ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ପୂର୍ବତନ ଓପନର୍ ଗୌତମ ଗମ୍ଭୀର ନିଯୁକ୍ତି ପାଇ ସାରିଥିଲେ ମଧ୍ୟ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ ପ୍ରଶିକ୍ଷକଙ୍କୁ ନେଇ ଏବେବି ସ୍ଥିତି ଅସ୍ପଷ୍ଟ ରହିଛି। ଗମ୍ଭୀର ତାଙ୍କ ପସନ୍ଦର ସହଯୋଗୀ ପ୍ରଶିକ୍ଷକ ଚାହୁଥିଲା ବେଳେ ବିସିସିଆଇ ତାଙ୍କର କେତେକ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିବାର ଖବର ଏବେ କିନ୍ତୁ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି।

Advertisment

ସୂଚନା ଅନୁଯାୟୀ ଗମ୍ଭୀର ଭାରତୀୟ ଦଳର ନୂଆ କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ ଭାବେ ଦକ୍ଷିଣ ଆଫ୍ରିକାର କିଂବଦନ୍ତି କ୍ଷେତ୍ରରକ୍ଷକ ଜଣ୍ଟି ରୋଡସ୍‌ଙ୍କ ନାଁ ସୁପାରିସ୍‌ କରିଥିଲେ। ବିସିସିଆଇ କିନ୍ତୁ ତାଙ୍କର ଏହି ପ୍ରସ୍ତାବକୁ ଗ୍ରହଣ କରିନି। ଏପରିକି ଗମ୍ଭୀର ଅନ୍ୟତମ ଫିଲ୍ଡିଂ ପ୍ରଶିକ୍ଷକ ବିକଳ୍ପ ଭାବେ ନେଦରଲାଣ୍ଡ୍‌ସର ରିୟାନ୍‌ ଟେନ୍‌ ‌ଡସେଟ୍‌ଙ୍କ ନାଁ ପଠାଇଥିଲେ। ଡସେଟ୍‌ଙ୍କୁ ନେଇ ମଧ୍ୟ ବିସିସିଆଇ ନିଜ ଆଭମୁଖ୍ୟ ସ୍ପଷ୍ଟ କରିନି। ବରଂ ନିଷ୍ପତ୍ତିକୁ ଝୁଲାଇ ରଖିଛି। ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ବିସିସିଆଇ ପୁରୁଣା ଫିଲ୍ଡିଂ ପ୍ରଶିକ୍ଷକ ଟି. ଦିଲୀପଙ୍କୁ ତାଙ୍କ ପଦରେ ବଜାୟ ରଖିବାକୁ ଚାହୁଛି। ସେହିଭଳି ଗମ୍ଭୀର ଭାରତୀୟ ଦଳର ନୂଆ ବୋଲିଂ ପ୍ରଶିକ୍ଷକ ପଦରେ ବିନୟ କୁମାରଙ୍କୁ ଅବସ୍ଥାପିତ କରିବାକୁ ଚାହୁଛନ୍ତି। ହେଲେ ବିସିସିଆଇ ଏଥିରେ ବି ତାଙ୍କ ସହ ଏକମତ ନାହିଁ। ସେପଟେ ଶ୍ରୀଲଙ୍କା ଗସ୍ତ ପାଖେଇ ଆସୁଥିବାରୁ ଗମ୍ଭୀରଙ୍କ ପ୍ରଶିକ୍ଷକ ମଣ୍ଡଳୀକୁ ନେଇ ଅଚଳାବସ୍ଥା ଜାରି ରହିଥିବାରୁ ସ୍ଥିତି କ୍ରମଶଃ ଜଟିଳ ହେବାରେ ଲାଗିଛି। ତେବେ ଗମ୍ଭୀରଙ୍କ ପସନ୍ଦର ବ୍ୟାଟିଂ ପ୍ରଶିକ୍ଷକ ଭାବେ ଅଭିଷେକ ନାୟରଙ୍କୁ ନିଯୁକ୍ତ ଦେବାକୁ ବିସିସିଆଇ ନୀତିଗତ ଭାବେ ରାଜି ହୋଇଯାଇଥିବାର ସୂଚନା ମିଳିଛି।

ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ଶେଷ ହେବା ସହ ତାଙ୍କ ସହ ବ୍ୟାଟିଂ, ବୋଲିଂ ଓ କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ ଥିବା ବିକ୍ରମ ରାଠୋର, ପାରସ୍ ମାହାମ୍ବ୍ରେ ଓ ଟି. ଦିଲୀପଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ନୂଆ ପ୍ରଶିକ୍ଷକ ନିଯୁକ୍ତ‌ିରେ ଗମ୍ଭୀରଙ୍କ ମତ ସହ ଏନ୍‌ସିଏ ମୁଖ୍ୟ ତଥା ପୂର୍ବତନ ଭାରତୀୟ କ୍ରିକେଟର୍‌ ଭିଭିଏସ୍ ଲକ୍ଷ୍ମଣଙ୍କ ମତାମତକୁ ମଧ୍ୟ ବିସିସିଆଇ ବେଶ୍ ଗୁରୁତ୍ବ ଦେଉଛି। ଆସନ୍ତା କିଛି ଦିନ ମଧ୍ୟରେ ଲକ୍ଷ୍ମଣ, ଗମ୍ଭୀର ଓ ବିସିସିଆଇ ଆପୋସ ଆଲୋଚନା କରି ଶ୍ରୀଲଙ୍କା ଗସ୍ତର ଠିକ୍ ପୂର୍ବରୁ ନୂଆ ବୋଲିଂ, ବ୍ୟାଟିଂ ଓ ଫିଲ୍ଡିଂ ପ୍ରଶିକ୍ଷକଙ୍କ ନାଁ ଘୋଷଣା କରିବେ। କାରଣ ଏହି ଗସ୍ତରୁ ଗମ୍ଭୀର ତାଙ୍କ ନୂଆ ଦାୟିତ୍ବ ଆରମ୍ଭ କରିବେ।

ଗୁରୁବାର ଗମ୍ଭୀରଙ୍କ ନିଯୁକ୍ତିକୁ ନେଇ ଆଉ ଏକ ନୂଆ ଖବର ମଧ୍ୟ ପଦାକୁ ଆସିଛି। ତାଙ୍କ ମୁଖ୍ୟ ପ୍ରଶିକ୍ଷକ ଘୋଷଣା କରିବା ପୂର୍ବରୁ ବିସିସିଆଇ ପୂର୍ବତନ ଅଧିନାୟକ ତଥା ଭାରତୀୟ ଦଳର ବରିଷ୍ଠ ଖେଳାଳି ବିରାଟ କୋହଲିଙ୍କ ସହ କୌଣସି ବିଚାର ବିମର୍ଷ କରି ନଥିଲା। ଅତୀତରେ ଗମ୍ଭୀର ଓ ‌କୋହଲି ପଡ଼ିଆ ଭିତରେ ବହୁବାର ମୁହାଁମୁହିଁ ‌ହୋଇଥିଲା ବେଳେ ଏବେ ପ୍ରଶିକ୍ଷକ ଓ ଖେଳାଳି ଭାବେ ସେମାନଙ୍କ ସଂପର୍କ କିଭଳି ହେବ, ତାହା ମଧ୍ୟ ଆଲୋଚନାର ବିଷୟ ହୋଇଛି। ସେହିଭଳି ଟ୍ବେଣ୍ଟି-୨୦ରୁ ରୋହିତ ଶର୍ମାଙ୍କ ଅବସର ପରେ ହାର୍ଦିକ ପାଣ୍ଡ୍ୟା ଭାରତୀୟ ଦଳର ଅଧିନାୟକ ହେବେ ନା ଆଉ କିଏ ଦାୟିତ୍ବ ନେବେ, ସେ କଥା‌ ମଧ୍ୟ ବିସିସିଆଇ ଏବେ ସ୍ପଷ୍ଟ କରିନି। ଯାହା ମାମଲାକୁ ଆହୁରି ଗୋଳମାଳିଆ କରିଛି।