କୋହଲିଙ୍କ ମୁଣ୍ଡରେ କଣ ଚାଲୁଛି ଜାଣିହେଉନି: ସୌରଭ ଗାଙ୍ଗୁଲି

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ଏକଦା ବିଶ୍ବ କ୍ରିକେଟ୍‌ର ସର୍ବଶ୍ରେଷ୍ଠ ବ୍ୟାଟର୍‌ର ମାନ୍ୟତା ଲାଭ କରିଥିବା ବିରାଟ କୋହଲିଙ୍କ ଲଗାତାର ବିଫଳତା କେବଳ ତାଙ୍କ ପ୍ରଶଂସକଙ୍କୁ ନୁହେଁ ବରଂ ପୂର୍ବତନ ଭାରତୀୟ କ୍ରିକେଟରମାନଙ୍କୁ ମଧ୍ୟ ବ୍ୟଥିତ କରିଛି। ବିରାଟ କୋହଲି ଚଳିତ ବର୍ଷର ଆଇପିଏଲର ଏହି ସିଜନରେ ଏପର୍ଯ୍ୟନ୍ତ ୯ଟି ମ୍ୟାଚରେ ମାତ୍ର ୧୨୮ ରନ୍ ସ୍କୋର କରିବାରେ ସକ୍ଷମ ହୋଇଛନ୍ତି। ଏହି ସମୟରେ ତାଙ୍କର ଷ୍ଟ୍ରାଇକ୍ ହାର ମଧ୍ୟ ୧୧୯.୬୨ ରେ ସୀମିତ ରହିଛି | ଏହି ସିଜିନରେ ସେ ଲଗାତାର ଦୁଇଥର ଶୂନରେ ଆଉଟ ହୋଇଛନ୍ତି।

ଗତ ପାଞ୍ଚ ଇନିଂସରେ ତାଙ୍କର ସ୍କୋର ୧, ୧୨, ୦ , ୦ ଏବଂ ୯ ରହିଛି | ଗତ ମ୍ୟାଚ୍‌ରେ ସେ ୧୦ଟି ବଲରେ ୯ ରନ୍ କରିବାକୁ ସ୍କୋର କରିଥିଲେ | ମୋଟ ଉପରେ କହିବାକୁ ଗଲେ ବିରାଟ ତାଙ୍କ କ୍ୟାରିୟରର ସବୁଠାରୁ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି | ସୁନୀଲ ଗାଭାସ୍କରଙ୍କ ଠାରୁ ଆରମ୍ଭ କରି ରବି ଶାସ୍ତ୍ରୀ ଏବଂ ଯୁବରାଜ ସିଂ ପର୍ଯ୍ୟନ୍ତ ଅନେକ ପୂର୍ବତନ ଖେଳାଳି ତଥା କ୍ରିକେଟ୍ ବିଶେଷଜ୍ଞ ବିରାଟ କୋହଲିଙ୍କ ଖରାପ ଫର୍ମ ବିଷୟରେ କହିଛନ୍ତି। ବର୍ତ୍ତମାନ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କହିଛନ୍ତି, ‘ବିରାଟଙ୍କ ମୁଣ୍ଡରେ କଣ ଚାଲୁଛି ଜାଣିହେଉନି। କିନ୍ତୁ ମୁଁ ନିଶ୍ଚିତ ଯେ ସେ ପୁଣି ନିଜ ଫର୍ମକୁ ଫେରିବେ ଏବଂ ଭଲ ରନ୍ ସ୍କୋର କରିବେ | ସେ ଜଣେ ମହାନ ଖେଳାଳି’|

ସେହିପରି ପୂର୍ବତନ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ କହିଥିଲେ ଯେ କିଛି ସମୟ କ୍ରିକେଟ୍‌ରୁ ବିଶ୍ରାମ ନେବା ତାଙ୍କ ପାଇଁ ବିଜ୍ଞତାର ପରିଚୟ ହେବ। କେବେ କେବେ ଆପଣଙ୍କୁ ସନ୍ତୁଳନ ରକ୍ଷା କରିବାକୁ ପଡ଼ିଥାଏ। ଏଣୁ କୋହଲି ଯଦି ଆଉ ୬-୭ ବର୍ଷ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବାକୁ ଚାହୁଛନ୍ତି, ତାହେଲେ ଆଇପିଏଲ୍‌ରୁ ଓହରି ଯା‌ଆନ୍ତୁ।

ସମ୍ବନ୍ଧିତ ଖବର