ସାର୍ଜା: ସିଏସ୍କେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଲଗାତାର ଦୁଇଟି ମ୍ୟାଚ୍ରେ ନିମ୍ନକ୍ରମରେ ବ୍ୟାଟିଂକୁ ଯିବା ଏବଂ ତାଙ୍କ ପୂର୍ବରୁ ଅନଭିଜ୍ଞଙ୍କୁ ପଠାଇବା ଘଟଣାକୁ ନେଇ ପୂର୍ବତନ ଭାରତୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀର ତୀବ୍ର ସମାଲୋଚନା କରିଛନ୍ତି। ମୁମ୍ବାଇ ବିପକ୍ଷରେ ଧୋନି ତାଙ୍କ ପୂର୍ବରୁ ସାମ୍ କରନ୍ ଏବଂ ରବୀନ୍ଦ୍ର ଜାଦେଜାଙ୍କୁ ପଠାଇବା ଏବଂ ରାଜସ୍ଥାନ ବିପକ୍ଷରେ ସାମ୍ କରନ୍ ଓ ଋତୁରାଜ ଗାଏକ୍ବାଡଙ୍କୁ ପଠାଇବାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଗମ୍ଭୀର। ନମ୍ରତାର ସହ କହିବାକୁ ଗଲେ ଧୋନିଙ୍କ ଭଳି ବ୍ୟାଟ୍ସମ୍ୟାନ୍ ୭ ନମ୍ବରରେ ବ୍ୟାଟିଂ କରିବା ମୋତେ କାହିଁକି ଆଶ୍ଚର୍ଯ୍ୟ କରିଥିଲା। ପୁଣି କରନ୍, ଜାଦେଜା ଓ ଗାଏକ୍ବାଡଙ୍କ ଭଳି ଖେଳାଳିଙ୍କୁ ତାଙ୍କ ଉପରେ ପଠାଇବା କଥା କାହିଁକି କେଜାଣି କିଛି ବୁଝାପଡୁନି ବୋଲି କହିଛନ୍ତି ଗମ୍ଭୀର। ବାସ୍ତବରେ ତୁମେ ହିଁ ସମ୍ମୁଖଭାଗରୁ ଦଳର ନେତୃତ୍ବ ନେବା ଉଚିତ। ତୁମେ ୭ ନମ୍ବରରେ ଆସିବା ଏବଂ ଦଳ ହାରିବା କ’ଣ ସମ୍ମୁଖଭାଗରୁ ନେତୃତ୍ବ ନେବା ସଙ୍ଗେ ସମାନ କି? ବୋଲି ଗମ୍ଭୀର ପ୍ରଶ୍ନ କରିଛନ୍ତି। ୨୧୭ ରନ୍ର ପିଛା କରୁଥିଲା ବେଳେ ୭ ନମ୍ବରରେ ଆସିବା କେତେଦୂର ଯଥାର୍ଥ? ସେତେବେଳକୁ ମ୍ୟାଚ୍ ଶେଷ ହୋଇଯାଇଥିଲା। ଫାଫ୍ ଡୁପ୍ଲେସିସ୍ ଏକା ହିଁ ଯୋଦ୍ଧା ଥିଲେ ବୋଲି ଗମ୍ଭୀର କହିଛନ୍ତି।
ଆପଣ ଧୋନିଙ୍କ ଶେଷ ଓଭର ଚମକ କଥା କହିପାରନ୍ତି। ସେ ୩ଟି ଛକା ମାରିଥିଲେ। ହେଲେ ସତ କହିବାକୁ ଗଲେ ଏହାର ଆବଶ୍ୟକତା ନଥିଲା। କାରଣ ସେ ଖେଳିଥିବା ତାଙ୍କର ପ୍ରଥମ ୧୨ ବଲ୍ରେ ସଂଗ୍ରହ କରିଥିଲେ ମାତ୍ର ୮ରନ୍। ଆଉ ଶେଷ ଓଭରରେ ଦଳକୁ ବିଜୟ ପାଇଁ ଆବଶ୍ୟକ ଥିଲା ୩୮ ରନ୍। ସେତେବେଳେ ୩ ଛକା ଦଳ ପାଇଁ କେଉଁ କାର୍ଯ୍ୟରେ ଆସିବ। ଯଦି ଶେଷ ଓଭରରେ ଧୋନି ୨୦ ରନ୍ ସଂଗ୍ରହ କରିପାରିଲେ ତାହାଲେ ଆଉ ଟିକେ ଆଗରୁ କାହିଁକି ସେଭଳି ରୂପ ଦେଖାଇଲେନି। ହୁଏତ ଦଳ ଜିତିଯାଇଥା'ନ୍ତା। କିନ୍ତୁ ଦଳ ହାରିଲା ବେଳେ ଏଭଳି ଚମକର ମାନେ କିଛି ନଥାଏ। ସେସବୁ କେବଳ ମାତ୍ର ବ୍ୟକ୍ତିଗତ ରନ୍ ଥିଲା। ଦଳ ସ୍ବାର୍ଥ ପାଇଁ ନୁହେଁ। ଦେଖ, ଯଦି ଅନ୍ୟ କେହି ଏଭଳି କରିଥା'ନ୍ତେ ତାହାଲେ ବହୁ ଆଲୋଚନା ହୋଇଥା'ନ୍ତା। ପୁଣି ଅନ୍ୟ କେତେକ ଅଧିନାୟକ ୭ ନମ୍ବରରେ ଆସିଥିଲେ ମଧ୍ୟ ବିଜୟ ପାଇଁ ଚେଷ୍ଟା କରିଥା'ନ୍ତେ। ହେଲେ ଏ ହେଲେ ଧୋନି। ସାଧାରଣତଃ ତାଙ୍କୁ ନେଇ ଲୋକେ କିଛି ଆଲୋଚନା କରନ୍ତିନି। ତେଣୁ ତାଙ୍କର ବା ଖାତିର କାହିଁକି ବୋଲି ଗମ୍ଭୀର କଟୁକ୍ତି କରିଛନ୍ତି। ରାଜସ୍ଥାନ ବିପକ୍ଷରେ ବିଜୟ ପାଇଁ ଧୋନିଙ୍କର ଇଛା ଥିଲା ଭଳି ମଧ୍ୟ ପ୍ରତୀୟମାନ ହୋଇନଥିଲା। ସେ ବୋଧେ ଆରମ୍ଭରୁ ଏତେବଡ଼ ସ୍କୋର୍ ପିଛା କରିପାରିବେନି ବୋଲି ଭାବି ନେଇଥିଲେ। ଏହା ଜଣେ ଅଧିନାୟକଙ୍କ ମନୋଭାବ ହେବା ଉଚିତ ନୁହେଁ। ବିଶେଷକରି ଧୋନିଙ୍କ କ୍ଷେତ୍ରରେ ଆଦୌ ଶୋଭା ପାଏନି ବୋଲି କହିଛନ୍ତି ଗମ୍ଭୀର।
‘‘ତୁମ ପାଖରେ ଯେତେବେଳେ ସୁରେଶ ରାଇନା ନାହାନ୍ତି, ସେତେବେଳେ ତୁମେ ସାମ୍ କରନ୍ ଯେ ତାଙ୍କଠୁ ଶ୍ରେଷ୍ଠ ବୋଲି ଲୋକଙ୍କୁ ବିଶ୍ବାସ ଭରିବାକୁ ଚେଷ୍ଟା କରୁଛ। ପୁଣି ତୁମେ ମଧ୍ୟ ଲୋକମାନଙ୍କୁ ବିଶ୍ବାସ ଦେବାକୁ ଚାହୁଁଛ ଯେ ଗାଏକ୍ବାଡ, କରନ୍, ଜାଦେଜା, କେଦାର ଯାଦବ, ଫାଫ୍ ଡୁପ୍ଲେସିସ୍, ମୁରଲୀ ବିଜୟ ତୁମଠାରୁ ଢେର ଭଲ’’ବୋଲି ମତ ଦେଇଛନ୍ତି ଗମ୍ଭୀର। ନା, କ୍ରିକେଟ୍ପ୍ରେମୀ କିନ୍ତୁ ତାହା ଚାହାଁନ୍ତିନି। ବରଂ ଧୋନି ୪ କିମ୍ବା ୫ ନମ୍ବରରେ ବ୍ୟାଟିଂ କରିବା ଉଚିତ ଯାହାକି ଦଳ ପାଇଁ ମଧ୍ୟ ଲାଭଦାୟକ ହୋଇପାରିବ ବୋଲି ଗମ୍ଭୀର ପରାମର୍ଶ ଦେଇଛନ୍ତି। ଅନ୍ୟପକ୍ଷରେ ସିଏସ୍କେ ବିପକ୍ଷରେ ବିସ୍ଫୋରକ ପାଳି ପାଇଁ ରାଜସ୍ଥାନ ରୟାଲ୍ସର ଯୁବ ତାରକା ସଞ୍ଜୁ ସାମ୍ସନ୍ଙ୍କୁ ଗମ୍ଭୀର ଭୂୟଶୀ ପ୍ରଶଂସା କରିଛନ୍ତି।