ଗଡ଼େଶ୍ବର କ୍ରିକେଟ୍‌ ଲିଗ୍‌: ଗ୍ରିନ୍ସ, ସହିଦ ବିଜୟୀ

ଭୁବନେଶ୍ବର: ଗାଡ଼କଣସ୍ଥିତ ଗଡ଼େଶ୍ବର କ୍ରୀଡ଼ା ସଂଘ ଓ ଗ୍ରିନ୍ସ କ୍ରିକେଟ୍‌ ଏକାଡେମିର ମିଳିତ ଆନୁକୂଲ୍ୟରେ ଆୟୋଜିତ ଗଡ଼େଶ୍ବର କନିଷ୍ଠ (୧୫ ବର୍ଷରୁ କମ୍‌) କ୍ରିକେଟ୍‌ ଲିଗ୍‌ର ତୃତୀୟ ଦିବସରେ ଗ୍ରିନ୍ସ ଏକାଡେମି ଓ ସହିଦ ସ୍ପୋର୍ଟିଂ ବିଜୟୀ ହୋଇଛନ୍ତି। ଗ୍ରିନ୍ସ ଦଳ ୪୭ ରନ୍‌ରେ ରାମେଶ୍ବର ସ୍ପୋର୍ଟିଂକୁ ଏବଂ ସହିଦ ସ୍ପୋର୍ଟିଂ ୨୮ ରନ୍‌ରେ ଟାଉନ୍‌ କ୍ଲବ୍‌କୁ ପରାସ୍ତ କରିଥିଲା। ରବିବାରର ପ୍ରଥମ ମ୍ୟାଚ୍‌ରେ ଗ୍ରିନ୍ସ ନିର୍ଧାରିତ ୨୫ ଓଭରରେ ୪ ୱିକେଟ୍‌ ବିନିମୟରେ ୧୭୫ ରନ୍‌ କରିଥିଲା। ଜବାବରେ ରାମେଶ୍ବର ୫ ୱିକେଟ୍‌ ହରାଇ ୧୨୮ ରନ୍‌ କରି ପାରିଥିଲା। ଶତକୀୟ ପାଳି ପାଇଁ ଗ୍ରିନ୍ସର ବିଭାଂଶୁ ରାୟ (୧୦୬, ୭୮ ବଲ୍‌) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଦ୍ବିତୀୟ ମ୍ୟାଚ୍‌ରେ ସହିଦ ସ୍ପୋ‌ର୍ଟିଂ ୨ ୱିକେଟ୍‌ ହରାଇ ୧୭୦ ରନ୍‌ କରିଥିଲା। ଜବାବରେ ଟାଉନ୍‌ କ୍ଲବ୍‌ ୯ ୱିକେଟ୍‌ ହରାଇ ୧୪୨ ରନ୍‌ କରିବାକୁ ସମର୍ଥ ‌ହୋଇଥିଲା। ଅର୍ଧଶତକ ହାସଲ କରିଥିବା ଅମୀୟ ଆଦିତ୍ୟ ଦାସ (୫୭ ରନ୍‌)ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ସୋମବାର ଟାଉନ୍‌ କ୍ଲବ୍‌ ଓ ପାରାମାଉଣ୍ଟ୍‌ ଏବଂ ରାମେଶ୍ବର ଓ ପ୍ରଗତି ସ୍ପୋର୍ଟିଂ ମଧ୍ୟରେ ମୁକାବିଲା ହେବ।

ସମ୍ବନ୍ଧିତ ଖବର