ସିଲି ପଏଣ୍ଟ୍‌ :ଗଳି କ୍ରିକେଟ୍‌ ଖେଳିଲେ ସଚିନ

ମୁମ୍ବାଇ: କ୍ରିକେଟ୍‌ ଯାହାର ଜୀବନ ତାକୁ କ’ଣ କେହି କେବେ ଛାଡ଼ିପାରିବ। ଏପରି କ୍ରିକେଟ୍‌କୁ ଛାଡ଼ି ପାରିନାହାନ୍ତି କିମ୍ବଦନ୍ତୀ କ୍ରିକେଟର୍‌ ସଚିନ ତେନ୍ଦୁଲକର। କ୍ରିକେଟ୍‌ ପ୍ରତି ଥିବା ଦୁର୍ବଳତା ଯୋଗୁଁ କିଛି ଦିନ ତଳେ ସଚିନ୍‌ ରାସ୍ତାରେ ଗଳି କ୍ରିକେଟ୍‌ ଖେଳୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଏବେ ଭାଇରାଲ ହେବାକୁ ଲାଗିଛି। କିଛି ଦିନ ତଳେ ରାତିରେ ସଚିନ୍‌ ଘରକୁ ଫେରୁଥିଲା ବେଳେ ମୁମ୍ବାଇର ଭିଲେ ପାଲେ ସ୍ଥିତ ରାସ୍ତାରେ କିଛି ପିଲା କ୍ରିକେଟ୍‌ ଖେଳୁଥିବା ଦେଖିଥିଲେ। ଏହା ଦେଖି କ୍ରିକେଟ୍‌ ପ୍ରତି ଥିବା ତାଙ୍କ ଦୁର୍ବଳତାକୁ ଅଟକାଇ ନପାରି ନିଜ କାର୍‌କୁ ଅଟକାଇ ଦେଇଥିଲେ। ଗାଡ଼ିରୁ ଓହ୍ଲାଇ ଖେଳୁଥିବା ସ୍ଥାନୀୟ ବସ୍ତି ଅଞ୍ଚଳ ପିଲାଙ୍କ ସହ ହାତ ମିଳାଇବା ସାଙ୍ଗକୁ ସେମାନଙ୍କଠୁ ବ୍ୟାଟ୍‌ ଆଣି କିଛି ବଲ୍‌ ଖେଳିଥିଲେ। ପରେ ପରେ ସେମାନଙ୍କ ସହ ସେଲ୍‌ଫି ନେଇଥିଲେ। ସଚିନ ଖେଳୁଥିବା ଖବର ପ୍ରଚାର ହେବାରୁ ଧିରେ ଧିରେ ଜନଗହଳି ବଢ଼ିଥିଲା। ଏହା ଦେଖି ସଚିନ ସେଠାରୁ ଚାଲି ଯାଇଥିଲେ। କିଛି ଦିନ ତଳର ଏହି ଭିଡ଼ିଓକୁ ସଚିନଙ୍କ ଘନିଷ୍ଠ ବନ୍ଧୁ ତଥା ପୂର୍ବତନ କ୍ରିକେଟର୍‌ ବିନୋଦ କାମ୍ବଲି ଟ୍ଵିଟର୍‌ରେ ପ୍ରକାଶ କରିବା ପରେ ଏହା ଭାଇରାଲ୍‌ ହୋଇଯାଇଥିଲା।

ସମ୍ବନ୍ଧିତ ଖବର