ଭୁବନେଶ୍ୱର କୁମାର ଇତିମଧ୍ୟରେ ସୀମିତ ଓଭର ଅନ୍ତର୍ଜାତୀୟରେ ୧୨୬ ଓ୍ଵିକେଟ୍‌ ଅକ୍ତିଆର କରି ସାରିଲେଣି। ନିକଟରେ ସଚିନ ତେନ୍ଦୁଲକର ମଧ୍ୟ ଭାରତର ଦ୍ରୁତ ବୋଲିଂ ବିଭାଗ ସମ୍ପୂର୍ଣ୍ଣ ବୋଲି ମତ ଦେଇଥିଲେ। ଟେଷ୍ଟ୍‍ ପାଇଁ ଭୁବିଙ୍କ ସହିତ ଈଶାନ୍ତ ଶର୍ମା, ଉମେଶ ଯାଦବ ଏବଂ ଟେ୍ଵଣ୍ଟି-୨୦, ଦିନିକିଆରୁ ବାଦ୍‌ ପଡ଼ିଥିବ ବୁମରା ରହିଥିବାରୁ ସଚିନ ଏଭଳି କହିଥିଲେ।

ସମ୍ବନ୍ଧିତ ଖବର