ଆଜିଠାରୁ ତୃତୀୟ ଟେଷ୍ଟ୍‌ ସମ୍ମାନ ରକ୍ଷାର ଶେଷ ସୁଯୋଗ

ଜୋହାନେସବର୍ଗ, : ଭାରତ-ଦକ୍ଷିଣ ଆଫ୍ରିକା ଶୃଙ୍ଖଳାର ତୃତୀୟ ତଥା ଶେଷ ଟେଷ୍ଟ ବୁଧବାରଠାରୁ ଜୋହାନେସବର୍ଗର ଓ୍ଵାଣ୍ଡରର୍ସ ଷ୍ଟାଡିୟମରେ ଖେଳାଯିବ। କେପଟାଉନ ଏବଂ ସେଞ୍ଚୁରିଅନରେ ଖେଳା ଯାଇଥିବା ପ୍ରଥମ ଦୁଇ ଟେଷ୍ଟରେ ପରାଜିତ ହୋଇ ଶୃଙ୍ଖଳା ହାତଛଡ଼ା କରି ସାରିଥିବା ଭାରତୀୟ କ୍ରିକେଟ୍‌ ଦଳ ପାଇଁ ସମ୍ମାନରକ୍ଷାର ଏହା ଶେଷ ସୁଯୋଗ ହେବ। ଜୋହାନେସବର୍ଗରେ ଜିତି ନ ପାରିଲେ ଆଇସିସି ମାନ୍ୟତାର ପ୍ରଥମ ସ୍ଥାନରେ ଥିବା ଭାରତ ଲଜ୍ଜାଜନକ ଭାବେ ୦-୩ରେ ଶୃଙ୍ଖଳା ହାରିବ। ଏଣୁ କୋହଲି ବାହିନୀ ଓ୍ଵାଣ୍ଡରର୍ସରେ ଲଢ଼ୁଆ କ୍ରିକେଟ୍‌ ଖେଳି ସାନ୍ତ୍ୱନାମୂଳକ ବିଜୟ ହାସଲ କରିବା ଲକ୍ଷ୍ୟରେ ରହିବ। ସେପଟେ ଘରୋଇ ଦକ୍ଷିଣ ଆଫ୍ରିକା ଲଗାତାର ତୃତୀୟ ବିଜୟ ହାସଲ କରି ୨୦୧୫ ପରାଜୟର ପ୍ରତିଶୋଧ ନେବା ଯୋଜନାରେ ଥିବ। ୨୦୧୫ରେ ଭାରତ ଗସ୍ତ କରି ଦକ୍ଷିଣ ଆଫ୍ରିକା ୦-୩ରେ ଶୃଙ୍ଖଳା ହାରିଥିଲା। ଘରୋଇ ପରିବେଶରେ ଦକ୍ଷିଣ ଆଫ୍ରିକା ସମାନ ବ୍ୟବଧାନରେ ଭାରତକୁ ହରାଇବା ଲାଗି ଆପ୍ରାଣ ଉଦ୍ୟମ କରିବ। ଭାରତ ବି ଜୋହାନେସବର୍ଗରେ ଜିତି ମୂଳପୋଛ ପରାଜୟ ଏଡ଼ାଇବାକୁ ନିଜର ସବୁ ଶକ୍ତି ଖଟାଇ ଦେବ। ରାହାଣେ ଓ ଭୁବି ସାମିଲ ହେବେ ସେଞ୍ଚୁରିଅନରେ ଭୁବନେଶ୍ୱର କୁମାରଙ୍କୁ ଦଳରୁ ବାଦ୍‌ ଦେଇ ତୀବ୍ର ସମାଲୋଚନାର ସମ୍ମୁଖୀନ ହୋଇଥିବା ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଜୋହାନେସବର୍ଗରେ ଆଉ ଏହି ଭୁଲ ଦୋହରାଇବେ ନାହିଁ। ସେଥିପାଇଁ ଭୁବି ତୃତୀୟ ଟେଷ୍ଟରେ ଦଳକୁ ଫେରିବାର ଆଶା ଅଧିକ। ସେହିଭଳି ଶୃଙ୍ଖଳାରେ ଆଦୌ ସୁଯୋଗ ପାଇ ନଥିବା ଅଜିଙ୍କ୍ୟ ରାହାଣେ ମଧ୍ୟ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବା ଏକ ପ୍ରକାର ନିଶ୍ଚିତ। ଭାରତ ପାଖରେ ପାଞ୍ଚ ଜଣ ଦ୍ରୁତ ବୋଲର ଥିଲେ ମଧ୍ୟ ଯସପ୍ରୀତ ବୁମରା ଜୋହାନେସବର୍ଗରେ ଉମେଶ ଯାଦବଙ୍କ ପାଇଁ ବାଟ ଛାଡ଼ିବାର ସଂକେତ ସୋମବାର ନେଟ୍ସରୁ ମିଳିଛି। କାରଣ ତାଙ୍କୁ ଛାଡ଼ି ଭୁବନେଶ୍ୱର କୁମାର, ଈଶାନ୍ତ ଶର୍ମା, ଉମେଶ ଯାଦବ ଏବଂ ମହମ୍ମଦ ସାମି ଦୀର୍ଘ ସମୟ ପର୍ଯ୍ୟନ୍ତ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିଲା। ରାହାଣେ ଫେରିବାର ସଂକେତ କୋହଲି ଦେଇଥିଲେ ମଧ୍ୟ ରୋହିତ ଶର୍ମା ବାଦ ପଡ଼ିବେ କି ନାହିଁ ତାହା ସ୍ପଷ୍ଟ କରି ନାହାନ୍ତି। ରୋହିତ ଖେଳିଲେ ଆର ଅଶ୍ୱିନ ସୁଯୋଗ ପାଇବେନି। ଅଶ୍ୱିନ ଖେଳିଲେ ବି ରୋହିତ ବେଞ୍ଚରେ ବସିବାକୁ ବାଧ୍ୟ ହେବେ। ଏଣୁ ଭାରତ ୬ ବ୍ୟାଟ୍ସମ୍ୟାନ୍‌ ଏବଂ ୫ ଦ୍ରୁତ ବୋଲରଙ୍କୁ ବି ଖେଳାଇପାରେ । ଅନ୍ୟ ପକ୍ଷରେ ଦକ୍ଷିଣ ଆଫ୍ରିକା ତା’ ଚୂଡ଼ାନ୍ତ ଦଳରେ ବଡ଼ ଧରଣର ଅଦଳ ବଦଳର କରିବାର ସମ୍ଭାବନା ଆଦୌ ନାହିଁ। ସମ୍ଭାବ୍ୟ ଭାରତ: ବିରାଟ କୋହଲି (ଅଧିନାୟକ), ମୁରଲୀ ବିଜୟ, ଲୋକେଶ ରାହୁଲ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ, ହାର୍ଦିକ ପାଣ୍ଡ୍ୟା, ରୋହିତ ଶର୍ମା/ ରବିଚନ୍ଦ୍ରନ୍‌ ଅଶ୍ୱିନ, ପାର୍ଥିବ ପଟେଲ/ଦୀନେଶ କାର୍ତିକ, ଭୁବନେଶ୍ୱର କୁମାର, ଈଶାନ୍ତ ଶର୍ମା, ମହମ୍ମଦ ସାମି। ସମ୍ଭାବ୍ୟ ଦକ୍ଷିଣ ଆଫ୍ରିକା: ଫାଫ୍‌ ଡୁ ପ୍ଲେସିସ୍‌ (ଅଧିନାୟକ), ଡିନ୍‌ ଏଲଗାର, ଏଦେନ ମାର୍କରମ, ହାସିମ ଆମଲା, ଏବି ଡିଭିଲିୟର୍ସ, କ୍ୱିଣ୍ଟନ ଡି’ କକ୍‌, ଭର୍ନାନ ଫିଲାଣ୍ଡର, ଆନ୍ଦିଲ ଫେହୁଲଖ୍ଵାଓ, କାଗିସୋ ରବାଦା, ମର୍ନି ମର୍କେଲ, ଲୁଙ୍ଗି ଏନ୍‌ଗିଡି। ଓ୍ଵାଣ୍ଡରର୍ସରେ ଭାରତ ହାରିନି ଜୋହାନେସବର୍ଗରେ ଭାରତ କେବେବି ଟେଷ୍ଟ ମ୍ୟାଚ୍‌ ହାରିନି। ଯାହା କୋହଲି ବାହିନୀ ପାଇଁ ମନୋବଳବୃଦ୍ଧିକାରୀ ଖବର ହୋଇପାରେ। ଏହି ପଡ଼ିଆରେ ଭାରତ ଚାରିଟି ଟେଷ୍ଟ ଖେଳିଛି। ସେଥିମଧ୍ୟରୁ ଗୋଟିଏରେ ବିଜୟ ଲାଭ କରିଥିଲା ବେଳେ ଅନ୍ୟ ତିନିଟିକୁ ଅମୀମାଂସିତ ରଖିବାକୁ ସକ୍ଷମ ହୋଇଛି। ଭାରତ ଏଠାରେ ପ୍ରଥମେ ୧୯୯୨ ନଭେମ୍ବରରେ ଖେଳିଥିଲା। ଏହାପରେ ଜାନୁଆରି ୧୯୯୭, ଡିସେମ୍ବର ୨୦୦୬ ଏବହ ଡିସେମ୍ବର ୨୦୧୩ରେ ଟେଷ୍ଟ ମୁକାବିଲାରେ ଅବତୀର୍ଣ୍ଣ ହୋଇଥିଲା। ସେଥିମଧ୍ୟରୁ ୨୦୦୬ରେ ରାହୁଲ ଦ୍ରାବିଡଙ୍କ ନେତୃତ୍ୱରେ ବିଜୟୀ ହୋଇଥିଲା। ବିବାଦୀୟ ଦ୍ରୁତ ବୋଲର ଏସ୍‌ ଶ୍ରୀଶାନ୍ତ ୯୯ ରନ୍‌ ଦେଇ ୮ ଓ୍ଵିକେଟ୍‌ ନେବା ସହ ଭାରତ ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ। ପ୍ରାରମ୍ଭିକ ଯୋଡ଼ିର ବିଫଳତା ଚିନ୍ତାର କାରଣ ଚଳିତ ଦକ୍ଷିଣ ଆଫ୍ରିକା ଗସ୍ତରେ ଭଲ ଆରମ୍ଭ ନ ପାଇବା ଭାରତ ପାଇଁ ଚିନ୍ତାର କାରଣ ହୋଇଛି। ପ୍ରଥମ ଟେଷ୍ଟରେ ଶିଖର ଧାଓ୍ଵନ-ମୁରଲୀ ବିଜୟ ଏବଂ ଦ୍ୱିତୀୟରେ ମୁରଲୀ ବିଜୟ-ଲୋକେଶ ରାହୁଲ ପୂରା ବିଫଳ ହୋଇଥିଲେ। ଏହି ତିନି ଜଣଙ୍କର ମିଳିତ ଭାବେ ୧୧୩ ଟେଷ୍ଟର ଅଭିଜ୍ଞତା ଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକାରେ ଧଳା ବଲ୍‌କୁ ଖେଳିବା ଏମାନଙ୍କ ପାଇଁ କାଠିକର ପାଠ ହୋଇ ଚାଲିଛି। ଏଣୁ ଜୋହାନେସବର୍ଗରେ ଭାରତର ସଫଳତା ଅନେକାଂଶରେ ପ୍ରାରମ୍ଭିକ ଯୋଡ଼ିର ସଫଳତା ଉପରେ ନିର୍ଭର କରିବ। ଓ୍ଵାଣ୍ଡରର୍ସରେ ବିଜୟ-ରହୁଲ ପାଳି ଆରମ୍ଭ କରିବାର ସମ୍ଭାବନା ଅଧିକ ଥିବାରୁ ଏହି ଦୁଇ ଜଣଙ୍କୁ ହିଁ ଦାୟିତ୍ୱ ନେବାକୁ ହେବ। ସିଓଏ ବିପର୍ଯ୍ୟୟର ସମୀକ୍ଷା କରିବ ସଂପ୍ରତି ବିସିସିଆଇ ପରିଚାଳନା ଦାୟିତ୍ୱରେ ଥିବା ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସନିକ ସମିତି (ସିଓଏ) ଦକ୍ଷିଣ ଆଫ୍ରିକାରେ ଭାରତୀୟ କ୍ରିକେଟ୍‌ ଦଳର ବିପର୍ଯ୍ୟୟର ଆନୁଷ୍ଠାନିକ ସମୀକ୍ଷା କରିବ। ମଙ୍ଗଳବାର ନୂଆଦିଲ୍ଲୀରେ ଅନୁଷ୍ଠିତ ସିଓଏର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆ ଯାଇଛି। ବୈଠକରେ ସମିତିର ମୁଖ୍ୟ ବିନୋଦ ରାଏ, ସଦସ୍ୟ ତଥା ଭାରତୀୟ ମହିଳା କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟିକା ଡାଏନା ଇଦୁଲଜୀ ଓ ବିସିସିଆଇ ମୁଖ୍ୟ କାର୍ଯ୍ୟନିର୍ବାହୀ ରାହୁଲ ଜୋହରି ଉପସ୍ଥିତ ଥିଲେ। ଏହି ବୈଠକକୁ ବିସିସିଆଇର କାର୍ଯ୍ୟକାରୀ ସଭାପତି ସିକେ ଖାନ୍ନା କିମ୍ବା କାର୍ଯ୍ୟକାରୀ ସଂପାଦକ ଅମିତାଭ ଚୌଧୁରୀଙ୍କୁ ଡକା ଯାଇ ନଥିଲା।

ବୈଠକରେ ଆଇପିଏଲ୍‌ ପରିଚାଳନା ପରିଷଦ ନେଇଥିବା ନିଷ୍ପତ୍ତିକୁ ମଧ୍ୟ ମଞ୍ଜୁରି ଦିଆ ଯାଇଥିଲା। ବ୍ୟାଟରଙ୍କୁ ଦାୟିତ୍ୱବାନ ହେବାକୁ ପଡ଼ିବ ସୌରଭ ଗାଙ୍ଗୁଲି ଦକ୍ଷିଣ ଆଫ୍ରିକା ଶୃଙ୍ଖଳା ଜିତିବା ପରେ ଜୋହାନେସବର୍ଗ ଟେଷ୍ଟ ରୋମାଞ୍ଚ ହରାଇଛି ବୋଲି ସାଧାରଣରେ ଚର୍ଚା ହେଉଛି। ହେଲେ ମୁଁ ଭାବୁଛି ଆହୁରି ଅନେକ କ୍ରିକେଟ୍‌ ଖେଳାଯିବାର ବାକି ଅଛି। ପିଚ୍‌କୁ ନେଇ ଅବଶ୍ୟ ଅଧିକ ଆଲୋଚନା ପର୍ଯ୍ୟାଲୋଚନା ହେଉଛି। କ୍ୟୁରେଟର ଓ୍ଵାଣ୍ଡରର୍ସ ଷ୍ଟାଡିୟମରେ ସବୁଜ ଏବଂ ଜୀବନ୍ତ ପିଚ୍‌ କରିଥିବାର ସଂକେତ ବି ଦେଇଛନ୍ତି। ହେଲେ ବଲ୍‌ ନ ପଡ଼ିବା ପର୍ଯ୍ୟନ୍ତ ପିଚ୍‌ କେମିତି ବ୍ୟବହାର କରିବ ତାହା କହିବା ଏକବାର କଷ୍ଟକର। ଭାରତ ପାଞ୍ଚ ଜଣ ଦ୍ରୁତ ବୋଲର ଖେଳାଇବାକୁ ଚିନ୍ତା କରୁଥିବାର ସୂଚନା ମିଳିଛି। ହେଲେ ଏହା କରିବା ପୂର୍ବରୁ ସେମାନଙ୍କୁ ଭଲ ଭାବେ ଚିନ୍ତା କରିବାକୁ ପଡ଼ିବ। କାରଣ ପାଞ୍ଚ ଦିନିଆ କ୍ରିକେଟରେ ସ୍ପିନ୍‌ ସବୁବେଳେ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ରବିଚନ୍ଦ୍ରନ୍‌ ଅଶ୍ୱିନଙ୍କ ବ୍ୟାଟିଂ ଦକ୍ଷତାକୁ ଅଣଦେଖା କରିହେବ ନାହିଁ। ଚଳିତ ଶୃଙ୍ଖଳାରେ ଭାରତୀୟ ବୋଲର ଚମତ୍କାର ପ୍ରଦର୍ଶନ କରିଛନ୍ତି। ଉଭୟ ଟେଷ୍ଟରେ ସେମାନେ ୨୦ ଓ୍ଵିକେଟ୍‌ ଲେଖାଏଁ ନେଇଛନ୍ତି। ଏବେ ବ୍ୟାଟ୍ସମ୍ୟାନଙ୍କ ପାଳି।

ସେମାନେ ବୋର୍ଡରେ ରନ୍‌ କରି ବୋଲରଙ୍କୁ ଆବଶ୍ୟକ ସମର୍ଥନ ଦେବା ଜରୁରି। ଭାରତୀୟ ବ୍ୟାଟିଂ ବାହିନୀ ପାଖରେ ପ୍ରତିଭାର ଅଭାବ ନାହିଁ। ସେମାନେ ପୂର୍ବରୁ ଏହାର ପ୍ରମାଣ ଦେଇ ସାରିଛନ୍ତି। ଏଥର କରି ନ ପାରିବାର କୌଣସି କାରଣ ମୁଁ ଦେଖି ପାରୁ ନାହିଁ। ସେମାନଙ୍କ ନିଜ ଉପରେ ଭରସା ରଖିବାକୁ ହେବ। ସେମାନଙ୍କୁ ପ୍ରତି ରନ୍‌ ପାଇଁ ଲଢ଼ିବାକୁ ହେବ। ପିଚ୍‌ ମ୍ୟାଚ୍‌ ଆରମ୍ଭ ପୂର୍ବ ପର୍ଯ୍ୟନ୍ତ ସବୁଜ ରହିଲେ ଭାରତ ୪ ଜଣ ବୋଲରଙ୍କୁ ଖେଳାଇଲେ ଚଳିବ। ଅନ୍ୟଥା ପାଞ୍ଚ ଜଣ ବୋଲର ନୀତିକୁ ଜାରି ରଖିବାକୁ ହେବ। କୋହଲିଙ୍କ ନେତୃତ୍ୱ ଶୈଳୀକୁ ନେଇ ଅନେକ ଚର୍ଚା ହେଉଛି। ହେଲେ ଧୈର୍ଯ୍ୟ ଧରିବାକୁ ମୁଁ ସମସ୍ତଙ୍କୁ ପରାମର୍ଶ ଦେବି। ଜନ୍ମରୁ କେହି ନେତା ନଥାଆନ୍ତି। ସମୟ ଗଡ଼ିବା ଅନୁସାରେ ଏହି କଳାରେ ଉନ୍ନତି ଆସିଥାଏ। କୋହଲି ମଧ୍ୟ ଜଣେ ଦକ୍ଷ ଅଧିନାୟକ ହୋଇ ବାହାରିବେ ବୋଲି ମୋର ପୂର୍ଣ୍ଣ ବିଶ୍ୱାସ। ଚଳିତ ବର୍ଷ ଭାରତୀୟ କ୍ରିକେଟ୍‌ ଦଳ ବିଦେଶରେ ବହୁ ମ୍ୟାଚ୍‌ ଖେଳିବାର ଅଛି। ଏଣୁ ସମସ୍ତଙ୍କୁ ସେମାନଙ୍କୁ ସମର୍ଥନ ଦେବାକୁ ପଡ଼ିବ। ଆଇସିସି କ୍ରିକେଟର ଅଫ୍‌ ଦି ଇୟର ପୁରସ୍କାର ପାଇଥିବାରୁ ଏହାକୁ ଏକ ସୁଯୋଗ ଭାବେ ନେଇ ମୁଁ କୋହଲିଙ୍କୁ ଅଭିନନ୍ଦନ ଜଣାଉଛି। (ଗେମପ୍ଲାନ୍‌)

ସମ୍ବନ୍ଧିତ ଖବର