ନୂଆଦିଲ୍ଲୀ: ଟ୍ବେଣ୍ଟି-୨୦ ବିଶ୍ୱକପ୍ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଭାରତର ନୂଆ କୋଚ୍ କୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ଚଳିତ ବିଶ୍ବକପ୍ ପରେ ବର୍ତ୍ତମାନର କୋଚ୍ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଏଭଳି ସ୍ଥିତିରେ ବିସିସିଆଇ ନୂଆ କୋଚ୍ ଖୋଜୁଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପୂର୍ବତନ ବାମହାତୀ ଓପନର ଗୌତମ ଗମ୍ଭୀରଙ୍କ ନାମ ଭାରତର ନୂଆ କୋଚ୍ ଭାବେ ଅନୁମୋଦନ ହେବାକୁ ଯାଉଛି। ଜୁନ୍ ଶେଷ ସୁଦ୍ଧା ଏହାର ଆନୁଷ୍ଠାନିକ ଘୋଷଣା କରାଯିବ।
ଗୌତମ ଗମ୍ଭୀର ଗତ କିଛି ବର୍ଷ ଧରି ଆଇପିଏଲରେ କୋଚ୍ ଭାବେ ଭଲ କାମ କରି ଆସୁଛନ୍ତି। ତାଙ୍କ ନେତୃତ୍ୱରେ କୋଲକାତା ନାଇଟ୍ ରାଇଡର୍ସ ଚଳିତ ସିଜନରେ ଚାମ୍ପିୟନ ହୋଇଛି। ଗତବର୍ଷ ପର୍ଯ୍ୟନ୍ତ ସେ ଲକ୍ଷ୍ନୌ ସୁପର ଜାଏଣ୍ଟସର ସଦସ୍ୟ ଥିଲେ। ସେତେବେଳେ ଗମ୍ଭୀରଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ମଧ୍ୟ ଭଲ ଖେଳ ପ୍ରଦର୍ଶନ କରୁଥିଲା। ଏହି କାରଣରୁ ଭାରତର ମୁଖ୍ୟ କୋଚ୍ ପଦ ପାଇଁ ଗୌତମ ଗମ୍ଭୀରଙ୍କ ନାମ ବେଶ୍ ଜୋର ଧରିଛି।
ରିପୋର୍ଟରେ ଦାବି କରାଯାଇଛି ଯେ ଗୌତମ ଗମ୍ଭୀର ଭାରତର ମୁଖ୍ୟ କୋଚ୍ ହେବାକୁ ରାଜି ହୋଇଛନ୍ତି। ସେ ବିସିସିଆଇକୁ ଅନୁରୋଧ କରିଛନ୍ତି ଯେ ସେ ତାଙ୍କ କୋଚିଂ ଷ୍ଟାଫ୍ ଦଳକୁ ଏକାଠି କରିବାକୁ ଚାହୁଁଛନ୍ତି। ବର୍ତ୍ତମାନ ଭାରତର ବ୍ୟାଟିଂ କୋଚ୍ ହେଉଛନ୍ତି ବିକ୍ରମ ରାଠୋର। ପାରସ ମହାମ୍ବ୍ରେଙ୍କ କାନ୍ଧରେ ବୋଲିଂ କୋଚ୍ ଦାୟିତ୍ୱ ରହିଛି। ସେହିପରି ଟି. ଦିଲୀପ ଟିମ୍ ଇଣ୍ଡିଆର ଫିଲ୍ଡିଂ କୋଚ୍ ଅଛନ୍ତି।