ତିଗିରିଆ: କଟକ ଜିଲ୍ଲା ତିଗିରିଆ ବ୍ଲକ୍ ଅନ୍ତର୍ଗତ ଗଦାଧରପୁର ପଞ୍ଚାୟତ ହାଇସ୍କୁଲ ଖେଳ ପଡ଼ିଆରେ ମା’ ଭବାନୀ ସ୍ପୋର୍ଟସ କ୍ଲବ୍ ଆନୁକୂଲ୍ୟରେ ଚାଲିଥିବା ୨୮ତମ ଗଦାଧରପୁର କ୍ରିକେଟ ପ୍ରତିଯୋଗିତା ରବିବାର ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ୍‌ରେ ଦିଶାର ବୈଦେଶ୍ବର ଦଳକୁ ୪୪ ରନ୍‌ରେ ପରାସ୍ତ କରି ଭୁବନେଶ୍ବରର ରୟାଲ ଏକାଦଶ ଦଳ ଲଗାତାର ତୃତୀୟ ଥର ପାଇଁ ବିଜେତା ହୋଇଛି।  ଭୁବନେଶ୍ବର ଦଳ ନିର୍ଧାରିତ ୨୨ ଓଭରରେ ୮ ୱିକେଟ୍ ବିନିମୟରେ ୨୨୨ ରନ୍ କରିଥିଲା। ଏସ୍‌କେ ସଲାମତୁଲ୍ଲା (୧୧୫ ରନ୍‌) ଶତକ ଜମାଇଥିଲେ। ଜବାବରେ ବୈଦେଶ୍ବର ଦଳ ୨୨ ଓଭରରେ ୯ ୱିକେଟ୍‌ ହରାଇ ୧୭୮ ରନ୍ କରିପାରିଥିଲା। ସଲାମତୁଲ୍ଲା ଫାଇନାଲର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ନରେଶ ରାଉତ ଓ ଉମେଶ ସ୍ବାଇଁ ମ୍ୟାଚ୍‌ ପରିଚାଳନା କରିଥିବା ବେଳେ ବିପିନ ରାଉତ, ତ୍ରିଲୋଚନ ପ୍ରଧାନ ଓ ସୁଜିତ ସ୍ବାଇଁ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ। ଆଠଗଡ଼-ତିଗିରିଆ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତା ଟ୍ରଫି ପ୍ରଦାନ କରିଲା ବେଳେ ଆତ୍ମା ସଭାପତି ଉପବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ଶରତ ସ୍ବାଇଁ, ଆତ୍ମା ସଭାପତି ହରେନ୍ଦ୍ର ଦଳେଇ, ଗ୍ରାମ ସଭାପତି ଦୁଃଶାସନ ସ୍ବାଇଁ ଓ ବିଶ୍ବନାଥ ସ୍ବାଇଁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।