ଗଡ଼େଶ୍ବର କନିଷ୍ଠ କ୍ରିକେଟ୍‌ ଲିଗ୍‌ ଆରମ୍ଭ: ସହିଦ, ରାମେଶ୍ବର ବିଜୟୀ

ଭୁବନେଶ୍ବର: ଗାଡ଼କଣସ୍ଥିତ ଗଡ଼େଶ୍ବର କ୍ରୀଡ଼ା ସଂଘ ଓ ଗ୍ରିନ୍ସ କ୍ରିକେଟ୍‌ ଏକାଡେମିର ମିଳିତ ଆନୁକୂଲ୍ୟରେ ଗୁରୁବାରଠୁ ଗଡେଶ୍ବର କନିଷ୍ଠ (୧୫ ବର୍ଷରୁ କମ୍‌) କ୍ରିକେଟ୍‌ ଲିଗ୍‌ ଆରମ୍ଭ ହୋଇଛି। ପ୍ରଥମ ଦିବସରେ ସହିଦ ସ୍ପୋର୍ଟିଂ ୫୧ ରନ୍‌ରେ ବିବିସିଏକୁ ଏବଂ ରାମେଶ୍ବର ସ୍ପୋର୍ଟିଂ ୧୨୧ ରନ୍‌ରେ ଓସ୍କାର ସ୍ପୋର୍ଟିଂକୁ ହରାଇ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଗୁରବାରର ପ୍ରଥମ ମ୍ୟାଚ୍‌ରେ ସହିଦ ସ୍ପୋର୍ଟିଂ ନିର୍ଧାରିତ ୨୫ ଓଭରରେ ୪ ୱିକେଟ୍‌ ବିନିମୟରେ ୧୬୭ ରନ୍‌ କରିଥିଲା। ସୌର୍ଯ୍ୟାନ୍‌ ପଟ୍ଟନାୟକ ୫୬ (୪୦ ବଲ୍‌) ଅର୍ଧଶତକ ହାସଲ କରିଥିଲା ବେଳେ ସୌମିତ୍ର ବିଶ୍ବରଳ ୪୬ ରନ୍‌ର ‌ଯୋଗଦାନ କରିଥିଲେ। ବିବିସିଏ ପକ୍ଷରୁ ଅଂଶୁମାନ ଦାସ ୨ ୱିକେଟ୍‌ ନେଇଥିଲେ। ଜବାବରେ ବିବିସିଏ ୯ ୱିକେଟ୍‌ ହରାଇ ୧୧୬ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଆୟୂଷ ମହାନ୍ତି ୩୪ ରନ୍‌ କରିଥିଲେ। ବିଜୟୀ ଦଳର ଦେବଜ୍ୟୋତି ଦାସ ପଟ୍ଟନାୟକ (୫-୦-୨୩-୪) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ହୋଇଥିଲେ। ଦ୍ବିତୀୟ ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ରାମେଶ୍ବର ଆଶୁତୋଷ ସାହୁ (୯୫) ଏବଂ ଗୌତମ ଗୋପାଳ (୫୮*)ଙ୍କ ଅର୍ଧଶତକ ବଳରେ ୪ ୱିକେଟ୍‌ ହରାଇ ୨୧୩ ରନ୍‌ କରିଥିଲା। ଓସ୍କାରର ଆଦର୍ଶ ଜୈନ ଓ ବିଶ୍ବଜିତ ରାଉତ ୨ ଲେଖାଏଁ ୱିକେଟ୍‌ ନେଇଥିଲେ। ଜବାବରେ ଓସ୍କାର ୨୩.୧ ଓଭରରେ ସମସ୍ତ ୱିକେଟ୍‌ ହରାଇ ୯୨ ରନ୍‌ କରିପାରିଥିଲା। କୌଶିକ ନାୟକ ସର୍ବାଧିକ ୨୦ ରନ୍‌ କରିଥିଲେ। ରାମେଶ୍ବର ପକ୍ଷରୁ ତନୟ ବିଶ୍ବାଳ ୩, ଓମ୍‌ ତ୍ରିପାଠୀ ଓ ଶୁଭ୍ରକାନ୍ତ ପଣ୍ଡା ୨ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ। ଆଶୁତୋଷ ସାହୁଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଶୁକ୍ର‌ବାର ଗ୍ରିନ୍ସ କ୍ରିକେଟ୍‌ ଏକାଡେମି ଓ ପ୍ରଗତି ସ୍ପୋର୍ଟିଂ ଏବଂ ଟାଉନ୍‌ କ୍ଲବ୍‌ ଓ ବିବିସିଏ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର