ବଡ଼ ଭାଇ କରୋନା ପଜିଟିଭ୍‌; ଗୃହ ସଂଗରୋଧରେ ଗାଙ୍ଗୁଲି

କୋଲ୍‌କାତା: ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ)ର ସଭାପତି ସୌରଭ ଗାଙ୍ଗୁଲି ଗୃହ ସଂଗରୋଧରେ ରହିଛନ୍ତି। ତାଙ୍କ ବଡ଼ ଭାଇ ସ୍ନେହାଶିଷଙ୍କ କରୋନା ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିବା ପରେ ବୁଧବାର ରାତିରୁ ଗାଙ୍ଗୁଲି ନିଜ ଘରେ ସଂଗରୋଧରେ ରହିଛନ୍ତି। ପୂର୍ବତନ ବେଙ୍ଗଲ କ୍ରିକେଟର୍‌ ତଥା ୫୫ ବର୍ଷ ବୟସ୍କ ସ୍ନେହାଶିଷଙ୍କ ରିପୋର୍ଟ ବୁଧବାର ରାତିରେ ଆସିଥିଲା। ଗତ କିଛିଦିନ ଧରି ସେ ଜ୍ବରରେ ପୀଡ଼ିତ ଥିଲେ। ବୁଧବାର ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ସେ ଏବେ ବେଲେ ଭ୍ୟୁ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ବୋଲି ବେଙ୍ଗଲ କ୍ରିକେଟ୍‌ ସଂଘର ଜଣେ ଅଧିକାରୀ କହିଛନ୍ତି। ତାଙ୍କ ଦେହରେ ସାମାନ୍ୟ ତାପମାତ୍ରା ରହିଥିବା ବ୍ୟତୀତ ଆଉ ସବୁ ଠିକ୍‌ ରହିଛି ବୋଲି କୁହାଯାଇଛି। ତଥାପି ସ୍ବାସ୍ଥ୍ୟ ସଂପର୍କିତ ପ୍ରୋଟୋକଲ୍‌ ଅନୁଯାୟୀ ଧାର୍ଯ୍ୟ ସମୟ ପର୍ଯ୍ୟନ୍ତ ଗାଙ୍ଗୁଲିଙ୍କୁ ଗୃହ ସଂଗରୋଧରେ ରହିବାକୁ ପଡ଼ିଛି। ତେବେ ତାଙ୍କ ବଡ଼ ଭାଇ ମଧ୍ୟ ସେହି ଘରେ ରହୁଥିବା ନିକଟତମ ସଂପର୍କୀୟ କହିଛନ୍ତି। ଗତ ସପ୍ତାହରେ ୪୮ ବର୍ଷ ପୂରଣ କରିଥିବା ଗାଙ୍ଗୁଲି ନିକଟରେ ଏକ ସାକ୍ଷାତକାରରେ କହିଥିଲେ, ତାଙ୍କ ଭାଇ ସ୍ନେହାଶିଷ ଦୈନିକ ସେମାନଙ୍କ ଫ୍ୟାକ୍ଟ୍ରିକୁ ପରିଦର୍ଶନାରେ ଯାଉଛନ୍ତି। ତେଣୁ ସେ ହିଁ କରୋନା ଭୂତାଣୁରେ ଆକ୍ରାନ୍ତ ହେବାର ଆଶଙ୍କା ରହିଥିଲା ବୋଲି ଗାଙ୍ଗୁଲି କହିଥିଲେ।

ଗାଙ୍ଗୁଲିଙ୍କ ବ୍ୟତୀତ ବେଙ୍ଗଲ କ୍ରିକେଟ୍‌ ସଂଘ (ସିଏବି) ସଭାପତି ଅଭିଷେକ ଡାଲମିଆ ମଧ୍ୟ ଗୃହ ସଂଗରୋଧରେ ରହିଛନ୍ତି। ସେ ‘ସିଏବି’ର ସାଧାରଣ ସଂପାଦକ ସ୍ନେହାଶିଷ ଗାଙ୍ଗୁଲିଙ୍କ ସଂସ୍ପର୍ଶରେ ଆସିଥିବାରୁ କୋଭିଡ୍‌-୧୯ ମାଗଦର୍ଶିକା ଅନୁଯାୟୀ ସଂଗରୋଧରେ ରହିବାକୁ ବାଧ୍ୟ ହୋଇଛନ୍ତି। ଗତ ସପ୍ତାହରେ କରୋନା ପୀଡ଼ିତଙ୍କ ପାଇଁ ଇଡେନ୍‌ ଗାର୍ଡେନ୍ସ ଗ୍ୟାଲେରିକୁ ସଂଗରୋଧ କେନ୍ଦ୍ର କରିବା ନେଇ କୋଳ୍‌କାତା ପୁଲିସ ପରିଦର୍ଶନରେ ଆସିଥିଲା ବେଳେ ଉଭୟ ଅଭିଷେକ ଓ ସ୍ନେହାଶିଷ ସେମାନଙ୍କ ସହ ଏକାଠି ହୋଇଥିଲେ। ତେଣୁ ସ୍ନେହାଶିଷଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିବାରୁ ପ୍ରୋଟୋକଲ୍‌ ଅନୁଯାୟୀ ମୁଁ ଗୃହ ସଂଗରୋଧରେ ରହିଛି ବୋଲି ଗୁରୁବାର ଅଭିଷେକ କହିଛନ୍ତି।

ସମ୍ବନ୍ଧିତ ଖବର