୧୭ ବର୍ଷ ପ୍ରତୀକ୍ଷାର ଅନ୍ତ, ଶ୍ରୀଲଙ୍କାରେ ଟେ‌ଷ୍ଟ୍‌ ଶୃଙ୍ଖଳା ଜିତିଲା ଇଂଲଣ୍ଡ୍‌

କାଣ୍ଡି: ଭ୍ରମଣକାରୀ ଇଂଲଣ୍ଡ୍‌ ୫୭ ରନ୍‌ରେ ଘରୋଇ ଶ୍ରୀଲଙ୍କାକୁ ପରାସ୍ତ କରିବା ପରେ ଉତ୍କଣ୍ଠାପୂର୍ଣ୍ଣ ଦ୍ବିତୀୟ ଟେଷ୍ଟ୍‌ର ପରିସମାପ୍ତି ଘଟିଛି। ଫଳରେ ୨-୦ର ଅଗ୍ରଣୀ ସାଙ୍ଗକୁ ତୃତୀୟ ତଥା ଶେଷ ଟେଷ୍ଟ୍‌ ପୂର୍ବରୁ ଇଂଲଣ୍ଡ୍‌ ଶୃଙ୍ଖଳା କବ୍‌ଜା କରିନେଲା। ଏଥି ସହିତ ଶ୍ରୀଲଙ୍କା ମାଟିରେ ଟେଷ୍ଟ ଶୃଙ୍ଖଳା ଜିତିବା ପାଇଁ ଇଂଲଣ୍ଡ୍‌ର ୧୭ ବର୍ଷର ଅପେକ୍ଷାର ମଧ୍ୟ ଅନ୍ତ ଘଟିଛି। ଶେଷ ଥର ପାଇଁ ୨୦୦୧ରେ ନାସିର ହୁସେନ୍‌ଙ୍କ ନେତୃତ୍ବରେ ସିଂହଳୀ ମାଟିରେ ଇଂଲଣ୍ଡ୍‌ ଶୃଙ୍ଖଳା ଜିତିବା ପରଠାରୁ ଆଉ ସୁଯୋଗ ପାଇନଥିଲା। ଇଂଲଣ୍ଡ ମଧ୍ୟ ୬ ବର୍ଷ ପରେ ଏସିଆ ମହା‌ଦେଶରେ ମଧ୍ୟ ପ୍ରଥମ ଶୃଙ୍ଖଳା ଜିତିଲା। ଶେଷଥର ପାଇଁ ୨୦୧୨ରେ ଏହି ଭ୍ରମଣକାରୀ ଦଳ ଭାରତକୁ ୨-୧ରେ ହରାଇଥିଲା। ଉପମହାଦେଶରେ ଇଂଲଣ୍ଡ୍‌ର ଏହା ମଧ୍ୟ ଦଶମ ଟେଷ୍ଟ୍‌ ଶୃଙ୍ଖଳା ବିଜୟ। ସେହିପରି ୩ ବର୍ଷ ତଳେ ଦକ୍ଷିଣ ଆଫ୍ରିକାକୁ ୨-୦ରେ ପରାସ୍ତ କରିବା ପରେ ମଧ୍ୟ ବିଦେଶ ମାଟିରେ ଇଂଲଣ୍ଡ୍‌ର ଏହା ପ୍ରଥମ ଶୃଙ୍ଖଳା ବିଜୟ। ଶେଷ ଥର ପାଇଁ ବିଦେଶ ମାଟିରେ ଇଂଲଣ୍ଡ୍‌ ୨୦୧୬ ଜୁଲାଇରେ ଶୃଙ୍ଖଳା ବିଜୟ ପାଇଥିଲା।

୩୦୧ ରନ୍‌ର ବିଜୟ ଲକ୍ଷ୍ୟ ପାଇଥିବା ଶ୍ରୀଲଙ୍କାକୁ ରବିବାର ପଞ୍ଚମ ତଥା ଶେଷ ଦିନ ୩ ୱିକେଟ୍‌ ହାତରେ ଥାଇ ଆଉ ୭୫ ରନ୍‌ ଦରକାର ଥିଲା। ଅନ୍ୟପକ୍ଷରେ ଇଂଲଣ୍ଡ୍‌କୁ ଏହି ରନ୍‌ ମଧ୍ୟରେ ୩ ୱିକେଟ୍‌ ଝଡ଼ାଇବାର ଥିଲା। ଇଂଲଣ୍ଡ ସ୍ପିନରମାନେ ଘରୋଇ ଦଳକୁ ବିଜୟ ସୁଯୋଗ ଦେଇନଥିଲେ। ବିଶେଷକରି ଜାକ୍‌ ଲିଚ୍‌ (୫/୮୩), ମୋଇନ୍‌ ଅଲ୍ଲୀ (୪/୭୨) ଓ ଆଦିଲ ରସିଦ୍‌ (୧/୫୨) ଦ୍ବିତୀୟ ପାଳିର ସମସ୍ତ ୱିକେଟ୍‌ ବାଣ୍ଟି ନେଇ ଇଂଲଣ୍ଡ୍‌କୁ ବିଜୟ ଭେଟି ଦେଇଥିଲେ। ଚତୁର୍ଥ ଦିବସ ଶେଷରେ ୨୨୬/୭ କରିଥିବା ସିଂହଳୀ ଦଳ ଶେଷ ଦିନ ମାତ୍ର ୯ ଓଭର ଖେଳି ୧୭ ରନ୍ ଯୋଡ଼ିଥିଲା ବେଳେ ଅବଶିଷ୍ଟ ୩ ୱିକେଟ୍‌ ହରାଇଥିଲା। ନିରୋସାନ୍‌ ଡିକ୍‌ୱେଲା (୩୫) ଓ ଅଧିନାୟକ ସୁରଙ୍ଗା ଲାକ୍‌ମଲ (୦)ଙ୍କୁ ମୋଇନ୍‌ ପାଭିଲିୟନ୍‌ ପଠାଇ ଦେଇଥିଲା ବେଳେ ପୁଷ୍ପକୁମାରା (୧)ଙ୍କୁ ଆଉଟ୍‌ କରି ଲିଚ୍‌ ଶ୍ରୀଲଙ୍କା ଦ୍ବିତୀୟ ପାଳିରେ ପୂର୍ଣ୍ଣଛେଦ ଟାଣିଥିଲେ। ଏଥି ସହିତ ବିଦେଶରେ ୧୩ ଟେଷ୍ଟ୍‌ରେ ବିଜୟଶୂନ୍ୟ ରହି ଶ୍ରୀଲଙ୍କା ଆସିଥିବା ରୁଟ୍‌ଙ୍କ ଇଂଲଣ୍ଡ୍‌ ଦଳ ସେହି ଧାରାକୁ ଭାଙ୍ଗି ଦେଇଛି। ଦ୍ବିତୀୟ ପାଳିରେ ଚମତ୍କାର ଶତକ ହାସଲ କରିଥିବା ଇଂଲଣ୍ଡ୍‌ ଅଧିନାୟକ ଜୋ ରୁଟ୍‌ ମ୍ୟାଚ୍‌ର ଶ୍ରେଷ୍ଠ ‌ଖେଳାଳି ପୁରସ୍କାର ପାଇଲେ। ଶୁକ୍ରବାରଠାରୁ କଲମ୍ବୋରେ ତୃତୀୟ ତଥା ଶେଷ ଟେଷ୍ଟ୍‌ ଆରମ୍ଭ ହେବ।

ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ପ୍ରଥମ ପାଳି: ୨୯୦ ଓ ଦ୍ବିତୀୟ ପାଳି: ୩୪୬। ଶ୍ରୀଲଙ୍କା ପ୍ରଥମ ପାଳି: ୩୩୬ ଓ ଦ୍ବିତୀୟ ପାଳି: ୨୪୩ (ଦିମୁତ୍‌ କରୁଣାରତ୍ନେ-୫୭, ଆଞ୍ଜେଲୋ ମାଥ୍ୟୁସ୍‌-୮୮, ରୋସେନ୍‌ ସିଲ୍‌ଭା-୩୭, ନିରୋସାନ୍‌ ଡିକ୍‌ୱେଲା-୩୫, ଜାକ୍‌ ଲିଚ୍‌-୫/୮୩, ମୋଇନ୍‌ ଅଲ୍ଲୀ-୪/୭୨, ଆଦିଲ୍‌ ରସିଦ୍‌-୧/୫୨)।

ଗୋଟିଏ ଟେଷ୍ଟ୍‌ରେ ସ୍ପିନର ୩୮ ୱିକେଟ୍‌ ନେବା ପ୍ରଥମ
ପ୍ରଥମ ଥର ପାଇଁ ଗୋଟିଏ ‌ଟେଷ୍ଟ୍‌ରେ ସ୍ପିନରମା‌ନେ ୩୮ ୱିକେଟ୍‌ ନେଇଛନ୍ତି। କାଣ୍ଡି ଟେଷ୍ଟ୍‌ରେ ଉଭୟ ଦଳର ସ୍ପିନରମାନେ ୧୯ ଲେଖାଏଁ ୱିକେଟ୍‌ ଦଖଲ କରିଛନ୍ତି। ଇଂଲଣ୍ଡ୍‌ର ଲିଚ୍‌ ୮, ମୋଇନ୍‌ ଅଲ୍ଲୀ ୭, ଆଦିଲ୍‌ ରସିଦ୍‌ ୪ ୱିକେଟ୍‌ ପାଇଥିଲା ବେଳେ ଶ୍ରୀଲଙ୍କା ପକ୍ଷରୁ ଅକିଲ ଧନଞ୍ଜୟ ୮, ଦିଲ୍‌ରୁୱାନ ପେରେରା ୭ ଓ ପୁଷ୍ପକୁମାରା ୪ ୱିକେଟ୍‌ ପାଇ ଆଧିପତ୍ୟ ବିସ୍ତାର କରିଥିଲେ। ଏହା ପୂର୍ବରୁ ଗୋଟିଏ ଟେଷ୍ଟ୍‌ରେ ସ୍ପିନର ସର୍ବାଧିକ ୩୭ ୱିକେଟ୍‌ ନେବାର କୀର୍ତିମାନ ରହିଥିଲା। ଯାହାକି ୧୯୬୯-୭୦ରେ ଭାରତ-ନ୍ୟୁଜିଲାଣ୍ଡ୍‌ ନାଗପୁର ଟେଷ୍ଟ୍‌ରେ ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ୧୯୭୩ ମସିହା ପରେ ପ୍ରଥମ ଥର ପାଇଁ ଇଂଲଣ୍ଡ ବିପକ୍ଷ ଗୋଟିଏ ଟେଷ୍ଟ୍‌ରେ ଦ୍ରୁତ ବୋଲର ମାତ୍ର ଗୋଟିଏ ୱିକେଟ୍‌ ପାଇବାକୁ ସମର୍ଥ ହୋଇଥିଲେ। ସିଂହଳୀ ଅଧିନାୟକ ସୁରଙ୍ଗା ଲାକ୍‌ମଲ ଏହି ୱିକେଟ୍‌ ପାଇଥିଲା ବେଳେ ଇଂଲଣ୍ଡ୍‌ ଜେମ୍‌ସ ଆଣ୍ଡରସନ୍‌ ୱି‌କେଟ୍‌ଶୂନ୍ୟ ରହିଥିଲେ। କୌଣସି ଟେଷ୍ଟରେ ନିଜର ଦ୍ରୁତ ବୋଲର ୱିକେଟ୍‌ଶୂନ୍ୟ ରହିଥିଲା ବେଳେ ତୃତୀୟ ଥର ପାଇଁ ଇଂଲଣ୍ଡ ବିଜୟୀ ହୋଇଛି। ଏହା ପୂର୍ବରୁ ୧୯୫୧-୫୨ରେ ଭାରତ ବିପକ୍ଷ କାନପୁର ଟେଷ୍ଟ୍‌ ଏବଂ ୧୯୫୬ରେ ଓଲ୍‌ଡ ଟ୍ରାଫୋର୍ଡ ଆସେସ୍‌ ଟେଷ୍ଟ୍‌ରେ ଏହିଭଳି ଭାବେ ଇଂଲଣ୍ଡ୍‌ ବିଜୟୀ ହୋଇଥିଲା।

ସମ୍ବନ୍ଧିତ ଖବର