ଅଖତରଙ୍କୁ ଅଜବ ପ୍ରଶ୍ନ କରିଥିଲେ ଗାଙ୍ଗୁଲି: ‘ତୁମକୁ କିଏ କହିଲା ସଚିନଙ୍କୁ ଆଉଟ୍ କରିବାକୁ’

ମୁମ୍ବାଇ: କ୍ରିକେଟ୍ ପଡ଼ିଆରେ ସଚିନ ତେନ୍ଦୁଲକରଙ୍କୁ ସୋଏବ୍ ଅଖତର ମୋଟ ୯ ଥର ଆଉଟ୍ କରିଛନ୍ତି। ୩ ଥର ଟେଷ୍ଟ୍‌ରେ, ୫ ଥର ଦିନିକିଆରେ ଏବଂ ଥରେ ଆଇପିଏଲ୍‌ରେ। ଏହି ଆଇପିଏଲ୍ ଆଉଟକୁ ନେଇ କିନ୍ତୁ ରୋଚକ କଥାଟିଏ ରହିଛି। ୨୦୦୮ ମସିହାର ଆଇପିଏଲ୍‌ ପ୍ରଥମ ସଂସ୍କରଣରେ ସୋଏବ୍‌ ଅଖତର କୋଲକାତା ନାଇଟ୍ ରାଇଡର୍ସ ପାଇଁ ଖେଳୁଥିବା ବେଳେ ମୁମ୍ବାଇରେ ମୁମ୍ବାଇ ଇଣ୍ଡିଆନ୍ସ ତାରକା ସଚିନ ତେନ୍ଦୁଲକରଙ୍କୁ ଶୂନରେ ଆଉଟ୍ କରିଥିଲେ। କୋଲକାତା ନାଇଟ୍ ରାଇଡର୍ସ ମାତ୍ର ୬୭ ରନ୍‌ରେ ଆଉଟ୍‌ ହୋଇଯିବା ପରେ ମୁମ୍ବାଇ ପଶ୍ଚାତଧାବନ ଆରମ୍ଭ କରିଥିଲ। ଅଖତର କିନ୍ତୁ ପ୍ରଥମ ଓଭରରେ ଅଧିନାୟକ ସଚିନଙ୍କୁ ୱିକେଟରକ୍ଷକ ଋଦ୍ଧିମାନ ସାହାଙ୍କ ହାତରେ କ୍ୟାଚ୍‌ କରାଇ ନେଇଥିଲେ। ସଚିନ ଖାତା ଖୋଲି ପାରିନଥିଲେ।

ମୁମ୍ବାଇ ପାଳି ବେଳେ କେକେଆର୍‌ ଅଧିନାୟକ ସୌରଭ ଗାଙ୍ଗୁଲି କିନ୍ତୁ ଅଖତରଙ୍କୁ କହିଥିଲେ ‘ତୁମକୁ ସଚିନଙ୍କୁ ଆଉଟ୍ କରିବାକୁ କିଏ କହିଲା। ତା’ ପୁଣି ମୁମ୍ବାଇରେ। ଅଖତରଙ୍କ‌ ପଡ଼ିଆ ପୋଜିସନକୁ ବଦଳାଇ ମିଡ୍‌ୱିକେଟ୍‌କୁ ନେଇ ଆସିଥିଲେ। କାଳେ ସୀମାରେଖା ପାଖରେ ଲୋକମାନେ ଗାଳି ଗୁଲଜ କରିବେ ସେଥିପାଇଁ ଏଭଳି କରିଥିଲେ। ଅଖତର ଏହି କଥାକୁ ସ୍ବୀକାର କରି କହିଥିଲେ ‘ମ୍ୟାଚ୍‌ ପୂର୍ବରୁ ୱାଙ୍ଖ୍‌ଡେରେ ଚମତ୍କାର ମାହୋଲ ଥିଲା, ସଚିନଙ୍କ ସହର ବିଜୁଳି ଭଳି ଚଳଚଞ୍ଚଳ ଥିଲା। ୱାଙ୍ଖ୍‌ଡ ଭରପୁର ଥିଲା। ମ୍ୟାଚ୍‌ ପୂର୍ବରୁ ଏହାକୁ ସଚିନ-ଅଖତର ମୁକାବିଲା ଆଖ୍ୟା ଦିଆଯାଇଥିଲା। ସଚିନ ଓ ମୁଁ ପରସ୍ପରକୁ ଭେଟି ଶୁଭେଚ୍ଛା ଜଣାଇଥିଲୁ। ଗାଙ୍ଗୁଲି ମୋତେ ସଚିନଙ୍କ ଆଉଟ୍ ନେଇ ପ୍ରଶ୍ନ କରିଥିଲେ ମଧ୍ୟ ମ୍ୟାଚ୍‌ ପରେ ମୁଁ ଗୋଟିଏ ବି ଶବ୍ଦ କି ଅଭିଯୋଗ ଶୁଣିନଥିଲି’ ବୋଲି ଅଖତର ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର