ଗଡ଼େଶ୍ବର କନିଷ୍ଠ କ୍ରିକେଟ୍‌ ଲିଗ୍‌: ପାରାମାଉଣ୍ଟ୍‌, ପ୍ରଗତି ବିଜୟୀ

ଭୁବନେଶ୍ବର: ଗାଡ଼କଣସ୍ଥିତ ଗଡ଼େଶ୍ବର କ୍ରୀଡ଼ା ସଂଘ ଓ ଗ୍ରିନ୍ସ କ୍ରିକେଟ୍‌ ଏକାଡେମିର ମିଳିତ ଆନୁକୂଲ୍ୟରେ ଆୟୋଜିତ ଗଡେଶ୍ବର କନିଷ୍ଠ (୧୫ ବର୍ଷରୁ କମ୍‌) କ୍ରିକେଟ୍‌ ଲିଗ୍‌ର ତୃତୀୟ ଦିବସରେ ପାରାମାଉଣ୍ଟ୍‌ ସ୍ପୋର୍ଟିଂ ଓ ପ୍ରଗତି ସ୍ପୋର୍ଟିଂ ବିଜୟୀ ହୋଇଛନ୍ତି। ପାରାମାଉଣ୍ଟ୍‌ ୨୬ ରନ୍‌ରେ ସହିଦ ସ୍ପୋର୍ଟିଂକୁ ଏବଂ ପ୍ରଗତି ୧୦୨ ରନ୍‌ରେ ଓସ୍କାରକୁ ପରାସ୍ତ କରିଥିଲା। ଶନିବାରର ପ୍ରଥମ ମ୍ୟାଚ୍‌ରେ ପାରାମାଉଣ୍ଟ୍‌ ନିର୍ଧାରିତ ୨୫ ଓଭରରେ ୭ ୱିକେଟ୍‌ ବିନିମୟରେ ୧୬୦ ରନ୍‌ କରିଥିଲା। ଏମ୍‌ ଜ୍ଞାନେନ୍ଦ୍ର ୫୧, ଅଂଶୁମାନ ସାହୁ ୨୯ ଏବଂ ବିଜୟ କେତନ କର ୨୭ ରନ୍‌ କରିଥିଲେ। ଶ୍ରେଷ୍ଠ ସିଂହ ୪, ସୌମିତ୍ର ବିଶ୍ବାଳ ୨ ୱିକେଟ୍‌ ନେଇଥିଲେ। ଜବାବରେ ସହିଦ ସ୍ପୋ‌ର୍ଟିଂ ୯ ୱିକେଟ୍‌ ହରାଇ ୧୩୪ ରନ୍‌ କରି ପାରିଥିଲା। ବିଭୁଦତ୍ତ ଦାସ ୨ ୱିକେଟ୍‌ ଅକ୍ତିଆର କରିଥିଲେ। ଏମ୍‌ ଜ୍ଞାନେନ୍ଦ୍ରଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଦ୍ବିତୀୟ ମ୍ୟାଚ୍‌ରେ ପ୍ରଗତି ୩ ୱିକେଟ୍‌ ହରାଇ ୨୦୩ ରନ୍‌ କରିଥିଲା। ଅଧିନାୟକ ଶୁଭମ ନାୟକ ୭୮*, ଆଶୁତୋଷ ସୂତାର ୬୦ ଏବଂ ‌ସୌଭାଗ୍ୟ ବେହେରା ୪୩ ରନ୍‌ କରିଥିଲେ। ଜବାବରେ ଓସ୍କାର ୯ ୱିକେଟ୍‌ ହରାଇ ୧୦୩ ରନ୍‌ କରିବାକୁ ସକ୍ଷମ ‌ହୋଇଥିଲା। ଶୁଭମ ନାୟକ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସମ୍ବନ୍ଧିତ ଖବର