ସ୍କୁଲ୍‌ ପାଠ୍ୟକ୍ରମରେ ଯୋଡ଼ି ହେବ ପାରମ୍ପରିକ କ୍ରୀଡ଼ା

କେନ୍ଦ୍ର ମାନବ ସମ୍ବଳ ବିକାଶ ଓ କ୍ରୀଡ଼ା ମନ୍ତ୍ରଣାଳୟ ଯୋଜନା ପ୍ରସ୍ତୁତ କରିବେ

ନୂଆଦିଲ୍ଲୀ : ଭାରତୀୟ ପାରମ୍ପରିକ କ୍ରୀଡ଼ାଗୁଡ଼ିକୁ ଏଣିକି ଜାତୀୟ ମଞ୍ଚ ମିଳିଯିବ। କେନ୍ଦ୍ର ସରକାର ‘ଫିଟ୍‌ ଇଣ୍ଡିଆ’ ଅଭିଯାନ ଅନ୍ତର୍ଗତ ପାରମ୍ପରିକ ଖେଳଗୁଡ଼ିକୁ ସ୍କୁଲ୍‌ ପାଠ୍ୟକ୍ରମରେ ଯୋଡ଼ିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ଛାତ୍ରଛାତ୍ରୀମାନଙ୍କୁ ସମସ୍ତ ରାଜ୍ୟର ପାରମ୍ପରିକ କ୍ରୀଡ଼ା ସହିତ ଯୋଡ଼ିବା ଏହାର ଉଦେଶ୍ୟ ରହିଛି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ମିଳିତ ଭାବେ ଏନେଇ ଯୋଜନା ପ୍ରସ୍ତୁତ କରିବେ ବୋଲି ସରକାର କହିଛନ୍ତି। ‘ଏକ ଭାରତ-ଶ୍ରେଷ୍ଠ ଭାରତ’ରେ ୨୨ଟି ଭାରତୀୟ ଭାଷାକୁ ଯୋଡ଼ିବା ଯୋଜନା ସଫଳ ରୂପ ନେବା ପରେ ଏବେ ପାରମ୍ପରିକ ଖେଳକୁ ପ୍ରୋତ୍ସାହିତ କରାଯିବ ବୋଲି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି। ସ୍କୁଲ୍‌ ପାଠ୍ୟକ୍ରମରେ ଦେଶବିଦେଶର କ୍ରୀଡ଼ା ସଂପର୍କରେ ବିବରଣୀ ଦିଆଯାଇଥିଲା ବେଳେ ପ୍ରାଚୀନ ଭାରତର ଏମିତି କିଛି ‌ଖେଳ ଲୁକାୟିତ ଅବସ୍ଥାରେ ରହିଯାଇଛି ଯାହା କେବଳ ଯୋଜନାରେ ସୀମିତ ଅଛି। ସେହିଭଳି ପାରମ୍ପରିକ କ୍ରୀଡ଼ାଗୁଡ଼ିକୁ ଲୋକଲୋଚନକୁ ଆଣିବା ପାଇଁ ସ୍କୁଲ୍‌ ପାଠ୍ୟକ୍ରମରେ ସାମିଲ କରିବାର ଯୋଜନା କରାଯାଇଛି। ଏହାଦ୍ବାରା ସଂପୃକ୍ତ ଖେଳଗୁଡ଼ିକ ଆଦୃତ ହୋଇପାରିବ ବୋଲି କେନ୍ଦ୍ର ସରକାର ଅନୁଭବ କରିଛନ୍ତି। ବିଶେଷକରି ଛାତ୍ରଛାତ୍ରୀମାନଙ୍କୁ ଦେଶର ପ୍ରାଚୀନ ଖେଳଗୁଡ଼ିକ ସଂପର୍କରେ ଅବଗତ କରାଇବା ଏହି ଯୋଜନାର ଲକ୍ଷ୍ୟ ବୋଲି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏହାଦ୍ବାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡ଼ା ଭାବନା କିବଶିତ ହେବା ସାଙ୍ଗକୁ ଉତ୍ସାହ ଜାଗ୍ରତ ହୋଇପାରିବ। ସେହିପରି ଭିନ୍ନ ଭିନ୍ନ ରାଜ୍ୟର ପାରମ୍ପରିକ କ୍ରୀଡ଼ା ସଂପର୍କରେ ମଧ୍ୟ ଜ୍ଞାନ ହାସଲ ହୋଇପାରିବ। ପୁଣି ଉତ୍ତର ପ୍ରଦେଶର ଛାତ୍ରଛାତ୍ରୀ ଓଡ଼ିଶାର, ଦିଲ୍ଲୀ ଛାତ୍ରଛାତ୍ରୀ ଜମ୍ମୁ ଓ କାଶ୍ମୀରର ଖେଳ ସହ ମଧ୍ୟ ଯୋଡ଼ି ହୋଇପାରିବେ। ଏହାଦ୍ବାରା ସ୍କୁଲ୍‌ସ୍ତରୀୟ ପ୍ରଶିକ୍ଷଣ ପରେ ଜାତୀୟସ୍ତରର କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରାଯାଇପାରିବ ବୋଲି ସରକାର କହିଛନ୍ତି।

ସମ୍ବନ୍ଧିତ ଖବର