କୋଲକାତା: କୋଭିଡ୍-୧୯ ମହାମାରୀ ପାଇଁ ସୃଷ୍ଟି ହୋଇଥିବା ସାମ୍ପ୍ରତିକ ପରିସ୍ଥିତି ଏକ ଅତି ବିପଜ୍ଜନକ ପିଚ୍ରେ ଟେଷ୍ଟ୍ ମ୍ୟାଚ୍ ଖେଳାଯିବା ଭଳି ବୋଲି କହିଛନ୍ତି ପୂର୍ବତନ ଭାରତୀୟ ଅଧିନାୟିକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି। ଫିଭର୍ ନେଟୱର୍କ ପକ୍ଷରୁ ଆରମ୍ଭ ହୋଇଥିବା ‘୧୦୦ ଘଣ୍ଟା ୧୦୦’ ତାରକା କାର୍ଯ୍ୟକ୍ରମ ଅବସରରେ ଗାଙ୍ଗୁଲି ବର୍ତ୍ତମାନର ପରିସ୍ଥିତିରେ ଜୀବନ କିଭଳି ବିତୁଛି ବୋଲି କହିବାକୁ ଯାଇ ଏଭଳି ମତ ଦେଇଛନ୍ତି। 'ଏହା ଅତି ବିପଜ୍ଜନକ ପିଚ୍ରେ ଏକ ଟେଷ୍ଟ୍ ମ୍ୟାଚ୍ ଭଳି ପରିସ୍ଥିତି। ବଲ୍ ସିମ୍ ହେଉଛି, ସ୍ପିନ୍ ବି ହେଉଛି, ବ୍ୟାଟସମ୍ୟାନ୍କୁ ଖୁବ୍ କମ୍ ଭୁଲରେ ଚାଲିବାକୁ ପଡୁଛି। ତେଣୁ ବ୍ୟାଟ୍ସମ୍ୟାନ୍କୁ ରନ୍ କରିବାକୁ ହେବ, ନିଜ ୱିକେଟ୍ ବି ବଞ୍ଚାଇବାକୁ ହେବ ଏବଂ ମ୍ୟାଚ୍ ଜିତିବାକୁ ବି ପଡ଼ିବ। ଏହା ନିଶ୍ଚିତ କଷ୍ଟକର, କିନ୍ତୁ ଆମେ ମିଳିତ ଭାବେ ନିଶ୍ଚିତ ବିଜୟୀ ହେବୁ' ବୋଲି କହିଥିଲେ ଏହି କୋଲକାତା ଯୁବରାଜ।
ବ୍ୟକ୍ତିଗତ ଭାବେ ମୁଁ ଏଭଳି ପରିସ୍ଥିତି କଥା କେବେ ଚିନ୍ତା କରିନଥିଲି। ପରିବାର ସହ ଏତେ ସମୟ ବିତାଇବାର ସୁଯୋଗ ବି ପାଇନଥିଲି। ପ୍ରତି ଦିନ କାମ ପାଇଁ ଯାତ୍ରା କରିବାକୁ ପଡୁଥିଲା, ଏବେ ମାସାଧିକ କାଳ ଘରେ ରହିଛି। ପତ୍ନୀ, କନ୍ୟା, ମା' ଓ ଭାଇଙ୍କ ସହ ସମୟ କଟୁଛି। ଏଭଳି ସୁଯୋଗ ବହୁ ଦିନ ପରେ ମିଳିଛି, ଏହାକୁ ମୁଁ ଢେର ଉପଭୋଗ କରୁଛି। ସାମ୍ପ୍ରତିକ ପରିସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରି ଗାଙ୍ଗୁଲି କହିଥିଲେ, 'ଏହାକୁ କିଭଳି ରୋକାଯାଇପାରିବ ଏବେ ବି ଆମକୁ ସଂଘର୍ଷ କରିବାକୁ ପଡୁଛି'। ଏ ମହାମାରୀ କେଉଁଠୁ, କିଭଳି ଓ କେବେ ଆସିଲା ଆମେ ଜାଣିପାରିଲୁ ନାହିଁ। ଅମେ ଏଥିପ୍ରତି ପ୍ରସ୍ତୁତ ବି ନ ଥିଲୁ। ଅନେକ ଲୋକ ମୃତ୍ୟୁବରଣ କରିବା ମୋତେ ବ୍ୟଥିତ କରିଛି। ବହୁ ଲୋକ ମୋ ଘରକୁ ବି ଆସୁଛନ୍ତି ରାସନ୍ ମାଗିବା ପାଇଁ। ଆଶା କରୁଛି ଏହି ସଂକଟଜନକ ସ୍ଥିତି ଖୁବ୍ ଶୀଘ୍ର ଦୂର ହୋଇଯାଉ।
ଏବେ ମୋ ହାତରେ ଥିବା ବିସିସିଆଇ ଓ ଆଇସିସି କାମକୁ ମୁଁ ଘରୁ କରୁଛି। ମୋର ନିଜ କାମ ବିଶେଷ କିଛି ନାହିଁ, କାରଣ ସୁଟିଂ, ଖେଳ ଓ ସ୍କୁଲ୍ ବନ୍ଦ ରହିଛି। ଘରୁ ବହୁ କାମ ବି ହୋଇପାରୁଛି। ସକାରାତ୍ମକ ଭାବନାରେ ରହିଛି, କ୍ରିକେଟ୍ ମୋତେ ଅନେକ କିଛି ଶିଖାଇଛି। ମୁଁ ବାସ୍ତବ ଜୀବନକୁ ସମ୍ମୁଖୀନ କରିଛି, ଉଚ୍ଚ ଚାପଗ୍ରସ୍ତ ପରିସ୍ଥିତିକୁ ମୁକାବିଲା କରିଛି। ଗୋଟିଏ ବଲ୍ ବାକି ଥାଇ ଅନେକ ରନ୍ କରିବା ସ୍ଥିତି ଦେଖିଛି। ଥରେ ଯଦି ଭୁଲ ଚାଲ ଚଳାଇଲ କୁଟୱାର୍କରେ ଖେଳିଲ ତେବେ ଦ୍ବିତୀୟ ସୁଯୋଗ ମିଳିନପାରେ। ଏଭଳି ପରିସ୍ଥିତି ଆପଣଙ୍କୁ ଜୀବନର ବାସ୍ତବତାକୁ ଦେଖାଏ ଏବଂ ଏଥିପାଇଁ କିଭଳି ସଜାଗ ହେବାକୁ ପଡେ ଶିଖାଏ। କ୍ରିକେଟ୍ ପଡିଆରେ କିଛି କ୍ଷଣ ମଧ୍ୟରେ ନିଷ୍ପତ୍ତି ବି ନେବାକୁ ପଡ଼ିଥାଏ। ଏଥିରୁ ଅନେକ କିଛି ଶିକ୍ଷା ମିଳିଥାଏ, ଧୈର୍ଯ୍ୟ ଓ ସହନଶୀଳତାର ପରୀକ୍ଷା ନିଏ। ସଫଳତା ଓ ବିଫଳତାର ବିଷୟରେ ବି ଶିକ୍ଷା ଦିଏ। ଖେଳିବା ବେଳେ ତୁମ ମନ ସଫଳତା ଆଡକୁ ଯାଏ, ସମାନ ଭାବେ ଜୀବନରେ ଖରାପ ସମୟ ଆସିଲେ ଏହାକୁ କିଭଳି ଅତିକ୍ରମ କରିବାକୁ ହେବ ଚିନ୍ତା କରିବାକୁ ପଡ଼େ' ବୋଲି ଗାଙ୍ଗୁଲି ନିଜ ଅନୁଭବରୁ କହିଥିଲେ।