କୋଲକାତା: ଦୁଇ ଦିନର ନିରବତା ପରେ ଶେଷରେ ମୁହଁ ଖୋଲିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି। ବୋର୍ଡର ପରବର୍ତ୍ତୀ ସଭାପତି ଦୌଡ଼ରୁ ଗାଙ୍ଗୁଲିଙ୍କୁ ବାଦ୍ ଦିଆଯିବା ପରେ ରାଜନୈତିକ ଝଡ଼ ଆରମ୍ଭ ହୋଇଯାଇଥିଲା। ଟିଏମ୍ସି ଓ ବିଜେପି ପରସ୍ପର ଉପରେ ଦୋଷ ଲଦାଲଦି ହେଉଥିବାରୁ ସୌରଭ ଏସବୁ ଆଲୋଚନା ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି। କୋଲ୍କାତାର ଏକ ଇଭେଣ୍ଟରେ ଯୋଗଦେବା ଅବସରରେ ସୌରଭ କହିଛନ୍ତି ଯେ ବେଙ୍ଗଲ କ୍ରିକେଟ ସଂଘ (ସିଏବି)ରେ ସେ ୫ ବର୍ଷ ସଭାପତି ଭାବେ କାର୍ଯ୍ୟ କରିଛନ୍ତି। ବିସିସିଆଇରେ ମଧ୍ୟ ୩ ବର୍ଷ କଟିଛି। ଏତେଦିନ ଧରି କାର୍ଯ୍ୟ କରିବା ପରେ ଜଣଙ୍କୁ କାମ ଶେଷ କରି ଚାଲିଯିବାକୁ ହେବ। ଯେଉଁ ଟିମ୍ ସହ କାମ କରୁଥିଲେ ତାଙ୍କ ପାଇଁ କିଛି ଅଧିକ କରିବାକୁ ହେଲେ ଅନେକ ସହଯୋଗ କରିବାକୁ ପଡ଼ିବ। ଜଣେ ଖେଳାଳି ଭାବରେ ଏତେ ଦିନଧରି ପ୍ରତ୍ୟେକ ଘଟଣା ସହିତ ଜଡ଼ିତ ଥିବାରୁ ବହୁତ କିଛି ବୁଝିପାରିଛି। ତେଣୁ ପ୍ରଶାସକ ଭାବେ କାର୍ଯ୍ୟ କରିବା ସମୟରେ ମୁଁ ମୋ କାମକୁ ଉପଭୋଗ କରୁଥିଲି। ଜଣେ ଯେଭଳି ସବୁଦିନ ପାଇଁ ଖେଳିପାରିବ ନାହିଁ ଠିକ୍ ସେହିପରି ସବୁଦିନ ପାଇଁ ପ୍ରଶାସକ ହୋଇ ରହିପାରିବନି ବୋଲି ସୌରଭ ପ୍ରତିକ୍ରିୟା ଦେଇଥିଲେ।
ସେ କହିଥିଲେ ଯେ ଜୀବନ, ଉପଲବ୍ଧି ଓ ପ୍ରଗତି, ଏସବୁ ଛୋଟଛୋଟ ଲକ୍ଷ୍ୟ। ସମସ୍ତେ ଗୋଟିଏ ଦିନରେ ସଚିନ ତେନ୍ଦୁଲକର କିମ୍ବା ଅମ୍ବାନି କିମ୍ବା ନରେନ୍ଦ୍ର ମୋଦି ହୋଇପାରିବେନି। ଏଥିପାଇଁ ଜୀବନସାରା ନିଷ୍ଠାର ସହ କାର୍ଯ୍ୟ କରିବାକୁ ପଡ଼ିବ। ଏହାହିଁ ସଫଳତାର ଚାବିକାଠି। ଯଦି ତୁମେ ଏକ ନିର୍ଦ୍ଧିଷ୍ଟ କାମକୁ ବାଛିଥାଅ ତା’ହେଲେ ଏହାକୁ ସବୁଠୁ ଭଲ ଭାବେ ଗଢିତୋଳିବା ପାଇଁ ଜୀବନସାରା ନିଜର ସବୁକିଛି ଅଜାଡ଼ି ଦେବାକୁ ହେବ ବୋଲି ସେ କହିଛନ୍ତି।
ଏହି ସାକ୍ଷତକାର ସମୟରେ ସେ ତାଙ୍କର ଖେଳଜୀବନ କଥା ମନେପକାଇ ଆଗକୁ ଅନେକ କିଛି ବଡ଼ କାମ କରିବାକୁ ସମୟ ଆସିଥିବା ସଙ୍କେତ ଦେଇଥିଲେ। ଜୀବନରେ ଯାହା କଲେ ବି, ଯେତେବେଳେ ଦେଶ ପାଇଁ ଖେଳୁଥିଲି ସେହି ସମୟଗୁଡ଼ିକ ମୋ ପାଇଁ ଶ୍ରେଷ୍ଠ ସମୟ ଥିଲା ବୋଲି ସମସ୍ତଙ୍କୁ କହିଆସିଛି। ଏହାପରେ ବହୁତ କିଛି ଦେଖିବାକୁ ମିଳିଛି। ସିଏବି ସଭାପତିଠୁ ଆରମ୍ଭ କରି ବିସିସିଆଇ ସଭାପତି ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ମଧ୍ୟ ଦେଶ ପାଇଁ ଖେଳିଥିବା ୧୫ ବର୍ଷର ସମୟ ସବୁବେଳେ ତାଙ୍କ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ସୌରଭ କହିଥିଲେ। ତାଙ୍କ ମତରେ ଜଣେ ପ୍ରଶାସକ ଅପେକ୍ଷା, ଜଣେ କ୍ରିକେଟର୍ ଜୀବନ ଅଧିକ ଆହ୍ବାନଭରା। କାମ କରିବା ବେଳେ ଯଦି କିଛି ଭୁଲ୍ ହୁଏ ଜଣେ ପ୍ରଶାସକ ତାହାକୁ ସୁଧାରି ପାରିବ। କିନ୍ତୁ ଜଣେ କ୍ରିକେଟର୍ ଖେଳିବା ସମୟରେ ଭୁଲ୍ ସଟ୍ ଖେଳି ଆଉଟ ହୋଇଗଲେ, ତାହାକୁ ତତ୍କ୍ଷଣାତ୍ ସୁଧାରିବା ପାଇଁ ଆଉ ସୁଯୋଗ ନଥାଏ।
ସୌରଭ ତାଙ୍କର ପ୍ରଶାସକ ଯାତ୍ରା ୨୦୧୫ରୁ ଆରମ୍ଭ କରିଥିଲେ। ସେହି ବର୍ଷ ସେ ପ୍ରଥମ କରି ସିଏବିର ସଭାପତି ପଦ ଅଳଙ୍କୃତ କରିଥିଲେ। ପରେ ୨୦୧୯ ଅକ୍ଟୋବରରେ ସେ ବିସିସିଆଇର ନେତୃତ୍ବ ନେଇଥିଲେ। ତାଙ୍କର କାର୍ଯ୍ୟକାଳ ସମୟରେ କୋଭିଡ୍ ମହାମାରୀ ପ୍ରକୋପ ଯୋଗୁଁ ଭାରତୀୟ କ୍ରିକେଟ ଖରାପ ସମୟ ଦେଇ ଗତି କରିଥିଲା। ତଥାପି ନିଜର ବୁଦ୍ଧି ଖଟାଇ ଏହି ସମୟକୁ ସଫଳତାର ସହ ଅତିକ୍ରମ କରିବା ସାଙ୍ଗକୁ କ୍ରିକେଟ ପ୍ରଶଂସକଙ୍କ ପାଇଁ ଆନ୍ତର୍ଜାତିକ କ୍ରିକେଟ ଓ ଆଇପିଏଲ୍ ଫେରାଇ ଆଣିଥିଲେ। କିନ୍ତୁ ଗତ ମଙ୍ଗଳବାର ମୁମ୍ବାଇର ଏକ ହୋଟେଲ୍ରେ ହୋଇଥିବା ବୈଠକରେ ସମସ୍ତ କର୍ମକର୍ତ୍ତାଙ୍କ ସହ କିଛି ରାଜ୍ୟ ସଂଘର ସଦସ୍ୟ ଯୋଗଦେଇ ଗାଙ୍ଗୁଲିଙ୍କୁ ସଭାପତି ପଦରୁ ହଟାଇବା ପାଇଁ ନିଷ୍ପତ୍ତି ନେଇଥିଲେ।