ପାହାଡ଼ଚଢ଼ା ପାଇଁ ପାଣ୍ଠି ଅଭିଯାନ

ଭୁବନେଶ୍ବର: ସାତ ମହାଦେଶର ସାତଟି ଯାକ ସର୍ବୋଚ୍ଚ ଗିରିଶୃଙ୍ଗ ଚଢ଼ିବା ଲକ୍ଷ୍ୟକୁ ପୂରଣ କରିବା ଲାଗି ଗୋ ଇଣ୍ଡିଆ ଦୁଃସାହସିକ ଦଳର ସଦସ୍ୟମାନେ ରବିବାର ଏକ ନିଆରା ଅଭିଯାନ ଆରମ୍ଭ କରିଛନ୍ତି। ଆର୍ଥିକ ସହାୟତା ଲାଗି ସରକାରୀ ସହ ବିଭିନ୍ନ ବେସରକାରୀ ସଂସ୍ଥାକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ସେମାନେ ଏଥିଲାଗି ସିଧାସଳଖ ସାଧାରଣ ଜନତାଙ୍କ ପାଖକୁ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ରବିବାର ନୀଳକନ୍ଦର ପୁରୀରୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେଇ ଏହି ଦୁଃସାହସିକ ଦଳର ଯୁବ ସଦସ୍ୟମାନେ ପାଣ୍ଠି ସଂଗ୍ରହ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନ ଅନ୍ତର୍ଗତ ଦଳର ସଦସ୍ୟମାନେ ରାଜ୍ୟର ବିଭିନ୍ନ ସହର, ବଜାର ଓ ଗାଁକୁ ଯାଇ କିଛି କିଛି ଆର୍ଥିକ ସହାୟତା ଦେବାକୁ ସାଧାରଣ ଜନତାଙ୍କୁ ଅନୁରୋଧ କରିବେ। ଅନଲାଇନ୍‌ରେ ମଧ୍ୟ ଏଥିଲାଗି ପ୍ରୟାସ କରିବେ। ଆବଶ୍ୟକ ଅର୍ଥ ଯୋଗାଡ଼ ହେଲା ପରେ ନିଜ ପାହାଡ଼ଚଢ଼ା ଅଭିଯାନର ପ୍ରଥମ ସ‌ୋପାନରେ ସେମାନେ ମାଉଣ୍ଟ ଆକନକାଗୁଆ ଓ ଏଲବ୍ରୁଜ୍ ଚଢ଼ିବାକୁ ବାହାରି ଯିବେ। ପରବର୍ତୀ ସମୟରେ ସେମାନେ ଏଭରେଷ୍ଟ ଆରୋହଣ କରିବା ପାଇଁ ଚେଷ୍ଟା କରିବେ। ଯଦି ଦରକାରଠାରୁ ଅଧିକ ଅର୍ଥ ସଂଗ୍ରହ ହୁଏ ତାହଲେ ସମାଜ ମଙ୍ଗଳ ପାଇଁ କାମ କରୁଥିବା ଆଶାୟେଁ, ଜୟ ଓଡ଼ିଶା, ସେବା ପ୍ରୟାସ ଓ ଅମ୍ବିକା‌ ପ୍ରତିଷ୍ଠାନ ଭଳି ଦାତବ୍ୟ ସଂସ୍ଥାକୁ ବଳକା ଅର୍ଥ ଦାନ କରିବେ। ସର୍ବସାଧାରଣରୁ ପାଣ୍ଠି ସଂଗ୍ରହ ଅଭିଯାନ ସେମାନେ ଆସନ୍ତା ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଚାଲୁ ରଖିବେ। ପ୍ରତିଦିନ ସଂଗୃହୀତ ଅର୍ଥର ବିବରଣୀ ସେମାନେ ମଧ୍ୟ ଅନଲାଇନରେ ପ୍ରକାଶ କରିବେ। ବହୁତ ପ୍ରୟାସ ପରେ ମଧ୍ୟ ଆମେ ଆବଶ୍ୟକ ଅର୍ଥ ସଗ୍ରହ କରି ପାରି ନଥିଲୁ। ସେଥିପାଇଁ ପବ୍ଲିକ୍ ଫଣ୍ଡିଂ ଜରିଆରେ ଏଭରେଷ୍ଟ ସହ ବିଭିନ୍ନ ଗିରିଶୃଙ୍ଗ ଚଢ଼ିବାକୁ ନିଷ୍ପତ୍ତି ନେଲୁ। ଆମ ଦଳରେ ୧୦ ଜଣ ସଦସ୍ୟ ଅଛନ୍ତି। ସେମାନେ ଭିନ୍ନ ଭିନ୍ନ ଗିରିଶୃଙ୍ଗ ଚଢ଼ିବା ଲକ୍ଷ୍ୟରେ ଅଛନ୍ତି। ଏହା ମଧ୍ୟ ରାଜ୍ୟ ପାହାଡ଼ଚଢ଼ା ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିବ ବୋଲି ଗୋ ଇଣ୍ଡିଆ ଦୁଃସାହସିକ ଦଳର ସଂଯୋଜକ ନୀଳାଚଳ ପରିଡ଼ା କହିଛନ୍ତି। ଅଧିକ ବିବରଣୀ ପାଇଁ ୭୯୭୮୫୫୯୪୮୫ କିମ୍ବା ୮୦୯୩୫୪୬୮୪୪ରେ ଯୋଗାଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି। ସହୃଦୟ ବ୍ୟକ୍ତିମାନେ htpps://milaap.org/fundraisers/help-climb-mounteverestରେ ଲଗ୍ ଅନ୍ କରି ମଧ୍ୟ ସହାୟତା ରାଶି ପ୍ରଦାନ କରି ପାରିବେ। ପ୍ରଥମ ଦିନର ସଂଧ୍ୟା ସୁଦ୍ଧା ପ୍ରାୟ ୧୨୪୫ ଟଙ୍କା ସଂଗ୍ରହ ହୋଇଥିବା ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଗୋ ଇଣ୍ଡିଆ ଦୁଃସାହସିକ ଦଳରେ ଥିବା ସଦସ୍ୟମାନେ ହେଲେ ନୀଳାଚଳ ପରୀଡ଼ା, ମୀନତି ପୃଷ୍ଟି, ପଦ୍ମିନୀ ପ୍ରଧାନ, ଶୁଭଶ୍ରୀ ସ୍ବାଇଁ, ଶ୍ରୀତମ ନାଗ, ବବୁଲ ଦାସ, ବିଶ୍ବ ପ୍ରକାଶ ସାହୁ, ରାକେଶ ବେହେରା, ଅଭିଷେକ ବାରିକ, ସଂଜୟ କୁମାର ଗୋଛାୟତ, ଚିତ୍ତ ରଞ୍ଜନ ସାହୁ, ପ୍ରଦ୍ୟୁମ୍ନ ପ୍ରଧାନ, ନାରାୟଣ ବେହେରା, ମିଥୁନ ସ୍ବାଇଁ, ରଂଜିତ ବୀର, ବରୁଣ ବେହେରା।

ସମ୍ବନ୍ଧିତ ଖବର