ଦକ୍ଷିଣ ଏସୀୟ କନିଷ୍ଠ ଦୌଡ଼କୁଦ:ପଦକ ଧରି ଫେରିଲେ ପ୍ରଜ୍ଞା

ଭୁବନେଶ୍ୱର: ଶ୍ରୀଲଙ୍କା ରାଜଧାନୀ କଲମ୍ବୋରେ ରବିବାର ଶେଷ ହୋଇଥିବା ତୃତୀୟ ଦକ୍ଷିଣ ଏସୀୟ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବା ଓଡ଼ିଆ ଝିଅ ପ୍ରଜ୍ଞା ପ୍ରଶାନ୍ତି ସାହୁ ସୋମବାର ନିଜ ରାଜ୍ୟକୁ ଫେରିଛନ୍ତି। ଭୁବନେଶ୍ୱର ବିମାନ ବନ୍ଦରରେ ତାଙ୍କୁ କେହି ସ୍ୱାଗତ କରିବାକୁ ଆସିନଥିବାରୁ ପ୍ରଜ୍ଞା କ୍ଷୋଭ ପ୍ରକାଶ କରିଥିଲେ। ତାଙ୍କୁ କ୍ରୀଡ଼ା ବିଭାଗ ସ୍ୱାଗତ ନକରିବା ଏବଂ କୌଣସି ଗଣମାଧ୍ୟମ ଉପସ୍ଥିତ ନରହିବା ପ୍ରଜ୍ଞାଙ୍କୁ ବ୍ୟଥିତ କରିଥିଲା। ହେଲେ ବିମାନ ବନ୍ଦରରେ କେବଳ ପିତାମାତା ପାର୍ଥସାରଥୀ ସାହୁ, ସୁକାନ୍ତୀମଣୀ ଜେନା ଏବଂ ପ୍ରଶିକ୍ଷକ କଳିଙ୍ଗ ମହାପାତ୍ର ସ୍ୱାଗତ କରିଥିଲେ।
ଏହି ପ୍ରତିଯୋଗିତାରେ ୨୦ ସ୍ୱର୍ଣ୍ଣ , ୨୨ ରୌପ୍ୟ ଓ ୮ କାଂସ୍ୟ ସହ ମୋଟ ୫୦ ପଦକ ପାଇ ଭାରତ ତାଲିକାର ପ୍ରଥମ ସ୍ଥାନରେ ରହିଥିଲା। ଭାରତ ପଛକୁ ଆୟୋଜକ ଶ୍ରୀଲଙ୍କା ୪୧ (୧୨ ସ୍ୱର୍ଣ୍ଣ, ୧୦ ରୌପ୍ୟ, ୧୯ କାଂସ୍ୟ) ପଦକ ସହ ଦ୍ୱିତୀୟ ଏବଂ ପାକିସ୍ତାନ ଗୋଟିଏ ଲେଖାଏଁ ରୌପ୍ୟ ଓ କାଂସ୍ୟ ସହ ୨ ପଦକ ପାଇ ତୃତୀୟ ସ୍ଥାନରେ ରହିଥିଲା। ବାଂଲାଦେଶ ୨ କାଂସ୍ୟ ଏବଂ ମାଳଦୀପ ଗୋଟିଏ କାଂସ୍ୟ ସହ ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଥିଲା। ଅନ୍ୟତମ ଏସୀୟ ରାଷ୍ଟ୍ର ନେପାଳ ପଦକଶୂନ୍ୟ ରହିଥିଲା। ଏହି ଦୌଡ଼କୁଦ ପ୍ରତିଯୋଗିତାରେ ଭାରତ ପୁରୁଷ ଲମ୍ବଡିଆଁ ଓ ଟ୍ରିପଲ୍‌ ଜମ୍ପ୍‌, ମହିଳା ଟ୍ରିପଲ୍‌ ଜମ୍ପ୍‌, ୧୦୦ ମିଟର ବାଧାଦୌଡ଼, ଜାଭେଲିନ୍‌ ଥ୍ରୋ ଏବଂ ୧୫୦୦ ମିଟରରେ ନୂଆ ମିଟ୍‌ କୀର୍ତିମାନ ପ୍ରତିଷ୍ଠା କରିଥିଲା।

ସମ୍ବନ୍ଧିତ ଖବର