ଶାସ୍ତ୍ରୀଙ୍କ ସହ ତିକ୍ତତାକୁ ଗାଙ୍ଗୁଲିଙ୍କ ଖଣ୍ଡନ

କୋଲକାତା: ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ସହିତ ତିକ୍ତ ସମ୍ପର୍କକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି। ନିଜ କାର୍ଯ୍ୟକାଳ ସମୟରେ ବ୍ୟକ୍ତିଗତ ପ୍ରଦର୍ଶନ ହିଁ ଏକମାତ୍ର ମାପକାଠି‌ ହେବ ବୋଲି ଗାଙ୍ଗୁଲି କହିବା ପରେ ସେ ଶାସ୍ତ୍ରୀଙ୍କ ପ୍ରତି ପ୍ରତିଶୋଧ ପରାୟଣ ହେବେ ବୋଲି ଆଶଙ୍କା କରାଯାଉଥିଲା। ୨୦୧୬ ମସିହାରେ ଶାସ୍ତ୍ରୀ ଏବଂ ଗାଙ୍ଗୁଲିଙ୍କ ମଧ୍ୟରେ ମତଭେଦ ଥିବା ପଦାରେ ପଡ଼ିଥିଲା। ମୁଖ୍ୟ ପ୍ରଶିକ୍ଷକ ପଦ ପାଇଁ ଶାସ୍ତ୍ରୀ ପୁନଃ ଆବେଦନ କରିଥିଲେ କିନ୍ତୁ ସୌରଭ ଗାଙ୍ଗୁଲି ସାମିଲ ଥିବା କ୍ରିକେଟ୍ ଉପଦେଷ୍ଠା ସମିତି (ସିଏସି) ଅନିଲ କୁମ୍ବଲେଙ୍କୁ ବାଛିଥିଲା। ୨୦୧୭ ମସିହାରେ ଅଧିନାୟକ ବିରାଟ କୋହଲିଙ୍କ ସହିତ ମତଭେଦ କାରଣରୁ କୁମ୍ବଲେ ଇସ୍ତଫା ଦେଇଥିଲେ ଏବଂ ଶାସ୍ତ୍ରୀ ପୁଣି ମୁଖ୍ୟ ପ୍ରଶିକ୍ଷକ ପଦକୁ ଫେରିଥିଲେ। ଶୁକ୍ରବାର କୋଲ୍‌କାତାରେ ଇଣ୍ଡିଆ ଟୁଡେର କନ୍‌କ୍ଲେଭ୍ (ପୂର୍ବାଞ୍ଚଳ)ରେ ଅତିଥିଭାବେ ଯୋଗ ଦେଇ ଗାଙ୍ଗୁଲି ପୂର୍ବ ତିକ୍ତତା ନ ଥିବା କହିଥିଲେ। ମୁଁ ଏଭଳି ପ୍ରଶ୍ନର ଉତ୍ତର ଏଇଥି ପାଇଁ ଦେବି ନାହିଁ ଯେ, ସେ ସବୁ କାଳ୍ପନିକ ଓ ମନଗଢ଼ା। ପଡିଆରେ ସବୁ କିଛି ହଜିଯାଏ। ‘ତୁମେ ଯଦି ପ୍ରଦର୍ଶନ କରୁଛ ତେବେ ଦଳରେ ସୁରକ୍ଷିତ ରହିବ, ଯଦି ନୁହେଁ ତେବେ ଅନ୍ୟ ଜଣେ ଦାୟିତ୍ବ ସମ୍ଭାଳି ନେବ। ମୁଁ ଖେଳିବା ବେଳେ ବି ଏଭଳି ଚାଲୁଥିଲା। ଅନେକ କିଛି ଆଲୋଚନା, ପର୍ଯ୍ୟାଲୋଚନା ଓ ଗୁଜବ ଆସିଥାଏ। ଏକାଗ୍ରତା କିନ୍ତୁ ୨୨ ଗଜ ଭିତରେ ସୀମିତ ରହିବା ଜରୁରି’ ବୋଲି ଗାଙ୍ଗୁଲି ପ୍ରକାଶ କରିଛନ୍ତି। ୧୦୦ ଅନ୍ତର୍ଜାତୀୟ ଶତକ ହାସଲକାରୀ ସଚିନ ତେନ୍ଦୁଲକର ଏବଂ ୭୦ ଅନ୍ତର୍ଜାତୀୟ ଶତକ ପୂର୍ଣ୍ଣ କରି ସାରିଥିବା ବିରାଟ କୋହଲିଙ୍କ ଉଦାହରଣ ଦେଇଥିଲେ ଗାଙ୍ଗୁଲି। ଜୀବନରେ ପ୍ରଦର୍ଶନର କିଛି ବି ବିକଳ୍ପ ନାହିଁ। ପଡ଼ିଆ ଭିତରେ ଏବଂ ବାହାରେ ବିରାଟ କୋହଲି ହିଁ ଆଦର୍ଶ।

ଆସନ୍ତା ବର୍ଷର ଟି-୨୦ ବିଶ୍ବକପ୍‌ ପାଇଁ ଗାଙ୍ଗୁଲି ଖେଳାଳିମାନଙ୍କୁ ଭୟଶୂନ୍ୟ କ୍ରିକେଟ୍ ଖେଳିବାକୁ ପରାମର୍ଶ ଦେଇଥିଲେ। ବଡ଼ ପ୍ରତିଯୋଗିତାରେ ଦକ୍ଷତା ନୁହେଁ, ମାନସିକ ପ୍ରତିବଂଧକକୁ ଅତିକ୍ରମ କରିବାକୁ ପଡ଼ିବ ବୋଲି କହିଥିଲେ। ସେହିଭଳି ଦ୍ବୈତସ୍ବାର୍ଥ ପ୍ରସଙ୍ଗରେ ଅସନ୍ତୋଷ ପ୍ରକାଶ କରି ଗାଙ୍ଗୁଲି କହିଥ‌ିଲେ ଏହି କାରଣରୁ ପୂର୍ବତନ ଖେଳାଳିମାନଙ୍କୁ ବିସିସିଆଇ ସହ ଯୋଡ଼ି ହେଉନାହିଁ। ସଚିନଙ୍କଙ୍କ ଭଳି ଖେଳାଳିଙ୍କୁ ବିଦାୟ ନେବାକୁ ପଡ଼ିଛି। ବିସିସିଆଇ ସମ୍ପାଦକ ଜୟ ସାହାଙ୍କୁ ବ୍ୟକ୍ତିଗତ ଭାବେ ବିଚାର କରାଯିବା କଥା। ସେ ଜଣେ ରାଜନେତାଙ୍କ ପୁଅ (ଅମିତ ସାହା)ଙ୍କ ନଜରରେ ବିଚାର କରାଯିବା କଥା ନୁ‌ହେଁ, କାରଣ ସେ ନିର୍ବାଚନ ଜିତି ଆସିଛନ୍ତି। ସମସ୍ତ ରାଜ୍ୟ ସଂଘ ଗୁଡ଼ିକ ମଧ୍ୟ ସ୍ବାଧୀନ ଏବଂ ନିଜସ୍ବ ନିର୍ବାଚିତ କର୍ମକର୍ତା ରହିଛନ୍ତି। ସଂଘ ଚଳାଇବା ସହଜ ନୁହେଁ, ଏଥି ପାଇଁ ଦୃଢ଼ମନା ବ୍ୟକ୍ତିତ୍ବଙ୍କ ଆବଶ୍ୟକତା ଥାଏ’ ବୋଲି ଗାଙ୍ଗୁଲି କହିଥିଲେ।

ସମ୍ବନ୍ଧିତ ଖବର