ଗଲ୍: ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଟେଷ୍ଟ୍ରେ ମଧ୍ୟ ଘରୋଇ ଶ୍ରୀଲଙ୍କା ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୨୫୭ ରନ୍ରେ ଅଲ୍ଆଉଟ୍ ହୋଇଯାଇଛି। କେବଳ ଦୀନେଶ ଚାନ୍ଦିମାଳ (୭୪), କୁସାଲ୍ ମେଣ୍ଡିଜ୍ (୮୫*) ଅର୍ଦ୍ଧଶତକ ହାସଲ କରି ଦଳର ସମ୍ମାନ ରଖିଛନ୍ତି। ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ୍ ଷ୍ଟାର୍କ, ନାଥନ୍ ଲାୟନ୍, ମାଥ୍ୟୁ କୁନ୍ମାନ୍ ୩ ଲେଖାଏଁ ଏବଂ ଟ୍ରାଭିସ୍ ହେଡ୍ ଗୋଟିଏ ୱିକେଟ୍ ନେଇଛନ୍ତି।
ଜବାବରେ ଅଷ୍ଟ୍ରେଲିଆ ୯୧ ରନ୍ରେ ୩ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ଏହାପରେ ପୂର୍ବତନ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ ଓ ୱିକେଟ୍କିପର ବ୍ୟାଟର୍ ଆଲେକ୍ସ କ୍ୟାରି ଆଉ କୌଣସି କ୍ଷତି ନ ପହଞ୍ଚାଇ ଦ୍ବିତୀୟ ଦିନର ଷ୍ଟମ୍ପ୍ସ ବେଳକୁ ଦଳୀୟ ସ୍କୋର୍ ୩୩୦/୩ରେ ପହଞ୍ଚାଇଛନ୍ତି। ଫଳରେ ଭ୍ରମଣକାରୀ ଦଳ ୭୩ ରନ୍ ଅଗ୍ରଣୀ ନେଇଛି। ସ୍ମିଥ୍ (୧୨୦*) ଓ କ୍ୟାରି (୧୩୯*) ନିଜ ନିଜ ଶତକ ଅର୍ଜନ କରିବା ସହ ଅବିଭାଜିତ ଚତୁର୍ଥ ୱିକେଟ୍ରେ ୨୩୯*ରନ୍ର ଭାଗୀଦାରି ଗଢ଼ି ବ୍ୟାଟିଂ ଜାରି ରଖିଛନ୍ତି। ସ୍ମିଥ୍ ନିଜର ୩୬ତମ ଶତକ ହାସଲ କରି ସର୍ବାଧିକ ଶତକ ଅର୍ଜନକାରୀ ମଧ୍ୟରେ ଯୁଗ୍ମ ପଞ୍ଚମ ସ୍ଥାନରେ ପହଞ୍ଚିଛନ୍ତି। ସେହିଭଳି କ୍ୟାରି ଜୀବନର ଦ୍ବିତୀୟ ଶତକ ଅର୍ଜନ କରିଛନ୍ତି। ଶ୍ରୀଲଙ୍କାର ନିଶାନ ପେରିସ ୨ ଓ ପ୍ରବଥ ଜୟସୂରିଆ ଗୋଟିଏ ୱିକେଟ୍ ନେଇଛନ୍ତି।