ଓସିଏ ସଦସ୍ୟ ପାଇଁ ଟଣାଓଟରା

କଟକ: ଓଡ଼ିଶା କ୍ରିକେଟ ସ˚ଘ (ଓସିଏ) ନୂଆ ସମ୍ବିଧାନକୁ‌ ନେଇ ଛକ‌ାପଞ୍ଝା ଲାଗି ରହିଛି। ପ୍ରଥମେ ବାଦ୍ ପଡ଼ିଥିବା କଟକର କ୍ଲବ ଓ ଶିକ୍ଷାନୁଷ୍ଠାନ ଏକାଠି‌ ହୋଇ ବିସିସିଆଇ, ଉଚ୍ଚତମ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ। ଏହା ପରେ ବହୁ ପୂର୍ବରୁ ଉପେକ୍ଷିତ ରାଜ୍ୟବ୍ୟାପୀ ୪୨ କ୍ଲବ୍ ଗୁଡ଼ିକ ମଧ୍ୟ ଓସିଏ ଓ ବିସିସିଆଇକୁ ଗୁହାରି କରିଛନ୍ତି। କିନ୍ତୁ ଏତିକିରେ ସୀମିତ ରହିନାହାନ୍ତି କୌଣସି ପକ୍ଷ। ଉଭୟଙ୍କ ଉ‌େଦ୍ଦଶ୍ୟ ଏକା ହୋଇଥିଲେ ବି ସେମାନେ ଅଲଗା ଅଲଗା ଯିବା ଏବଂ ପରସ୍ପରର ଗୋଡ଼ ଟାଣିବାରେ ଲାଗି ପଡ଼ିବା କ୍ରିକେଟପ୍ରେମୀ ସାଧାରଣଙ୍କୁ ବିସ୍ମିତ କରିଛି। କିନ୍ତୁ ଲୋଧା ସୁପାରିସ ଆସିବା ପୂର୍ବରୁ ଯେତେବେଳେ ଓସିଏ ଠିକ୍‌ ଭାବରେ କାର୍ଯ୍ୟକ୍ଷମ ଥିଲା, ସେତେବେଳେ କାହିଁକି ଆବେଦନ କରିଥିବା କ୍ଲବ୍‌ମାନଙ୍କୁ ସଦସ୍ୟତା ଦିଆଗଲା ନାହିିଁ? ଦେବାଶିଷ ମହାନ୍ତି, ଶିବସୁନ୍ଦର ଦାସଙ୍କ ଭଳି ଆନ୍ତର୍ଜାତିକ ଖେଳାଳି ସୃଷ୍ଟି କରିଥିବା ଭୁବନେଶ୍ବରର ସହିଦ ସ୍ପୋର୍ଟି˚ ଓ ପ୍ରଗତି ସ୍ପୋର୍ଟି˚ କ୍ଲବ୍‌ ପ୍ରତି ଓସିଏ କତ୍ତୃର୍ପକ୍ଷଙ୍କ ଦୃଷ୍ଟି ପଡ଼ିପାରିଲାନି କେମିତି ବୋଲି ମଧ୍ୟ ପ୍ରଶ୍ନ ଉଠୁଛି। ଏଭଳି ସ୍ଥିତିରେ ବିନା କୌଣସି ସ୍ବୀକୃତି ସମିତି ବୈଠକ ଡକା ନହୋଇ ମାତ୍ର ଦୁଇଟି ସଂସ୍ଥାକୁ ନୂଆ ସଦସ୍ୟ ଭାବେ ଗ୍ରହଣ କରିନେଇ ସମ୍ବିଧାନ ପ୍ରସ୍ତୁତ କରିଦିଆଗଲା। କଟକ ବାହାର କ୍ଲବ୍‌ଗୁଡ଼ିକୁ୍କୁ ସ୍ବୀକୃତି ଦେବାକୁ ଓସିଏର ପୂର୍ବ ବୈଠକଗୁଡ଼ିକରେ କିଛି ଆଲୋଚନା କରାଯାଉନଥିଲେ ବି ନିର୍ଦ୍ଧିଷ୍ଟ ଦୁଇ ଦଳକୁ କେଉଁ ଆଧାରରେ ସଦସ୍ୟ ଭାବେ ଗ୍ରହଣ କରାଯାଇଛି ବୋଲି ଅସନ୍ତୁଷ୍ଟ କ୍ଲବ୍‌ଗୁଡ଼ିକ ପ୍ରଶ୍ନ କରିଛନ୍ତି। ଅନ୍ତଃଜିଲ୍ଲା ପ୍ରତିଯୋଗିତାର ସବୁ ବର୍ଗରେ ଯେଉଁମାନେ ଖେଳୁଥିବେ ସେମାନଙ୍କୁ ସଦସ୍ୟତା ମିଳିପାରେ ବୋଲି ପରିଚାଳନା ସମିତି ଅଧ୍ୟକ୍ଷ ଧୀରେନ୍‌ ପଲେଇ କହୁଛନ୍ତି। କିନ୍ତୁ ଅନ୍ୟ କ୍ଲବ୍‌ଗୁଡ଼ିକୁ ସୁଯୋଗ ଦେଇଥିଲେ ସେମାନେ ବିଭିନ୍ନ ବୟସ ବର୍ଗରେ ଖେଳିବାକୁ ଆଗେଇ ଆସିପାରିଥାନ୍ତେ। ଯେଉଁ କ୍ଲବ୍‌ମାନେ ସ୍ବୀକୃତି ପାଇଥିଲେ ସେମାନେ ମଧ୍ୟ ଅନ୍ତଃକ୍ଲବ୍‌ ମ୍ୟାଚ୍‌ ଖେଳିବାକୁ ସୁଯୋଗ ପାଇଥିଲେ। ଓସିଏର ଅନ୍ତଃବିଦ୍ୟାଳୟ, ଅନ୍ତଃମହାବିଦ୍ୟାଳୟ, ଅନ୍ତଃକ୍ଲବ୍‌ ପ୍ରତିଯୋଗିତା ଶେଷ ଥର ପାଇଁ ୨୦୧୬ ମସିହାରେ ଖେଳାଯାଇଥିଲା। ସେଥର ନିର୍ବାଚନୀ ବର୍ଷ ହୋଇଥିବାରୁ ସବୁ ସଦସ୍ୟଙ୍କୁ ସନ୍ତୁଷ୍ଟ କରିବାକୁ କାମଚଳା ଭିତ୍ତିରେ ଏହି ପ୍ରତିଯୋଗିତା ଆୟୋଜନ ହୋଇଥିଲା। କିନ୍ତୁ ଏହାର ପୂର୍ବରୁ କିମ୍ବା ଏହା ପରଠୁ ଆଉ ଅନ୍ତଃକ୍ଲବ୍‌, ବିଦ୍ୟାଳୟ ଓ ମହାବିଦ୍ୟାଳୟ ପ୍ରତିଯୋଗିତା ଆୟୋଜନ ହେଉନାହିଁ।

ଏ ସ˚କ୍ରାନ୍ତରେ ଓସିଏର ପୂର୍ବତନ କୋଷାଧ୍ୟକ୍ଷ ତଥା ୟୁନିଅନ୍‌ ସ୍ପୋର୍ଟି˚ କ୍ଲବ୍‌ର ସମ୍ପାଦକ ପ୍ରଦୀପ ଚୌହାନ କହିଛନ୍ତି ଯେ ୨୦୦୪ ମସିହାରେ ୪ଟି କ୍ଲବ୍‌ଙ୍କୁ ପୂର୍ଣ୍ଣ ସଦସ୍ୟ ଭାବେ ଗ୍ରହଣ କରାଗଲା। କର୍ମକର୍ତ୍ତାଙ୍କ ମଧ୍ୟରେ ପୂର୍ବରୁ ୨ଯୁଗ୍ମ ସମ୍ପାଦକଙ୍କ ସ୍ଥାନରେ ୪ ଜଣଙ୍କୁ ଏବ˚ ୪ ଉପ ସଭାପତିଙ୍କ ସ୍ଥାନରେ ୧୧ ଜଣଙ୍କୁ ନିଆଯିବାକୁ ସମ୍ବିଧାନରେ ସ˚ଶୋଧନ କରାଯାଇଥିଲା। ହେଲେ କ୍ଲବ୍‌ଗୁଡ଼ିକୁ୍ ସ୍ବୀକୃତି ଦେବା କଥା ଆସିଲାବେଳକୁ ସମ୍ବିଧାନର ଦ୍ବାହି ଦେଇ କିଭଳି ଖସିଯାଉଥିଲେ। କ୍ଲବ୍‌ ସଦସ୍ୟମାନେ କେବଳ କଟକ ଭିତରେ ସୀମିତ ରହିବା ଅପେକ୍ଷା, ରାଜ୍ୟର ଅନ୍ୟ ସ୍ଥାନକୁ ପ୍ରସାରିତ ହେଲେ କ୍ରିକେଟର ଉନ୍ନତି ହେବ। ହେଲେ ଏଠାରେ କେବଳ ନିଜ ପକେଟରେ ଭୋଟକୁ ସୁରକ୍ଷିତ ରଖିବା ଆଶାରେ ପୂର୍ବତନ କର୍ମକର୍ତ୍ତାମାନେ ନୂଆ କ୍ଲବ୍‌୍କୁ ସ୍ବୀକୃତି ଦେବାରେ ପଛଘୁଞ୍ଚା ଦେଉଥିଲେ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଓସିଏ ପରିଚାଳନା ସମିତି ଅଧ୍ୟକ୍ଷ ଧୀରେନ୍‌ ପଲେଇ ପୂର୍ବ ଘଟଣା ବିଷୟରେ କିଛି କହିନଥିଲେ ବି, ଯେଉଁମାନେ ନୂଆ ସଦସ୍ୟ ହେବାକୁ ଚାହୁଁଛନ୍ତି, ସେମାନେ ନୂଆ କର୍ମକର୍ତ୍ତା ଆସିଲା ପରେ ଆବେଦନ କରିପାରିବେ। ନିୟମ ଅନୁସାରେ ସ୍ବୀକୃତି ମିଳିବାରେ କିଛି ଅସୁବିଧା ହେବ ନାହିଁ ବୋଲି ଧୀରେନ୍‌ କହିଛନ୍ତି।

ସମ୍ବନ୍ଧିତ ଖବର