ଦିନିକିଆ ପାଇଁ ଦମ୍‌ଦାର ପ୍ରସ୍ତୁତି: ଝାଳ ବୁହାଇଲେ ଧାୱନ-ଧୋନି

ସିଡନି: ଟେଷ୍ଟ ଶୃଙ୍ଖଳାରେ ଐତିହାସିକ ବିଜୟ ହାସଲ କରିବା ପରେ ଭାରତୀୟ କ୍ରିକେଟ୍ ଦଳ ଏବେ ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଉପରେ ନଜର ପକାଇଛି। ଶନିବାରଠାରୁ ଆରମ୍ଭ ହେଉଥିବା ଏହି ଶୃଙ୍ଖଳା ଜିତି ଅଷ୍ଟ୍ରେଲିଆରେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିବା ପାଇଁ ଟିମ୍ ଇଣ୍ଡିଆ ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଖାସ୍ ଦିନିକିଆ ଶୃଙ୍ଖଳା ପାଇଁ ଦଳରେ ସାମିଲ ହୋଇଥିବା ଅଭିଜ୍ଞ ୱିକେଟ୍ ରକ୍ଷକ ମହେନ୍ଦ୍ର ସିଂହ ଧୋନି ଓ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ ବୁଧବାର ଢେର କିଛି ସମୟ ନେଟ୍ସରେ ଝାଳ ବୁହାଇଛନ୍ତି। ସିଡ୍‌ନି କ୍ରିକେଟ୍ ପଡ଼ିଆରେ ଏହି ଦୁଇ ଜଣଙ୍କ ସହ ଆଉ କେତେକ ଭାରତୀୟ ଖେଳାଳି ମଧ୍ୟ ବ୍ୟାଟିଂ ପ୍ରଶିକ୍ଷକ ସଞ୍ଜୟ ବାଙ୍ଗରଙ୍କ ତତ୍ତ୍ବାବଧାନରେ ଅଭ୍ୟାସ କରିଥିଲେ। ଆଗକୁ ବିଶ୍ବକପ୍ ଥିବାରୁ ଦଳର ଧ୍ୟାନ ଏବେ ପାଞ୍ଚ ଦିନିଆ କ୍ରିକେଟ୍ ଉପରୁ ହଟି ୫୦ ଓଭରିଆ କ୍ରିକେଟ୍ ଉପରେ କେନ୍ଦ୍ରୀଭୂତ ହୋଇଛି। ଟେଷ୍ଟ୍‌ ଶୃଙ୍ଖଳା ସରିବା ପରେ ଦିନିକିଆ ବିଶେଷଜ୍ଞ ଭାବେ ଧୋନି ଓ ଧାୱନଙ୍କ ସହ ଅମ୍ବାତି ରାୟୁଡୁ, କେଦାର ଯାଦବ, ୟୁଜବେନ୍ଦ୍ର ଚହଲ, ଦୀନେଶ କାର୍ତିକ, ଖଲିଲ ଅହମ୍ମଦ, ମହମ୍ମଦ ସିରାଜ ପ୍ରମୁଖ ଯୋଗ ଦେଇଛନ୍ତି। ବୁଧବାର କିଛି ଖେଳାଳି ଅଭ୍ୟାସ ଆରମ୍ଭ କରିଥିଲା ବେଳେ ଗୁରୁବାର ସମସ୍ତ ଦଳ ଏକାଠି ଅଭ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ଧାୱନ ଓ ରାୟୁଡୁ ଆଜି ବାମ ଓ ଡାହାଣ ହାତ ଥ୍ରୋ ଡାଉନର ସମ୍ମୁଖୀନ ହୋଇଥିଲେ। ଧୋନି ବାଙ୍ଗରଙ୍କ ସହ ଇନଡୋର ଅଭ୍ୟାସ କରିଥିଲେ। କେଦାର ଯାଦବ ମଧ୍ୟ କିଛି ସମୟ ପଡ଼ିଆକୁ ଆସିଥିଲେ। ଅଷ୍ଟ୍ରେଲିଆରେ ଶୃଙ୍ଖଳା ଖେଳିବା ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲାଣ୍ଡରେ ପାଞ୍ଚଟି ଦିନିକିଆ ଏବଂ ତିନିଟି ଟ୍ବେଣ୍ଟି-୨୦ ଖେଳିବାର ଅଛି।

ସମ୍ବନ୍ଧିତ ଖବର