ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଭାରତୀୟ ଦଳ ଚୟନ ଉପରେ ପ୍ରଶ୍ନ ଉଠାଇଲେ ଗାଙ୍ଗୁଲି: ରାହାଣେ ଓ ଶୁଭମାନ ଗିଲଙ୍କ ଅନୁପସ୍ଥିତି ନେଇ ବିସ୍ମୟ ପ୍ରକାଶ କଲେ

କୋଲକାତା: ୨୦୧୯ ବିଶ୍ୱକପ ସେମିଫାଇନାଲରେ ଟିମ୍ ଇଣ୍ଡିଆର ପରାଜୟ ପରେ ଆଗାମୀ ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଭାରତୀୟ ଦଳ ଚୟନ ହୋଇସାରିଛି । ଆଉ ଏହି ଗସ୍ତ ପାଇଁ କିଛି ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ କିଛି ନୂଆ ଖେଳାଳିଙ୍କୁ ସୁଯୋଗ ମିଳିଛି । ତେବେ ଭାରତୀୟ କ୍ରିକେଟ ଟିମର ଚୟନ କମିଟି ଉପରେ ପ୍ରଶ୍ନ ଉଠାଇଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲି । ୱେଷ୍ଟଇଣ୍ଡିଜ ଗସ୍ତରେ ଥିବା ଖେଳାଳିଙ୍କ ଚୟନ ନେଇ ପ୍ରଶ୍ନ ଉଠାଇଛନ୍ତି ଗାଙ୍ଗୁଲି । ଟ୍ୱିଟ୍ ମାଧ୍ୟମରେ ଚୟନକର୍ତାଙ୍କୁ ପ୍ରଶ୍ନ କରିଛନ୍ତି ସୌରଭ ।

ଦିନିକିଆ ଦଳରେ ଆଜିଙ୍କ୍ୟ ରାହାଣେଙ୍କୁ କ’ଣ ପାଇଁ ସାମିଲ କରାଯାଇ ନାହିଁ ବୋଲି ଟ୍ୱିଟରେ ପ୍ରଶ୍ନ କରିବା ସହ ଚୟନ କମିଟିର ଏପରି ନିଷ୍ପତ୍ତି ଦେଖି ବ୍ୟତିବ୍ୟସ୍ତ ହୋଇପଡ଼ିଛନ୍ତି ଗାଙ୍ଗୁଲି । ଏପରିକି ଚୟନ କମିଟିକୁ ଟ୍ୱିଟରେ ପରାମର୍ଶ ଦେବାକୁ ପଛଘୁଞ୍ଚା ଦେଇନାହାନ୍ତି ଦାଦା । ଟ୍ୱିଟରେ ଗାଙ୍ଗୁଲି ଲେଖିଛନ୍ତି, ସମୟ ଆସିଯାଇଛି ଚୟନକର୍ତା ଲକ୍ଷ୍ୟ ଏବଂ ବିଶ୍ୱାସ ପାଇଁ ଖେଳାଳିଙ୍କୁ ସବୁ ଫର୍ମାଟରେ ଦଳରେ ସାମିଲ କରିବା ଉଚିତ । ଏପରିକି କିଛି ଖେଳାଳି ଟିମରେ ଅଛନ୍ତି ଯିଏ ସବୁ ଫର୍ମାଟରେ ଟିମ୍ ପାଇଁ ଖେଳିଛନ୍ତି । ଆମକୁ ଖୁସି କରିବା ପାଇଁ ସେ ଖେଳନ୍ତିନି । ଦେଶ ପାଇଁ ଭଲ କରିବା ଲକ୍ଷ୍ୟରେ ଖେଳନ୍ତି ।

ସୌରଭ ଗାଙ୍ଗୁଲି ବିସିସିଆଇକୁ ଟ୍ୟାଗ କରି ଲେଖିଛନ୍ତି ଭଲ ଖେଳୁଥିବା ଖେଳାଳି ଆଜିଙ୍କ୍ୟ ରାହାଣେଙ୍କୁ କ’ଣ ପାଇଁ ଦିନିକିଆ ଦଳରେ ସାମିଲ କରାଯାଇ ନାହିଁ । ଏପରି ନିଷ୍ପତ୍ତି ମତେ ବ୍ୟତିବ୍ୟସ୍ତ କରିଛି । ବିଦେଶ ମାଟିରେ ରାହାଣେଙ୍କ ରେକର୍ଡ଼ର୍ ଖୁବ ଭଲ ଥିଲା । ଯେତେବେଳେ ମହେନ୍ଦ୍ର ସିଂ ଧୋନି ଟିମରେ ନାହାନ୍ତି ସେହି ସମୟରେ ମିଡ଼ିଲ ଅର୍ଡ଼ରରେ ଟିମକୁ ତାଙ୍କ ଆବଶ୍ୟକତା ଥିଲା ବୋଲି ଏପରି ଆଶା କରାଯାଉଥିଲା । ଅନ୍ୟପଟେ ଯୁବ ଖେଳାଳି ଶୁଭମାନ ଗିଲଙ୍କୁ ଦିନିକିଆ ଦଳରେ ସାମିଲ କରାଯାଇ ନ ଥିବାକୁ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି ଗାଙ୍ଗୁଲି । ବିସିସିଆଇ ପରାମର୍ଶ ଦାତା କମିଟିର ସଦସ୍ୟ ମଧ୍ୟ ଅଛନ୍ତି ସୌରଭ । ୩ ଅଗଷ୍ଟରୁ ୱେଷ୍ଟେଇଣ୍ଡିଜ ଗସ୍ତ କରିବ ଭାରତୀୟ ଟିମ୍ । ସେଠାରେ ୩ଟି ଟି-୨୦ ମ୍ୟାଚ, ୩ଟି ଦିନିକିଆ ମ୍ୟାଚ୍ ଏବଂ ୨ଟି ଟେଷ୍ଟ ମ୍ୟାଚ ଖେଳାଯିବ ।

ସମ୍ବନ୍ଧିତ ଖବର