ନୂଆଦିଲ୍ଲୀ : ଗୌତମ ଗମ୍ଭୀରଙ୍କୁ ତାଙ୍କ କ୍ରିକେଟ୍ ଜୀବନସାରା ଜଣେ ଚତୁର କ୍ରିକେଟର୍, ଚମତ୍କାର ବ୍ୟାଟ୍ସମ୍ୟାନ୍ ଏବଂ ଭାରତ ପାଇଁ ଜଣେ ମହାନ୍ ଓପନର୍ ଭାବେ ଗଣାଯାଉଥିଲା। ନିଜ ସମୟରେ ବାରମ୍ବାର ସେ ମଧ୍ୟ ନିଜକୁ ବାସ୍ତବରେ ଜଣେ ମ୍ୟାଚ୍ ବିଜେତା ବୋଲି ପ୍ରମାଣିତ କରୁଥିଲେ। ଶ୍ରୀଲଙ୍କା ବିପକ୍ଷ ୨୦୧୧ ବିଶ୍ବକପ୍ ଫାଇନାଲ୍ରେ ତାଙ୍କ ୯୭ ରନ୍ର ପାଳି ହିଁ ଭାରତକୁ ବିଶ୍ବକପ୍ ଜିତିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥିଲା। ତେବେ ତାଙ୍କ କ୍ୟାରିୟରର ଶେଷ ପର୍ଯ୍ୟାୟ ବେଳକୁ କ୍ରିକେଟ୍ପ୍ରେମୀମାନେ ଗମ୍ଭୀରଙ୍କୁ କେବଳ ଦକ୍ଷତା ଓ ସାମର୍ଥ୍ୟ ପାଇଁ ନୁହେଁ ଜଣେ ନେତା ଭାବେ ସ୍ବୀକୃତି ଦେଇଥିଲେ। ଯାହାର ଫଳସ୍ବରୂପ ଆଇପିଏଲ୍ (ଇଣ୍ଡିଆନ୍ ପ୍ରିମିୟର ଲିଗ୍) ଫ୍ରାଞ୍ଚାଇଜ୍ କୋଲ୍କାତା ନାଇଟ୍ ରାଇଡର୍ସ (କେକେଆର୍) ୨୦୧୧ରେ ଗମ୍ଭୀରଙ୍କୁ କିଣିଥିଲା ଏବଂ ତାଙ୍କୁ ଅଧିନାୟକ ଭାବେ ମଧ୍ୟ ନିଯୁକ୍ତି ଦେଇଥିଲା। ଖାସ୍ ସେହି ବର୍ଷ ଗମ୍ଭୀର ମଧ୍ୟ କେକେଆର୍କୁ ପ୍ରଥମ ଥର ପାଇଁ ଆଇପିଏଲ୍ରେ ପ୍ଲେଅଫ୍ ପହଞ୍ଚାଇଥିଲେ। ପରବର୍ଷ ଗମ୍ଭୀରଙ୍କ ନେତୃତ୍ବ ଦକ୍ଷତା ବଳରେ କେକେଆର୍ ମଧ୍ୟ ପ୍ରଥମ ଥର ଆଇପିଏଲ୍ ବିଜେତା ହେବାର ଗୌରବ ଅର୍ଜନ କରିଥିଲା। ୨୦୧୪ରେ ମଧ୍ୟ ଗମ୍ଭୀରଙ୍କ ନେତୃତ୍ବର ଝଲକ ପୁଣି ଦେଖିବାକୁ ମିଳିଥିଲା। ତାଙ୍କ ଅଧିନାୟକତ୍ବରେ କେକେଆର୍ ସେହିବର୍ଷ ଦ୍ବିତୀୟ ଥର ଆଇପିଏଲ୍ ଟ୍ରଫି କରାୟତ୍ତ କରିଥିଲା। ଏହାପରେ ଗମ୍ଭୀରଙ୍କ ନେତୃତ୍ବ ଦକ୍ଷତା ବିଶ୍ବ ନଜରକୁ ଆସିଯାଇଥିଲା।
ବାମହାତୀ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଗମ୍ଭୀର ଆଇପିଏଲ୍ରେ ତାଙ୍କ ନେତୃତ୍ବର ପରାକାଷ୍ଠା ଦେଖାଇଥିଲେ ମଧ୍ୟ ଭାରତୀୟ ଦଳ ପାଇଁ ମାତ୍ର ୬ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ରେ ଅଧିନାୟକ ଦାୟିତ୍ବ ତୁଲାଇଥିଲେ। ଏହା ହୁଏତ କିଛି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟଚକିତ କରିପାରେ। କିନ୍ତୁ ଏହା ହିଁ ବାସ୍ତବତା। ସେ ୨୦୧୦ ଓ ୨୦୧୧ରେ ୬ ଦିନିକିଆରେ ନେତୃତ୍ବ ନେଇଥିଲା ବେଳେ ଭାରତ ପାଇଁ ୧୦୦ ପ୍ରତିଶତ ବିଜୟ କୀର୍ତ୍ତି ବହନ କରିଥିଲେ। ତାଙ୍କ ନେତୃତ୍ବରେ ଭାରତ ସବୁ ମ୍ୟାଚ୍ ଜିତିଥିଲା। ଗମ୍ଭୀର ୨୦୧୦ରେ ନ୍ୟୁଜିଲାଣ୍ଡ୍ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ଭାରତୀୟ ଦଳର ଅଧିନାୟକ ରହିଥିଲେ। ସେହି ଶୃଙ୍ଖଳାରେ ଘରୋଇ ଭାରତ ୫-୦ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା। ନିଜେ ଗମ୍ଭୀର ମଧ୍ୟ ଅଧିନାୟକ ଦାୟିତ୍ବକୁ ସୂଚାରୁରୂପେ ନିର୍ବାହ କରି ୩୨୯ ରନ୍ କରିଥିଲେ ଏବଂ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଏହାପରେ ୨୦୧୧ ଡିସେମ୍ବରରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ପଞ୍ଚମ ତଥା ଶେଷ ମ୍ୟାଚ୍ରେ ହିଁ ଦଳର ନେତୃତ୍ବ ନେଇଥିଲେ ଗମ୍ଭୀର। ସେହି ମ୍ୟାଚ୍ ଜିତି ଅଧିନାୟକ ଭାବେ କ୍ରମାଗତ ଷଷ୍ଠ ବିଜୟ ମଧ୍ୟ ପାଇଥିଲେ। ଖାସ୍ ଏହି କାରଣରୁ ହିଁ ଗମ୍ଭୀର ଅଧିକ ସମୟ ଅଧିନାୟକ ରହିବା ଉଚିତ ଥିଲା ବୋଲି ତାଙ୍କ ପୂର୍ବତନ ଦଳୀୟ ସାଥୀ ଇର୍ଫାନ୍ ପଠାନ୍ ପ୍ରକାଶ କରିଛନ୍ତି। ଗମ୍ଭୀର ପ୍ରକୃତରେ ଜଣେ ସୁଦକ୍ଷ ନେତା ହୋଇପାରିଥିଲେ ଏବଂ ସେ ଆହୁରି ଅଧିକ ବର୍ଷ ଭାରତୀୟ ଦଳର ନେତୃତ୍ବ ନେଇପାରିଥା’ନ୍ତେ ବୋଲି ଇର୍ଫାନ୍ କହିଛନ୍ତି।
ଇର୍ଫାନ୍ଙ୍କ କହିବା କଥା ହେଲା, ଲୋକମାନେ ରାହୁଲ ଦ୍ରାବିଡ୍ଙ୍କ ବିଷୟରେ ଅଧିକ ଚର୍ଚ୍ଚା କରନ୍ତିନି। ଯେଉଁମାନେ ଦ୍ରାବିଡ୍ଙ୍କ ସଂପର୍କରେ ଆଲୋଚନା କରନ୍ତିନି, ସେମାନେ କ’ଣ ତାଙ୍କୁ ଭଲ ପାଆନ୍ତିନି? ନା, ତାହା ନୁହେଁ। ତାଙ୍କ ନେତୃତ୍ବରେ ଭାରତ ପିଛା କରୁଥିଲା ବେଳେ କ୍ରମାଗତ ୧୬ ଦିନିକିକଆ ଆନ୍ତର୍ଜାତିକ ମ୍ୟାଚ୍ ଜିତିଥିଲା। ବେଳେବେଳେ ଏହା ଘୋଡେଇ ହୋଇ ରହିଯାଏ ବୋଲି କ୍ରିକେଟ୍ ଡଟ୍ କମ୍କୁ ଏକ ସାକ୍ଷାତକାର ବେଳେ କହିଛନ୍ତି ଇର୍ଫାନ୍। କିନ୍ତୁ ଜଣେ ବିଜୟୀ ଅଧିନାୟକ ଭାବେ, ଜଣେ ଫଳାଫଳ ଆଶାୟୀ ଅଧିନାୟକ ଏବଂ ଯେଉଁ ବ୍ୟକ୍ତି କେବଳ ବିଜୟ ହିଁ ପାଉଥିଲେ ଓ ତାଙ୍କ ପାଖରେ ଏକ ଚମତ୍କାର ଦଳ ରହିଥିଲା ସେ ହେଉଛନ୍ତି ମହେନ୍ଦ୍ର ସିଂହ ଧୋନି। ଅନ୍ୟପକ୍ଷରେ ସୌରଭ ଗାଙ୍ଗୁଲିଙ୍କ ପାଇଁ ମୋର ଯଥେଷ୍ଟ ସମ୍ମାନ ରହିଛି। ରାହୁଲ ଦ୍ରାବିଡଙ୍କ ନେତୃତ୍ବ ପ୍ରତି ମଧ୍ୟ ମୁଁ ଗଭୀର ସମ୍ମାନ ଜଣାଏ। ଏହାସତ୍ତ୍ବେ ଅନିଲ କୁମ୍ବଲେ ଏବଂ ମୋ ଭାବନାରେ ଗୌତମ ଗମ୍ଭୀର ସେମାନଙ୍କ ଦକ୍ଷତା ଅନୁସାରେ ଅଧିକରୁ ଅଧିକ ନେତୃତ୍ବ ନେବାର ଆବଶ୍ୟକତା ରହିଥିଲା। ଦଳୀୟ କର୍ତ୍ତୃପକ୍ଷ ଏଦିଗରେ ଅଧିକ ଚିନ୍ତା କରିବାର ଥିଲା। ବିଶେଷକରି ମୋ ମତରେ ଗମ୍ଭୀର ହିଁ ପ୍ରକୃତରେ ଜଣେ ଚମତ୍କାର ନେତା ହୋଇପାରିଥା’ନ୍ତେ ବୋଲି କହିଥିଲେ ଇର୍ଫାନ୍।
ମୁଁ ମଧ୍ୟ ବାସ୍ତବରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସ୍ତାବକ। ଏହାର ମାନେ ନୁହେଁ ଯେ ମୁଁ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବ ଦକ୍ଷତାକୁ ପ୍ରଶଂସା କରିବିନି ବୋଲି କହିଛନ୍ତି ଇର୍ଫାନ୍।