ଦୁଇ ସପ୍ତାହ ପରେ ବିସିସିଆଇ ସମ୍ବିଧାନ ସଂଶୋଧନ ଆବେଦନର ଶୁଣାଣି : ଗାଙ୍ଗୁଲି, ଶାହଙ୍କୁ ଆଶ୍ବସ୍ତି

ନୂଆଦିଲ୍ଲୀ : ବିସିସିଆଇର ନୂଆ ସମ୍ବିଧାନରେ ସାମିଲ ଥିବା କୁଲିଂ ଅଫ୍ ପରିୟଡ୍ ନିୟମକୁ ବିରୋଧ କରି ଦାୟର କରାଯାଇଥିବା ଏକ ପିଟିସନକୁ ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି। ଦୁଇ ସପ୍ତାହ ପରେ ମାମଲାର ଶୁଣାଣି କରିବାକୁ ମଧ୍ୟ କହିଛନ୍ତି। ଏହି ମାମଲା ପ୍ରଧାନ ବିଚାରପତି ଏସଏ ବୋବଡେ ଓ ନ୍ୟାୟମୂର୍ତ୍ତୀ ଏଲ ନାଗେଶ୍ବର ରାଓଙ୍କ ଖଣ୍ଡପୀଠକୁ ଶୁଣାଣି ପାଇଁ ଆସିଥିଲା। ତାମିଲନାଡୁ କ୍ରିକେଟ୍ ସଂଘ ଓ ହିମାଚଳପ୍ରଦେଶ କ୍ରିକେଟ୍ ସଂଘର ଓକିଲମାନେ ଖଣ୍ଡପୀଠକୁ ଜଣାଇଥିଲେ ଯେ ସେମାନେ ଏହି ମାମଲାରେ ପିଟିସନ୍ ଦାୟର କରିଛନ୍ତି ଏବଂ ଏହାକୁ ଶୁଣାଣି ପାଇଁ ସୂଚୀବଦ୍ଧ କରାଯାଉ। ଏହା ପରେ ଖଣ୍ଡପୀଠ ମାମଲାର ଶୁଣାଣି ଦୁଇ ସପ୍ତାହ ପରେ କରାଯିବ ବୋଲି କହିଥିଲେ। ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ବିସିସିଆଇ ସଭାପତି ତଥା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ତଥା ସଂପାଦକ ଜୟ ଶାହଙ୍କ ପାଇଁ ଆଶ୍ବସ୍ତିକର ଖବର ହୋଇଛି। ଗୁଜରାଟ କ୍ରିକେଟ୍ ସଂଘର ବିଭିନ୍ନ ପଦପଦବିରେ ରହିଥିବା ଶାହ ଲଗାତାର ୬ ବର୍ଷର କାର୍ଯ୍ୟକାଳ ପରେ ଗତ ମେ’ ମାସରୁ ତାଙ୍କ କୁଲିଂ ଅଫ୍ ପିରିୟଡ୍ ଆରମ୍ଭ ହୋଇଯାଇଛି। ସେହିଭଳି ବେଙ୍ଗଲ କ୍ରିକେଟ୍ ସଂଘ ସହ ଜଡ଼ିତ ଥିବା ଗାଙ୍ଗୁଲିଙ୍କ ଲଗାତାର ୬ ବର୍ଷୀୟା କାର୍ଯ୍ୟକାଳ ପରେ କୁଲିଂ ଅଫ୍ ପିରିୟଡ୍‌ରେ ଯିବାର ସମୟ ସେପ୍ଟେମ୍ବର ପରେ ଆରମ୍ଭ ହୋଇଯାଉଛି। ଫଳରେ ସମ୍ବିଧାନ ସଂଶୋଧନ ନ ହେଲେ ଉଭୟ ନିଜ ନିଜ ପଦ ଛାଡ଼ିବାକୁ ବାଧ୍ୟ ହେବେ। ତେବେ ଗତ ଡିସେମ୍ବର ମାସରେ ବସିଥିବା ବିସିସିଆଇର ୮୮ତମ ବାର୍ଷିକ ସାଧାରଣ ପରିଷଦ ବୈଠକରେ ସଦସ୍ୟମାନେ ଗାଙ୍ଗୁଲି ଓ ଶାହଙ୍କ କର୍ଯ୍ୟକାଳ ବଢ଼ାଇବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନେଇଥିଲେ। ତେବେ ଏହି ନିଷ୍ପତ୍ତିରେ ଆଇନଗତ ବାଧା ଥିବାରୁ ଏହା କାର୍ଯ୍ୟକାରୀ ହୋଇ ପାରି ନଥିଲା। କାରଣ ବିସିସିଆଇ ସମ୍ବିଧାନ ଅନୁସାରେ କେବଳ ସୁପ୍ରିମକୋର୍ଟଙ୍କ ଅନୁମତି ପରେ ହିଁ ପଦାଧିକାରୀଙ୍କ କାର୍ଯ୍ୟକାଳ ବଢ଼ାଇ ହେବ। ଏଥିଲାଗି ସୁପ୍ରିମକୋର୍ଟ ମଞ୍ଜୁରି ପ୍ରଦାନ କରିବା ଜରୁରୀ। ଏଣୁ ଏପ୍ରିଲ ୨୧ ତାରିଖରେ ବିସିସିଆଇର କିଛି ରାଜ୍ୟ ସଂଘ ଏକ ଆବେଦନ ପତ୍ର ଦାୟର କରି ସଭାପତି ଓ ସଂପାଦକଙ୍କ କୁଲିଂ ଅଫ୍ ପିରିୟଡ୍ ହିସାବ କଲା ବେଳେ କେବଳ ବିସିସିଆଇ କାର୍ଯ୍ୟକାଳକୁ ବିଚାରକୁ ନେବାକୁ ଅନୁରୋଧ କରିଥିଲା। ଏହା କରି ରାଜ୍ୟ ସଂଘ ଓ ବିସିସିଆଇ କାର୍ଯ୍ୟକାଳକୁ ଅଲଗା ଅଲଗା କରି ବିଚାରକୁ ନେବାକୁ ବିସିସିଆଇ ଯୁକ୍ତି କରିଥିଲା। ସେହିଭଳି ବିସିସିଆଇ ପରିଚାଳନା ଅଧିକାର ସଂପାଦକକୁ ନ୍ୟସ୍ତ କରିବା ସହ ମୁଖ୍ୟ କାର୍ଯ୍ୟନିର୍ବାହୀ ତାଙ୍କ ଅଧୀନରେ କାର୍ଯ୍ୟ କରିବାର ନିର୍ଦ୍ଦେଶ ଦେବାକୁ ମଧ୍ୟ ବିସିସିଆଇ ନିଜ ଆବେଦନ ଫର୍ଦରେ ଉଲ୍ଲେଖ କରିଥିଲା। ସେହିଭଳି ସମ୍ବିଧାନ ସଂଶୋଧନ ବେଳେ ସୁପ୍ରିକୋର୍ଟକୁ ମଞ୍ଜୁରି ନେବାକୁ ସ୍ବେଚ୍ଛାକୃତ କରିବାକୁ ମଧ୍ୟ ଦର୍ଶାଇ ଥିଲା। ସୂଚନାଯୋଗ୍ୟ ଯେ ଲୋଧା ସମିତି ସୁପାରିସ ଅନୁଯାୟୀ ରାଜ୍ୟ ହେଉକି ବିସିସିଆଇ କୌଣସି କର୍ମକର୍ତ୍ତା ଲଗାତାର ଦୁଇଟି କାର୍ଯ୍ୟକାଳ (୬ ବର୍ଷ) ପୂରଣ କରିବା ପରେ କୌଣସି ନିର୍ବାଚନ ଲଢ଼ି ପାରିବେ ନାହିଁ। ଏହା ପରେ ସେମାନଙ୍କୁ ୩ ବର୍ଷର କୁଲିଂ ଅଫ୍ ପିରିୟଡରେ ଯିବାକୁ ହେବ। କୁଲିଂ ଅଫ୍ ପିରିୟଡ୍ ଶେଷ ହେବା ପରେ ଯାଇ ସେମାନେ ପୁନର୍ବାର ନିର୍ବାଚନ ଲଢ଼ିବାକୁ ଯୋଗ୍ୟ ବିବେଚିତ ହେବେ।

ସମ୍ବନ୍ଧିତ ଖବର