ଭାରତରେ ଆଇପିଏଲ୍‌ ଆୟୋଜନକୁ ଅଗ୍ରାଧିକାର: ଗାଙ୍ଗୁଲି

ଏସିଆ କପ୍‌ ବାତିଲ ‌ନେଇ ଘୋଷଣା କଲେ ଗାଙ୍ଗୁଲି

ନୂଆଦିଲ୍ଲୀ: ବିଶ୍ବର ସର୍ବାଧିକ ଲୋକପ୍ରିୟ ତଥା ଧନି କ୍ରିକେଟ୍‌ ଲିଗ୍‌ ଭାବେ ପରିଗଣିତ ଆଇପିଏଲ୍‌ (ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌)ର ତ୍ରୟୋଦଶ ସଂସ୍କରଣ ଚଳିତ ବର୍ଷ ମାର୍ଚ୍ଚ ୨୯ ତାରିଖରୁ ଆରମ୍ଭ ହେବାକୁ ଥିଲା। ତେବେ କୋଭିଡ୍‌-୧୯ ମହାମାରୀ ଏହାର ଆୟୋଜନ ସମ୍ଭବ ହେବାକୁ ଦେଉନି। ‌କେବେ ହୋଇପାରିବ ସେନେଇ ମଧ୍ୟ କେହି ନିଶ୍ଚିତ ନୁହେଁ। ବିଶେଷକରି ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ବାତିଲ ହେଲେ ଆଇପିଏଲ୍‌ ପାଇଁ ଦ୍ବାର ଉନ୍ମୁକ୍ତ ହୋଇପାରନ୍ତା। ବିଶ୍ବକପ୍‌ ନିଷ୍ପତ୍ତି ମଧ୍ୟ ଝୁଲି ରହିଛି। ଆଇସିସି (ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ) ମଧ୍ୟ ନିର୍ଦିଷ୍ଟ ନିଷ୍ପତ୍ତି ନେଇପାରିନି। ଏପରିସ୍ଥଳେ ଆଇପିଏଲ୍‌ ଭାଗ୍ୟ ମଧ୍ୟ ଅନିଶ୍ଚିତତା ଭିତରେ ଗତି କରୁଛି। ଏକାଧିକ ବିଦେଶୀ ବୋର୍ଡ (ଶ୍ରୀଲଙ୍କା, ନ୍ୟୁଜିଲାଣ୍ଡ୍‌ ଏବଂ ୟୁଏଇ) ଆଇପିଏଲ୍‌ ଆୟୋଜନ ପାଇଁ ଆଗ୍ରହ ପ୍ରକାଶ କରିସାରିଛନ୍ତି। ନିଜେ ବିସିସିଆଇ ମଧ୍ୟ ଆୟୋଜନ କରିବା ନେଇ ଆଶାବାଦୀ ରହିଛି।

କ୍ରିକେଟ୍‌ ବିଶ୍ବ ମଧ୍ୟ ଏହାକୁ ଚାହିଁରହିଛି। କରୋନା ମହାମାରୀ ସତ୍ତ୍ବେ ୨୦୨୦କୁ ଆଇପିଏଲ୍‌ ଶୂନ୍ୟ କରିବାକୁ ଚାହୁଁନୁ। ଏହାକୁ ଆୟୋଜନ କରିବାରେ ଭାରତକୁ ପ୍ରଥମ ପ୍ରାଥମିକତା ଦେଉଛୁ ବୋଲି କହିଛନ୍ତି ବିସିସିଆଇ (ଭାରତୀୟ କ୍ରିକେଟ୍‌ ବୋର୍ଡ) ସଭାପତି ସୌରଭ ଗାଙ୍ଗୁଲି। ଆମେ ଯଦି ୩୫ରୁ ୪୦ ଦିନ ସମୟ ପାଇଯାଇପାରିବୁ ତାହାଲେ ବି ଆମ ଦେଶରେ ଆଇପିଏଲ୍‌ ଆୟୋଜନ କରିପାରିବୁ। ଆଉ ଯଦି ଏହା ସମ୍ଭବ ନହେବ ତାହାଲେ ବିଦେଶରେ ଆୟୋଜନ କରିବା କଥା ଚିନ୍ତା କରିବୁ। ହେଲେ ରୁପାନ୍ତର ହାର ଏବଂ ମୁଦ୍ରା ବିନିମୟ ମୂଲ୍ୟ କାରଣରୁ ଏହା ଆମ ସମସ୍ତ (ଫ୍ରାଞ୍ଚାଇଜ୍‌ ଏବଂ ବୋର୍ଡ)ଙ୍କ ପାଇଁ ବ୍ୟୟବହୁଳ ହୋଇଯିବ। ତଥାପି ଏହାକୁ ନଜରରେ ରଖିଛୁ। କିନ୍ତୁ ଆମ ଦେଶରେ ଆୟୋଜନ କରିବାକୁ ପ୍ରାଥମିକତା ଦେବୁ ବୋଲି ଗାଙ୍ଗୁଲି କହିଛନ୍ତି। ଏହାସତ୍ତ୍ବେ ସବୁକିଛି ଅକ୍ଟୋବର-ନଭେମ୍ବରରେ ଆୟୋଜିତ ହେବାକୁ ଥିବା ‌ଟ୍ବେଣ୍ଟି-୨୦ ବିଶ୍ବକପ୍‌ ନିଷ୍ପତ୍ତି ଉପରେ ନିର୍ଭର କରିବ ବୋଲି ଇଣ୍ଡିଆ ଟୁଡେ ସୋ’ ‘‘ଇନ୍‌ସ୍ପିରେସନ୍‌’’ ସହ କଥାବାର୍ତା ବେଳେ କହିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ଗାଙ୍ଗୁଲି।

ଭାରତରେ ସାଂପ୍ରତିକ ସମୟରେ କରୋନା ମହାମାରୀର ଭୟାବହତା ବୃଦ୍ଧି ପାଇବାରେ ଲାଗିଛି। ବଡ଼ ବଡ଼ ଦଳ ଥିବା ମୁମ୍ବାଇ, ଦିଲ୍ଲୀ, କୋଲ୍‌କାତା, ଚେନ୍ନାଇ ଭଳି ସହରରେ କରୋନା ଭୂତାଣୁ ରାଜ୍‌ କରୁଛି। ଅହମ୍ମଦାବାଦ ଷ୍ଟାଡିୟମ୍‌କୁ ନେଇ ମଧ୍ୟ ଆମେ ଖୁବ୍‌ ଉତ୍ସାହିତ ରହିଛୁ। ହେଲେ କରୋନା ଯୋଗୁଁ ସେହିସବୁ ସ୍ଥାନକୁ କେବେ କ୍ରିକେଟ୍‌ ଫେରିପାରିବ ତାହା କହିହେବନି। ଏହାକୁ ନଜରକୁ ନେଲେ ଆଇପିଏଲ୍‌ ଭାରତରେ ହେବା ସନ୍ଦେହ ଉପୁଜୁଛି। ଗତ ୧୨ ବର୍ଷର ଇତିହାସ ମଧ୍ୟରେ ଥରେ ମାତ୍ର ପୂରା ଆଇପିଏଲ୍‌ ଦେଶ ବାହାରେ ହୋଇଛି। ୨୦୦୯ରେ ଦେଶରେ ସାଧାରଣ ନିର୍ବାଚନ ପାଇଁ ଆଇପିଏଲ୍‌ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ହୋଇଥିଲା। ନହେଲେ ଅନ୍ୟ ସବୁ ବର୍ଷ ଭାରତରେ ହିଁ ଆୟୋଜିତ ହୋଇଥିଲା ବୋଲି ଗାଙ୍ଗୁଲି କହିଛନ୍ତି।

ଏସିଆ କପ୍‌ ବାତିଲ ‌ନେଇ ଘୋଷଣା କଲେ ଗାଙ୍ଗୁଲି
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ସଭାପତି ସୌରଭ ଗାଙ୍ଗୁଲି ବୁଧବାର ୨୦୨୦ ଏସିଆ କପ୍‌ ବାତିଲ ନେଇ ଘୋଷଣା କରିଛନ୍ତି। ଏସୀୟ କ୍ରିକେଟ୍‌ ପରିଷଦ (ଏସିସି) ସଭାପତି ନାଜମୁଲ ହାସନ ଏସିଆ କପ୍‌ ଉପରେ କୌଣସି ଆନୁଷ୍ଠାନିକ ସୂଚନା ଦେଉନଥିଲା ବେଳେ ଗାଙ୍ଗୁଲି ସ୍ପୋର୍ଟ୍ସ ଟକ୍‌ରେ ବାତିଲ ନେଇ ସ୍ପଷ୍ଟ ମତ ରଖିଛନ୍ତି। ସାରା ବିଶ୍ବରେ କରୋନା ମହାମାରୀ ପ୍ରକୋପ ବଢ଼ିବାକୁ ଲାଗିଥିଲା ବେଳେ ଏସିଆ କପ୍‌ ବାତିଲର ଆଶଙ୍କା ଉପୁଜିଥିଲା। ଡିସେମ୍ବ‌ରରେ ଆମେ ଏକ ପୂର୍ଣ୍ଣାଙ୍ଗ ଶୃଙ୍ଖଳା ଖେଳିବାକୁ ଯାଉଛୁ। ସେପ୍ଟେମ୍ବରରେ ହେବାକୁଥିବା ଏସିଆ କପ୍‌ ବାତିଲ ହୋଇଛି ବୋଲି ଇନ୍‌ଷ୍ଟାଗ୍ରାମ ଚାଟ୍‌ରେ ବିକ୍ରମ ଗୁପ୍ତାଙ୍କୁ ଗାଙ୍ଗୁଲି କହିଛନ୍ତି।

ଏସିଆ କପ୍‌ ଆନୁ‌ଷ୍ଠାନିକ ଭାବେ ବାତିଲ ହୋଇଛି କି ବୋଲି ପ୍ରଶ୍ନରେ ଗାଙ୍ଗୁଲି କହିଛନ୍ତି ‘ଏସିଆ କପ୍‌ କପ୍‌ ବାତିଲ ହେଲା’। ହେଲେ ଏହାକୁ ନେଇ ପୁଣି ପ୍ରଶ୍ନ ଉଠିଛି। ୨୦୨୦ ଏସିଆ କପ୍‌ ୟୁଏଇରେ ସେପ୍ଟେମ୍ବରରେ ଆୟୋଜନ ଲାଗି ପାକିସ୍ତାନ ସ୍ଥିର କରିଥିଲା। କିନ୍ତୁ କରୋନା ମହାମାରୀ ପରିସ୍ଥିତି ‌ଯୋଗୁଁ ଶ୍ରୀଲଙ୍କାରେ ଆୟୋଜନ ପାଇଁ ଚିନ୍ତା କରାଯାଇଥିଲା। ଏସିଆ କପ୍‌ ସହ ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁ ଥିବା ଟି-୨୦ ବିଶ୍ବକପ୍‌ ବାତିଲ ସମ୍ଭାବନା ଦେଖାଦେଇଛି। ଏସିଆ କପ୍‌ ବାତିଲ ହେବା ଯୋଗୁଁ ଏବେ ଆଇପିଏଲ୍‌-୨୦୨୦ ଆୟୋଜନ ହେବାର ବାଟ କିଛି ମାତ୍ରାରେ ଖୋଲିଯାଇଛି। ସେପ୍ଟେମ୍ବରରେ ଆଇପିଏଲ୍‌ର ସମସ୍ତ ମ୍ୟାଚ୍‌ ମୁମ୍ବାଇ କିମ୍ବା ୟୁଏଇରେ ଖେଳାଯିବାର ଆଶା ରହିଛି।

ସମ୍ବନ୍ଧିତ ଖବର